ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ଉପରେ ଆଜି ଶୁଣାଣି

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବେ କି ଚାଷୀ, ଏନେଇ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟର ୩ ଜଣିଆ ଖଣ୍ଡପୀଠ ଶୁଣାଣି କରିବେ । ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି କରିବାକୁ ଚାଷୀ ସଂଗଠନ ନିଷ୍ପତ୍ତି ନେଇଛି । ଚାଷୀଙ୍କ ଏହି ନିଷ୍ପତ୍ତି ଉପରେ ଆପତ୍ତି ଉଠାଇ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିଲେ କେନ୍ଦ୍ର ସରକାର । ଏହି ଆନ୍ଦୋଳନ ଯୋଗୁ ଗଣତନ୍ତ୍ର ଦିବସ ପାଳନରେ ବ୍ୟାଘାତ ସୃଷ୍ଟି ହେବ। ଏହା ଦେଶ ପାଇଁ ଲଜ୍ଜାଜନକ ହେବ ବୋଲି ପିଟିସନରେ ଦର୍ଶାଯାଇଛି ।

ସେପଟେ ଦିଲ୍ଲୀ ମଧ୍ୟରେ ଗଣତନ୍ତ୍ର ଦିବସର ପରେଡ କରିବା ପାଇଁ ଘୋଷଣା କରିଛନ୍ତି ଚାଷୀ ସଙ୍ଗଠନ । ଏହାସହ ଭାରତୀୟ କିଷାନ ୟୁନିଅନ ନେତା ରାକେଶ ଟିକାୟତ କହିଛନ୍ତି, କୃଷି ଆଇନ ପ୍ରତ୍ୟାହାର ନ ହେଲେ ଘରକୁ ଯିବାର ପ୍ରଶ୍ନ ଉଠୁନି  । ଚାଷୀକୁଳକୁ ଧ୍ୱଂସ କରିବା ପାଇଁ ନୂଆ କୃଷି ଆଇନ ଆସିଛି ।

ସେପଟେ ଏହି ମନ୍ତବ୍ୟକୁ ନେଇ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ବହୁତ ଚାଷୀ କୃଷି ଆଇନକୁ ସମର୍ଥନ କରୁଛନ୍ତି  । ଚାଷୀ ସଙ୍ଗଠନ କେବଳ ଆଇନକୁ ନିରସ୍ତ୍ର କରିବା ପାଇଁ ଚେଷ୍ଟା କରୁଛନ୍ତି  । ତେବେ ଆଇନ ପ୍ରତ୍ୟାହାର ହେବ ନାହିଁ, ଏହାର ବିଭିନ୍ନ ବିନ୍ଦୁ ଉପରେ ବିଚାର କରାଯାଉ ବୋଲି କହିଛନ୍ତି ତୋମାର । କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ୫୪ ଦିନରେ ପହଞ୍ଚିଛି ।

Leave a Reply