ଚାଷୀ ଆନ୍ଦୋଳନ ପ୍ରସଙ୍ଗ: ନୂଆ ଆଇନ ଉପରେ ତୁରନ୍ତ ରୋକ୍ ପାଇଁ ପ୍ରଧାନ ବିଚାରପତିଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଜାରି ରହିଛି ଚାଷୀ ଆନ୍ଦୋଳନ । ଉଭୟ କେନ୍ଦ୍ର ଓ ଚାଷୀଙ୍କ ମଧ୍ୟରେ ବାରମ୍ବାର ବୈଠକ ହେଉଥିଲେ ବି କୌଣସି ସମାଧାନ ବାହାରି ପାରୁନି । ଏଭଳି ସମୟରେ ମୋଦି ସରକାରଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା। ପ୍ରଧାନ ବିଚାରପତି ଆଇନ ଲାଗୁ ଉପରେ ତୁରନ୍ତ ରହିତାଦେଶ ପାଇଁ ପ୍ରସ୍ତାବ ଦେଇଛନ୍ତି ।

କୃଷି ଆଇନ ଅଚଳାବସ୍ଥା ନେଇ କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ କୋର୍ଟଙ୍କ ଭର୍ତ୍ସନା । ଯେଉଁଭଳି ଭାବେ ସରକାର ପୂରା ମାମଲାକୁ ପରିଚାଳନା କରୁଛନ୍ତି, ତାହା ନିରାଶ ଜନକ ବୋଲି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ସରକାରଙ୍କୁ କହିଛନ୍ତି । ବିଲ୍‌ କେମିତି ପାସ କରାଗଲା, ସେନେଇ ସୁପ୍ରିମକୋର୍ଟ କିଛି ଜାଣିନାହାନ୍ତି । ଏନେଇ ଗତ ଶୁଣାଣିରେ ଉତ୍ତର ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦିଆ ଯାଇଥିଲା ।

ସରକାର ଓ ଚାଷୀଙ୍କ ମଧ୍ୟରେ ଆଲୋଚନା ହେଲେ ସମାଧାନର ବାଟ ବାହାରିବ ବୋଲି କୋର୍ଟ କହିଥିଲେ। ଆସନ୍ତା ୧୫ରେ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ସିଂଘୁ ସୀମାରେ ଜାରି ରହିଥିବା ଚାଷୀଙ୍କ ଆନ୍ଦୋଳନକୁ ନେଇ ସୋମବାର ଦିନ ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଯାଉଛି। ଏଥିସହିତ କୃଷି ଆଇନ ପ୍ରତ୍ୟାହାର ଆବେଦନ ଉପରେ ମଧ୍ୟ ଆଜି ଶୁଣାଣି ।

ଜାନୁଆରୀ ୮ ତାରିଖରେ ଅଷ୍ଟମ ଥର ପାଇଁ ହୋଇଥିବା ବୈଠକ ବିଫଳ ରହିଥିଲା।  ସରକାର ଏବଂ ଚାଷୀଙ୍କ ମଧ୍ୟରେ ବିଜ୍ଞାନ ଭବନରେ ଜାରି ରହିଥିବା ଆଲୋଚନା ପୁନର୍ବାର ଫେଲ ମାରିଥିଲା ଏହି ବୈଠକ। ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଂଗଠନ ଅଟଳ ରହିଥିବା ବେଳେ, ଆଇନ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ସିଧା ସିଧା କହିଥିଲେ କେନ୍ଦ୍ର ସରକାର ।

ଏପରିକି ଏମଏସପି ବଳବତ୍ତର ଏବଂ ନୂତନ କୃଷି ଆଇନକୁ ପ୍ରତ୍ୟାହାର ନେଇ ଦାବି ରଖିଥିଲେ ଆନ୍ଦୋଳନରତ ଚାଷୀ ସଂଗଠନ । କିନ୍ତୁ ପୂର୍ବ ବୈଠକରେ ଏମଏସପି ଉପରେ ସରକାର ଆଲୋଚନା କରିଥିଲାବେଳେ, ସେହି ବୈଠକରେ କୃଷି ଆଇନ ପ୍ରତ୍ୟାହାର ନେଇ ସ୍ପଷ୍ଟ ମନା କରି ଦେଇଥିଲେ ସରକାର।

Leave a Reply