ଦମ୍ପତି ଆତ୍ମାହୁତି ଉଦ୍ୟମ ପ୍ରସଙ୍ଗ; ସରକାରଙ୍କୁ ଜବାବ ମାଗିଲେ ବିରୋଧୀ

1 min read

ଭୁବନେଶ୍ୱର: ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ । ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ ବେଳେ କାବୁ କଲେ ସୁରକ୍ଷାକର୍ମୀ । ନାବାଳିକା ଝିଅ ହତ୍ୟା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଥିବା ଅଭିଯୋଗ କରି ଆତ୍ମାହୁତି ଉଦ୍ୟମ କରିଛନ୍ତି ବାପା- ମା’ । ନୟାଗଡ଼ରୁ ଆସିଥିଲେ ଦମ୍ପତି  । ତାଙ୍କ ଝିଅକୁ ପୋଲିସ ନ୍ୟାୟ ଦେଇନଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସେମାନେ କହିଛନ୍ତି । ଦମ୍ପତି ଅଭିଯୋଗ ଯେ, ତାଙ୍କ ଝିଅ ସହ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । କିନ୍ତୁ ପୋଲିସ ତଦନ୍ତରେ ଅବହେଳା କାରଣରୁ ତାକୁ ନ୍ୟାୟ ମିଳି ପାରିନାହିଁ । ଯଥାଶୀଘ୍ର ଦୋଷୀଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି । ପୋଲିସର ଅପାରଗତାକୁ ସମସ୍ତଙ୍କର ସାମ୍ନାକୁ ଆଣିବା ପାଇଁ  ସେମାନେ ଏଭଳି କରିଛନ୍ତି ବୋଲି କହିଛନ୍ତି ଦମ୍ପତି ।

ଅନ୍ୟପକ୍ଷରେ ବିରୋଧୀ ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବିଧାନସଭା ଆଗରେ ଏପରି ଅଭାବନୀୟକାଣ୍ଡକୁ ନେଇ ପ୍ରଶ୍ନ ଉଠାଇଥିଲେ ନରସିଂହ  । ଗୁଇନ୍ଦା ବିଭାଗ ଓ ପୋଲିସ କଣ କରୁଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ବିଧାନସଭାରେ ସରକାରଙ୍କଠାରୁ ଜବାବ ମାଗିଛି । ଜବାବରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ଆତ୍ମହତ୍ୟା ଉଦ୍ୟମ କରୁଥିବା ଦମ୍ପତିକୁ ଉଦ୍ଧାର କରାଯାଇଛି । ତଥାପି ବିରୋଧୀଙ୍କ ଦାବିକୁ ଦେଖି ଆସନ୍ତାକାଲି ବିଭାଗୀୟ ମନ୍ତ୍ରୀଙ୍କୁ ଗୃହରେ ବିବୃତି ରଖିବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି  ।

ଗତ ଅଗଷ୍ଟରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପରୀକୁ ଅପହରଣ କରାଯାଇଥିଲା । ଖୋଜାଖୋଜି କରି ନପାଇବାରୁ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ୩ ଦିନ ଯାଏ ପୁଲିସ୍‌ ଚୁପ୍ ରହିବାରୁ ଜିଲ୍ଲାପାଳ, ଏସ୍‌ପିଙ୍କୁ ବି ଭେଟିଥିଲେ । ତଥାପି ପଦକ୍ଷେପ ନିଆଯାଇ ନଥିଲା । ଦୁଇ ସପ୍ତାହ ପରେ ବସ୍ତାରେ ବନ୍ଧା ହୋଇଥିବା ହାଡ଼ ଘର ବାଡ଼ିପଟୁ ମିଳିଥିଲା । ରାତି ଅଧରେ ଦୁର୍ବୃତ୍ତ ବାଡିପଟେ ଝିଅର ହାଡ଼ ଫିଙ୍ଗି ପଳାଇ ଯାଇଥିଲେ ।

 

Leave a Reply