ରାଧାରାଣୀଙ୍କ ଓଡିଆଣୀ ବେଶ ଓ କୃଷ୍ଣଙ୍କ ନଟବର ବେଶନୀତି ଅନୁଷ୍ଠିତ

ପୁରୀ: ଆଜି ପବିତ୍ର ଅଁଳା ନବମୀ । କରୋନା କଟକଣା ଭିତରେ ସବୁ ରୀତି ନୀତି ପର୍ବପର୍ବାଣୀରେ ଲାଗିଛି ବ୍ରେକ । କୁହାଯାଏ ଓଡ଼ିଆଙ୍କ କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ଆଉ ଏହି ମାସରେ ଜଗନ୍ନାଥଙ୍କୁ ଦର୍ଶନ କଲେ ପୁଣ୍ୟ ମିଳିଥାଏ । କିନ୍ତୁ କରୋନା କଟକଣା ଭିତରେ ଏଥିରେ ବି ବ୍ରେକ ଲାଗିଛି । ଏଥିରୁ କେମିତି ବା ବାଦ ପଡ଼ିଥାନ୍ତା ପାଇଁ ରାଧାପାଦ ଦର୍ଶନ ନୀତି । ଆଜି ଅଁଳା ନବମୀରେ ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀଗୋପୀନାଥ ଜୀୟୁ ମନ୍ଦିରରେ ରାଧାପାଦ ଦର୍ଶନ ନୀତି ରହୁଥାଏ । ଏନେଇ ରାଧାରାଣୀଙ୍କ ଓଡିଆଣୀ ବେଶ ଓ କୃଷ୍ଣଙ୍କ ନଟବର ବେଶନୀତି ଅନୁଷ୍ଠିତ ହୋଇଛି । ଦ୍ୱାର ଫିଟା, ବେଶ ସମାପନ ପରେ ସୂର୍ଯ୍ୟପୂଜା ଚାଲିଛି। କିନ୍ତୁ ଭକ୍ତଙ୍କ ଗହଳି ଆଉ ନାହିଁ ।

ଚଳିତବର୍ଷ କୋଭିଡ୍ କଟକଣା ଯୋଗୁଁ ଶ୍ରଦ୍ଧାଳୁ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । କଟକଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜାରି ହୋଇଛି ୧୪୪ ଧାରା । ସାକ୍ଷୀଗୋପିନାଥ ଜୀୟୁ ମନ୍ଦିର ଚତୁର୍ପାଶ୍ୱର ଦୁଇଶହ ମିଟର ପରିଧି ମଧ୍ୟରେ ୧୪୪ଧାରା ଜାରି ହୋଇଛି । କେବଳ ସେବାୟତମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରି ନୀତିକାନ୍ତି କରୁଛନ୍ତି । ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା ରହିଛି । ୨୫ତାରିଖ ବଡଏକାଦଶୀ ପର୍ଯ୍ୟନ୍ତ ମନ୍ଦିର ପରିସରରେ ୧୪୪ଧାରା ବଳବତ୍ତର ରହିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

Leave a Reply