ସେନା ବାହିନୀ ଓ ପୋଲିସ୍ ସେବାରେ ଦାଢି, ନିଶକୁ ନେଇ ରହିଛି କ’ଣ ସବୁ ନିୟମ…

ନୂଆଦିଲ୍ଲୀ: କିଛିଦିନ ତଳେ ଉତ୍ତର ପ୍ରଦେଶ ବାଗପତ୍ ଜିଲାରେ ଜଣେ ମୁସଲିମ୍ ଦାରୋଗାଙ୍କୁ ନିଲମ୍ବନ କରାଯ଼ାଇଥିଲା । ଏହାକ କାରଣ ଥିଲା ତାଙ୍କର ଲମ୍ବା ଦାଢି । ହେଲେ ମୁହଁରେ ଥିବା ଲମ୍ବା ଦାଢ଼ି ଏବଂ ମୁଣ୍ଡର କେଶ ପାଇଁ କଣ କାହାକୁ ନିଲମ୍ବିତ କରାଯାଇପାରେ । ହଁ, ପାଠକ ବନ୍ଧୁ ବିଶେଷ କରି ସୈନ୍ୟ ବାହିନୀ ଏବଂ ପୋଲି ସେବାରେ କେଶ ଓ ଦାଢିକୁ ନେଇ ଏପରି ନିୟମ ରହିଛି । ସେନା କିମ୍ବା ପୋଲିସ ସେବା କୌଣସି ବ୍ୟକ୍ତିର ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରନ୍ତି ନାହିଁ । ହେଲେ ଉଭୟ ବାହ୍ୟ ଶତ୍ରୁ ମୁକାବିଲା , ଅଭ୍ୟନ୍ତର ଶୃଙ୍ଖଳା ରକ୍ଷା କରିବା ପାଇଁ ସେନା ଓ ପୋଲିସ ସେବାକୁ ବ୍ୟବହାର କରାଯାଇଥାଏ । ଦେଶର ଅଖଣ୍ଡତା ଓ ସାର୍ବଭୌମତ ସହ ଏହା ସିଧାସଳଖ ଭାବେ ଜଡ଼ିତ । ଏହି ମାନଙ୍କ ପରିଚୟରେ ବିଭିନ୍ନତା ତଥା ଧାର୍ମିକ ପରମ୍ପରାର ପ୍ରତିଫଳନ ହେବା ଉଚିତ ନୁହେଁ । ସେମାନଙ୍କ ପରିଚୟର ଏକତା ନଜର ଆସିବା ଜରୁରୀ । ତେଣୁ ଉଭୟ ସେନା ଏବଂ ପୋଲିସ ସେବାରେ ଏପରି ନିୟମ କରାଯାଇଛି ।


ମନରେ ପ୍ରଶ୍ନ ଉଙ୍କିମାରୁଥିବ, ଯଦି ଶିଖମାନେ ଦାଢି ରଖି ପାରୁଛନ୍ତି, ତେବେ ମୁସଲିମ୍ ମାନେ କାହିଁକି ନୁହେଁ । ଏଥିପାଇଁ ବି ନିୟମ ରହିଛି । ଆମ ଦେଶର ସ୍ଥଳସେନା, ବାୟୁସେନା ଏବଂ ନୌସେନାରେ ଏପରି ନିୟମ ରହିଛି । ସେନା ଗୁଡିକ ମଧ୍ୟରେ ନିୟମକୁ ନେଇ ସାମାନ୍ୟ ଭିନ୍ନତା ମଧ୍ୟ ପରିଲକ୍ଷିତ ହୋଇଥାଏ ।  ଯେପରି ଜାନୁୟାରୀ ପହିଲା ୨୦୦୨ରୁ ବାୟୁ ସେନାରେ ମୁସଲମାନମାନଙ୍କୁ ଦାଢି ରଖିବାର ଅନୁମତି ଦିଆଯଆଇଛି । ହେଲେ ଏହି ନିୟମକୁ ଆଳ କରି କୌଣସି ମୁସଲମାନ ମନଇଚ୍ଛା ନିଜ ଦାଢି ବଢାଇପାରିବେ ନାହିଁ । କେଉଁ ଢଙ୍ଗରେ କେତେ ପରିମାଣରେ ଏହା ରହିପାରିବ, ସେ ନେଇ ବାୟୁ ସେନା ପକ୍ଷରୁ ସ୍ୱତନ୍ତ୍ର ନିୟମ ରହିଛି । ଅପରପକ୍ଷରେ ନୌସେନାରେ ଜଣେ ଦାଢି ରଖିପାରିବ । ହେଲେ ଏଥିପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁମତି ଦରକାର ହୋଇଥାଏ ।


