ନୀତିଶଙ୍କ ବିପି ଚେକ୍ କରିବାକୁ ବିଧାନପରିଷଦକୁ ମେସିନ୍ ନେଇ ଆସିଲେ ଆରଜେଡି ଏମଏଲସି

ପାଟନା: ସାଧାରଣତଃ ଶାନ୍ତ ନୀତିଶ କୁମାର କେବେ ରାଗନ୍ତି ନାହିଁ । କିନ୍ତୁ ଗତ କିଛି ଦିନ ମଧ୍ୟରେ ବିହାର ବିଧାନପରିଷଦ ତାଙ୍କର ରୌଦ୍ର ରୂପ ଦେଖୁଛି । ନୀତିଶଙ୍କ ରାଗର ଶିକାର ହେଉଛନ୍ତି ବିରୋଧୀ ଦଳର ବିଧାୟକ  । ବିଶେଷକରି ରାଷ୍ଟ୍ରୀୟ ଜନତା ଦଳର ନେତା ନୀତିଶ କାହିଁକି ଏତେ ରାଗୁଛନ୍ତି ଓ ତାଙ୍କ ରକ୍ତଚାପ ଠିକ୍ ଅଛି କି ନାହିଁ ଜାଣିବାକୁ ଆରଜେଡିର ଜଣେ ବିଧାୟକ ମଙ୍ଗଳବାର ଦିନ ଷ୍ଟେଥୋକପ୍ ଓ ବିପି ମେସିନ୍ ସହିତ ବିଧାନସଭାକୁ ଆସିଛନ୍ତି  ।

ଆରଜେଡି ବିଧାୟକ ମୁକେଶ ରୋଶନଙ୍କୁ ଯେତେବେଳେ ବିପି ମେସିନ୍ ଆଣିବାର କାରଣ ବାବଦରେ ସାମ୍ବାଦିକ ପ୍ରଶ୍ନ କଲେ ସେତେବେଳେ ତାଙ୍କ ଉତ୍ତର ଥିଲା ଯେ, ନୀତିଶ କୁମାର ଆଜିକାଲି ଅଯଥା ରାଗିଯାଉଛନ୍ତି । କଥା କଥାରେ ସେ ଯେମିତି ରାଗୁଛନ୍ତି ଲାଗୁଛି ତାଙ୍କ ରକ୍ତଚାପ ଠିକ୍ ନାହିଁ । ତାଙ୍କ ରକ୍ତଚାପ ମାପିବାକୁ ସେ ଗୃହକୁ ବିପି ମେସିନ୍ ନେଇ ଆସିଛନ୍ତି ବୋଲି କହିଥିଲେ ।

ମୁକେଶ ରୋଶନ କହିଥିଲେ ଯେ, ଆମ ଦାଦା ନୀତିଶ କୁମାରଙ୍କ ବ୍ଲଡ୍ ପ୍ରେସର ସବୁବେଳେ ବଢିକି ରହୁଛି । ଗତକାଲି ମଧ୍ୟ ସେ ବିଧାନ ପରିଷଦରେ ଆରଜେଡି ବିଧାୟକ ସୁବୋଧ ରାୟଙ୍କ ଉପରେ ରାଗିଥିଲେ । ସାମ୍ବାଦିକଙ୍କ ଉପରେ ମଧ୍ୟ ସେ ରାଗୁଛନ୍ତି । ବିହାରରେ ବାସ୍ତବରେ କ’ଣ ଚାଲିଛି ବୋଲି ଯଦି ତାଙ୍କୁ କୁହାଯାଉଛି ତେବେ ସେ ରାଗି ଯାଉଛନ୍ତି । ମୁଁ ଏଥିପାଇଁ ବ୍ଲଡ୍ ପ୍ରେସର ମେସିନ୍ ନେଇକି ଆସିଛି ଯେ, ଯେମିତି ତାଙ୍କ ବିପି ସାମାନ୍ୟ ରହିବ ।
ସୂଚନାଯୋଗ୍ୟ ଯେ, ସୋମବାର ଦିନ ନୀତିଶ ସୁବୋଧ ଗୃହର ନିୟମ ଉଲ୍ଲଂଘନ ଅଭିଯୋଗ ଆଣିଥିଲେ ।

Leave a Reply