‘ମୋଦିଙ୍କ ଅହଙ୍କାର ପାଇଁ କିଷାନଙ୍କ ବିରୋଧରେ ଯବାନ’, ଦେଶ ପାଇଁ ଏହା ବିପଦଜ୍ଜନକ କହିଲେ ରାହୁଲ

1 min read

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏଥର କୃଷକ ଆନ୍ଦୋଳନର ସାହାରା ନେଇ କେନ୍ଦ୍ରରେ ଥିବା ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ରାହୁଲ ଏବଂ ପ୍ରିୟଙ୍କା ୪ଟି ଭିନ୍ନ ଭିନ୍ନ ଫଟୋ ଟ୍ୱିଟ୍‌ କରି ପୋଲିସର ଦମନଲୀଳାକୁ ସମାଲୋଚନା କରିବା ସହ ଏଥିପାଇଁ କେନ୍ଦ୍ର ସରକାର ଦାୟୀ ବୋଲି କହିଛନ୍ତି ।

ରାହୁଲ ଏକ ଫଟୋ ସେୟାର କରି ସେଥିରେ ଲେଖିଛନ୍ତି ଯେ, ‘ଏହା ଅତ୍ୟନ୍ତ ଦୁଃଖଦ ଫଟୋ । ଆମର ସ୍ଲୋଗାନ ଥିଲା ‘ଜୟ ଯବାନ ଜୟ କିସାନ’ କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅହଂକାର ଯୋଗୁଁ ଚାଷୀ ଏବଂ ଯବାନ ସାମ୍ନା ସାମ୍ନି ହୋଇଛନ୍ତି । ଏହା ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ।’

ସେହିଭଳି ପ୍ରିୟଙ୍କା ଲେଖିଛନ୍ତି ଯେ, ‘ବିଜେପି ସରକାରରେ ଦେଶର ବ୍ୟବସ୍ଥାକୁ ଟିକେ ନଜର ପକାନ୍ତୁ । ଯେତେବେଳେ ବିଜେପିର ଅରବପତି ବନ୍ଧୁମାନେ ଦିଲ୍ଲୀ ଆସୁଛନ୍ତି ସେମାନଙ୍କୁ ଲାଲ୍‌ କାର୍ପେଟ୍‌ରେ ପାଛୋଟି ନିଆଯାଉଛି । ହେଲେ ଚାଷୀ ଭାଇମାନେ ଯେତେବେଳେ ଦିଲ୍ଲୀ ଆସିବାକୁ ଚାହୁଁଛନ୍ତି ସେତେବେଳେ ତାଙ୍କ ପାଇଁ ରାସ୍ତା ଖୋଳି ଦିଆଯାଉଛି । ଦିଲ୍ଲୀରେ ଥାଇ ଚାଷୀଙ୍କ ବିରୋଧରେ ଆଇନ୍‌ ପ୍ରଣୟନ କରି ପାରିବେ କିନ୍ତୁ ଚାଷୀଙ୍କୁ ଦିଲ୍ଲୀରେ ଆନ୍ଦୋଳନ କରିବା ପାଇଁ ଅନୁମତି ଦେବେ ନାହିଁ । ଦିଲ୍ଲୀ ଆସି ସରକାରଙ୍କୁ ଚାଷୀମାନେ ଅଭିଯୋଗ କରିବା କ’ଣ ଭୁଲ୍‌ କି ? ବୋଲି ପ୍ରିୟଙ୍କା ନିଜ ପୋଷ୍ଟରେ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ସାରା ଦେଶରେ ଏବେ ଚାଷୀ ଆନ୍ଦୋଳନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶୁକ୍ରବାର ଦିଲ୍ଲୀ ସୀମାରେ ପୋଲିସ ଓ ଚାଷୀମାନଙ୍କ ମଧ୍ୟରେ ଜୋରଦାର୍‌ ଟକ୍କର ହୋଇଛି । ଏମିତିକି ଚାଷୀଙ୍କୁ ଦିଲ୍ଲୀରେ ଏଣ୍ଟ୍ରି ନଦେବା ପାଇଁ ପୋଲିସ ସେମାନଙ୍କ ଉପରକୁ ଥଣ୍ଡା ଦିନରେ ପାଣି ମାଡ଼ କରିବାକୁ ବି ପଛେଇ ନଥିଲା । ଖାଲି ସେତିକି ନୁହେଁ ଚାଷୀ ଯେଉଁ ରାସ୍ତା ଦେଇ ଆସୁଥିଲେ ସେହି ରାସ୍ତାକୁ ଖୋଳି ଦିଆଯାଇଥିଲା । ରାସ୍ତାରେ ବିରାଟ ଖାଲ କରି ଦିଆଯାଇଥିଲା । ହେଲେ ଚାଷୀ ନିଜ ଜିଦ୍‌ରେ ଅଟଳ ଥିଲେ । ଯେତେ ବାଧା ବିଘ୍ନ ଆସିଲେ ବି ତାଙ୍କର ଦିଲ୍ଲୀ ଚଲୋ ଆନ୍ଦୋଳନକୁ ସଫଳ କରିବା ପାଇଁ ଚେଷ୍ଟା ଚଳାଇଥିଲେ । ଶେଷରେ ସରକାର ବାଧ୍ୟ ହୋଇ ଚାଷୀଙ୍କୁ ଦିଲ୍ଲୀରେ ଏଣ୍ଟ୍ରି ଦେବାକୁ ଅନୁମତି ଦେଇଥିଲେ ।

Leave a Reply