ଅନୁରୂପ ଭାବେ ପୋଲିସ ସେବାରେ ମଧ୍ୟ ଦାଢି ରଖିବାର ନିଜସ୍ୱ ନିୟମ ସବୁ ରହିଛି । ଏହି ସେବାରେ ଆପଣ ନିଜ ଇଚ୍ଛା ଅନୁସାରେ ନିଶ ତ ରଖିପାରିବେ । ହେଲେ ଦାଢି ନୁହେଁ । କିନ୍ତୁ ଶିଖ ସମ୍ପ୍ରଦାୟ ପାଇଁ ଏହି ନିୟମ ସାମାନ୍ୟ ଅଲଗା । ଶିଖମାନେ କାହାକୁ ନ ପଚାରି ବି ଦାଢି ରଖିପାରିବେ । ବିଭିନ୍ନ ରାଜ୍ୟର ପୋଲିସ ସେବାର ସ୍ୱତନ୍ତ୍ର ନିୟମାବଳୀ ସବୁ ରହିଛି । ସେହିକ୍ରମରେ ଉତ୍ତର ପ୍ରଦେଶ ପୋଲିସ ସେବା ନିୟମାବଳୀରେ ୧୦ ଅକ୍ଚୋବର ୧୯୮୫ରେ ଏକ ସର୍କୁଲାର ଯୋଡା ଯାଇଥିଲା । କୌଣସି ମୁସଲିମ୍ ଦରୋଗା ସ୍ଥାନୀୟ ଏସପିଙ୍କ ଅନୁମତି ନେଇ ନିଜ ଦାଢି ବଢାଇ ପାରିବ । ହେଲେ ନିକଟରେ ନିଲମ୍ବିତ ହୋଇଥିବା କର୍ମଚାରୀ ଜଣଙ୍କ ଦାଢି ବଢାଇବା ପାଇଁ ଅନୁମତି ଆଣି ନ ଥିଲେ । ତେଣୁ ସର୍କୁଲାରର ନିୟମ ଅନୁସାରେ ତାଙ୍କୁ ନିଲମ୍ବନ କରାଗଲା । ଇଏ ତ ଗଲା ନିୟମ ।


ଦାଢି ନିଶକୁ ନେଇ ପୋଲିସ ସେବାରେ ବହୁତ ଅଜବ ଖିଆଲ ସବୁ ରହିଛି । ଯେମିତି କେତେକ ସମୟରେ ଦବଦବାକୁ ପ୍ରଦର୍ଶନ କରିବା ପାଇଁ ରୌବଲି ଷ୍ଟାଇଲର ନିଶକୁ ପ୍ରୋତ୍ସାହିତ କରାଯାଇଛି । ୨ ବର୍ଷ ପୂର୍ବେ ପ୍ରାଦେଶିକ ସଶସ୍ତ୍ର ବଳର ଅଧିକାରୀ ବି.କେ ସିଂ ଏହି ପ୍ରକାର ନିଶ ରଖିବା ପ୍ରଥାକୁ ପ୍ରୋତ୍ସାହିତ କରିଥିଲେ । କେବଳ ଏତିକି ନୁହେଁ, ସେହି ଭଳି ନିଶ ରଖୁଥିବା କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ଭତ୍ତା ମଧ୍ୟ ପ୍ରଦାନ କରାଗଲା । ଏହାର କାରଣ ହେଉଛି ଯେପରି ପ୍ରାଦେଶିକ ସଶସ୍ତ୍ର ବଳର ଅଧିକାରୀ ସାଧାରଣ ଲୋକମାନଙ୍କ ଠାରୁ ସ୍ୱତନ୍ତ୍ର ଦେଖାଯିବେ ।

