ହାର୍ ପରେ କାରଣ ଖୋଜୁଛି ଦଳ; ରାବ୍ରି ଦେବୀଙ୍କ ବାସଭବନରେ ବୈଠକ, ତେଜସ୍ୱୀ ଅନୁପସ୍ଥିତ…

ପାଟଣା: ୨୦୧୫ର ୧୭୮ଆସନ, ୨୦୨୦ରେ ଆସି ୧୧୦ରେ ଅଟକିଲା । ନୀତିଶ ବିରୋଧୀ ହାୱା ଓ ତେଜସ୍ୱୀଙ୍କ ଅଦ୍ଭୁଦପୂର୍ବ ପ୍ରଚାରପ୍ରସାର ସତ୍ତ୍ୱେ ମଧ୍ୟ ଆରଜେଡି ଯୁକ୍ତ ମହାଗଠବନ୍ଧନ ସରକାର ଗଠନ କରିବାରେ ସକ୍ଷମ ହେଲାନି । ବିହାର ନିର୍ବାଚନ ଫଳ ଏଭଳି ଏକ ସ୍ଥିତିରେ ଆସି ଅଟକିଲା ଯାହା କେବଳ ଏକଜିଟ୍ ପୋଲକୁ ଭୁଲ୍ ପ୍ରମାଣିତ କଲା ବୋଲି ନୁହେଁ ବରଂ ନୀତିଶ ବିରୋଧୀ ରାଜନୈତିକ ଗୋଷ୍ଠୀଙ୍କ ମୁହଁ ମଧ୍ୟ ବନ୍ଦ କଲା ।

ତେବେ ନିର୍ବାଚନରେ ପରାଜୟ ପରେ ଆରଜେଡି ଏବେ ମାନସମନ୍ଥନ କରିଛି । କେଉଁ କେଉଁ  ଯୋଗୁଁ ନୀତିଶଙ୍କ ଅପରାଜୟ ରଥକୁ ଅଟକାଇବାକୁ ଆରଜେଡି ଅସମର୍ଥ ହେଲେ ସେନେଇ ଦଳ ବିଚାର ବିମର୍ଷ କରିବାକୁ ଏକାଠି ହୋଇଛି । ଲାଲୁଙ୍କ ଧର୍ମପତ୍ନୀ ରାବ୍ରି ଦେବୀଙ୍କ ବାସ ଭବନରେ ଆରଜେଡିର ପ୍ରାୟ ସମସ୍ତ ତୁଙ୍ଗ ନେତା ଏକତ୍ରିତ ହୋଇଛନ୍ତି । ତେଜସ୍ୱୀ ଦଳର ପ୍ରଦର୍ଶନକୁ ନେଇ ସନ୍ତୁଷ୍ଟ ଥିବା କଥା ଗଣମାଧ୍ୟମକୁ କହିଥିଲେ ମଧ୍ୟ ବାସ୍ତବରେ ସେ କେତେ ହତାଶ ହୋଇଛନ୍ତି ତାହା ତାଙ୍କର ପ୍ରତିକ୍ରିୟା ବୟାନ କରିଛି । ଆରଜେଡି ବିହାରରେ ସଂଖ୍ୟା ଗରିଷ୍ଠ ଦଳ ହୋଇଥିଲେ ମଧ୍ୟ ବିଭିନ୍ନ କାରଣ ରହିଛି, ଯାହା ମହାଗଠବନ୍ଧନକୁ ସରକାର କରିବାକୁ ଦେଲା ନାହିଁ । ଆଜିର ବୈଠକରେ ତେଜସ୍ୱୀଙ୍କୁ ଦେଖିବାକୁ ମିଳିନଥିଲା । ତେବେ ବିଧାନସଭା ଓ ବିଧାନ ପରିଷଦର ପ୍ରାୟ ସମସ୍ତ ସଦସ୍ୟ ଉପସ୍ଥିତି ଥିବା ବେଳେ ରାଜ୍ୟସଭା ସଦସ୍ୟମାନେ ବୈଠକରେ ନଥିଲେ । ଦଳର ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନେତା ବୈଠକରେ ଥିବା ବେଳେ ତେଜସ୍ୱୀ କାହିଁକି ଅନୁପସ୍ଥିତ ରହିଲେ ସେନେଇ ସୂଚନା ନାହିଁ ।

କଂଗ୍ରେସକୁ ମାତ୍ରାଧିକ ଆସନରେ ନିର୍ବାଚନ ଲଢିବାର ସୁଯୋଗ ଦେବା, ଅତ୍ୟଧିକ ନୂଆ ଚେହେରା ଉପରେ ଭରସା କରିବା, ସୀମାନ୍ତ ଅଞ୍ଚଳରେ ଏଆଇଏମଆଇଏମ ଭଳି ଛୋଟ ଛୋଟ ରାଜନୈତିକ ଦଳ ସହ ବୁଝାମଣାର ଅଭାବ ଭଳି ଅନେକ ପ୍ରସଙ୍ଗ ଯାହା ଉପରେ ଦଳ ମାନସମନ୍ଥନ କରିଛି ।

Leave a Reply