ଦିଲ୍ଲୀସ୍ଥିତ ଲୋଧିଘାଟରେ ରାଜକୀୟ ସମ୍ମାନରେ ହେବ ପ୍ରଣବଙ୍କ ଶେଷକୃତ୍ୟ

Lodhighat Pranab

ନୂଆଦିଲ୍ଲୀ: ଆରପାରିରେ ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ସଂକଟମୋଚକ ପ୍ରଣବ ମୁଖାର୍ଜି । ୮୪ ବର୍ଷ ବୟସରେ ସୋମବାର ତାଙ୍କର ନିଧନ ହୋଇଥିବା ବେଳେ ମଙ୍ଗଳବାର ଅନ୍ତିମ ସଂସ୍କାର ହେବ । ଦ୍ୱିପ୍ରହର ସମୟରେ ଦିଲ୍ଲୀସ୍ଥିତ ଲୋଧିଘାଟରେ ରାଜକୀୟ ସମ୍ମାନ ସହିତ ପ୍ରଣବଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ ହେବ । ଏହା ପୂର୍ବରୁ ସକାଳ ସାଢ଼େ ୯ଟାରେ ତାଙ୍କ ପାର୍ଥିବ ଶରୀରକୁ ସରକାରୀ ଆବାସକୁ ନିଆଯାଇଛି । ସେଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶେଷ ଦର୍ଶନ କରିବେ ।

ପରେ ଦିନ ୧୧ଟା ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତିଙ୍କ ସମେତ ବହୁ ବିଶିଷ୍ଟ ଲୋକ ପ୍ରଣବଙ୍କ ପାର୍ଥିବ ଶରିରକୁ ଶେଷ ଦର୍ଶନ କରିବେ । ପରେ ଦିନ ୨ଟାରୁ ୨.୩୦ ମଧ୍ୟରେ ରାଜକୀୟ ସମ୍ମାନ ସହିତ ଲୋଧିଘାଟରେ ଅନ୍ତିମ ସଂସ୍କାର କରାଯିବ ।

ସୋମବାର ପ୍ରଣବ ମୁଖାର୍ଜୀ ଦୁନିଆକୁ ଅଲବିଦା କହିଛନ୍ତି । ଦୀର୍ଘ ଦିନ ଧରି ସେ ଦିଲ୍ଲୀରେ ଆର୍ମି ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ଫୁସଫୁସରେ ସଂକ୍ରମଣ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ସେ ଭେଣ୍ଟିଲେଟରରେ ଚିକିତ୍ସାଧିନ ଥିଲେ । ଗତ କିଛି ଦିନ ହେଲା ସେ ଡିପ୍ କୋମାରେ ଥିଲେ । ଦେହାନ୍ତ ବେଳକୁ ପ୍ରଣବଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ପ୍ରଣବଙ୍କ ଦେହାନ୍ତ ଖବର ପ୍ରଥମେ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟୁଇଟ କରି ସୂଚନା ଦେଇଥିଲେ ।

ଏହି ମହାନ ନେତାଙ୍କ ବିୟୋଗରେ ଭାରତ ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ଭବନରେ ଜାତୀୟ ପତାକାକୁ ଅର୍ଦ୍ଧ ନମିତ କରାଯାଇ ପ୍ରଣବ ମୁଖାର୍ଜୀଙ୍କୁ ସମ୍ମାନ ଜଣାଯାଇଛି । ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୬ ଯାଏଁ ସରକାରୀ ସ୍ତରରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ ।

Leave a Reply