ସେହିପରି ଶିଖ୍ ପ୍ରଥାରେ ପ୍ରାକୃତିକ ଭାବରେ ବଢିଥିବା କେଶକୁ କ୍ଷତି ନ ପହଞ୍ଚାଇବାର ପ୍ରଥା ରହି ଆସିଛି । ଶିଖ ମାନଙ୍କର ୫ କକାରୋ ମଧ୍ୟ ଏକ ପ୍ରମୁଖ ନିୟମ । ୧୬୯୯ରେ ଶିଖ୍ ଗୁରୁ କହିଥିଲେ, ଏହି ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ରେଜର ତଥା ଦାଢି କଟା ସାମଗ୍ରୀ ବ୍ୟବହାର କରିବେ ନାହିଁ । ଦାଢି ଏବଂ କେଶ କାଟିବା ଗୋଟିଏ ଭୁଲ୍ ବୋଲି ଧରାଯିବ । ତେଣୁ ଶିଖମାନଙ୍କ ପାଇଁ ଦାଢି କେତେ ଗୁରୁତ୍ୱପୂର୍ଣ୍ଣ ତାହା ଏଥିରୁ ଅନୁମାନ କରାଯାଇପାରେ ।

ଅତୀତରେ ମୋଗଲମାନଙ୍କ ଦମନ ସମୟରେ ଶିଖ୍ ବ୍ୟକ୍ତିମାନଙ୍କ ଜବରଦସ୍ତ ଦାଢି କାଟିବା ପାଇଁ କୁହାଯାଉଥିଲା । ହେଲେ ସ୍ୱାଭିମାନୀ ଶିଖ୍ ସମ୍ପ୍ରଦାୟ ଦାଢି ବଦଳରେ ନିଜ ମୁଣ୍ଡ କାଟିବା ପାଇଁ ପ୍ରସ୍ତୁତ ହୋଇ ଯାଉଥିଲେ ।ଅପରପକ୍ଷରେ ମୁସଲମାନ ମାନେ ଯେ ଦାଢି ରଖିବେ, ଏହାର କୌଣସି ପକ୍କା ନିୟମ ନାହିଁ । ହେଲେ ଦାଢି ରଖିଲେ ଭଲ ବୋଲି କୁହାଯାଇଥାଏ । ଇସଲାମ ଧର୍ମରେ ଦାଢି ରଖିବା ଅନିର୍ବାର୍ଯ୍ୟ ସର୍ତ୍ତ ନୁହେଁ । ତେଣୁ ଶିଖମାନଙ୍କ ପାଇଁ ଦାଢି ରଖିବାର ଅନୁମତି ଥିବା ବେଳେ, ମୁସଲମାନ ସମ୍ପ୍ରଦାୟ ପାଇଁ ପୋଲିସ ସେବାରେ ଦାଢି ରଖିବା ନେଇ କୌଣସି ନିୟମ ନାହିଁ । ଶିଖମାନେ ରଖୁଥିବା ଦାଢିର ଫଟୋ ଉଠାଇବାର ମଧ୍ୟ ନିୟମ ରହିଛି ।


କୌଣସି ସୈନ୍ୟ, ଅଧିକାରୀ ତଥା କର୍ମଚାରୀ ଯଦି ବିନାନୁମତିରେ ଦାଢି ରଖୁଛନ୍ତି । ତେବେ ପ୍ରତିରକ୍ଷା ସେବା ନିୟମାବଳୀର ୬୬୫ ର ବିରୁଦ୍ଧାଚରଣ ହୋଇଥାଏ । ପୋଲିସ ହୁଅନ୍ତି କି ମିଲିଟାରୀ ଏହା ଯେପରି ବାହାରକୁ ଗୋଟିଏ ୟୁନିଟ୍ ଭାବେ ଦେଖା ଯିବା ଆବଶ୍ୟକ । ଦାଢି, ନିଶ ରଖିବା ଦ୍ୱାରା ଏକକ ପରିଚୟ ବ୍ୟାହତ ହୋଇଥାଏ । ତେଣୁ ଦେଶର ସୁରକ୍ଷା ସହ ଜଡିତ ଥିବା ସେନା ଏବଂ ପୋଲିସ ସେବାରେ ଏ ନେଇ କଡ଼ା ନିୟମ ରଖାଯାଇଛି ।

Leave a Reply