କୃଷି ଆନ୍ଦୋଳନକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

1 min read

ନୂଆଦିଲ୍ଲୀ: ଦିଲ୍ଲୀର ସିଂଘୁ ସୀମାରେ ଜାରି ରହିଥିବା ଚାଷୀଙ୍କ ଆନ୍ଦୋଳନକୁ ନେଇ ସୋମବାର ଦିନ ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଯାଉଛି। କୃଷି ଆଇନକୁ ପ୍ରତ୍ୟାହାର ଆବେଦନ ଉପରେ ଶୁଣାଣି ହେବ। ଏଥିସହ ସୀମାରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ହୋଇଥିବା ଆବେଦନ ଉପରେ ମଧ୍ୟ କୋର୍ଟ ଶୁଣାଣି କରିବେ ବୋଲି ସୂଚନା ମିଳିଛି ।

ପୂର୍ବରୁ ମଧ୍ୟ ଏହି ମାମଲାକୁ ନେଇ କୋର୍ଟ ଶୁଣାଣି କରିଛନ୍ତି। ହେଲେ ଚାଷୀଙ୍କ ପକ୍ଷ ନଥିବାରୁ କୋର୍ଟ ଶୁଣାଣିକୁ ରଦ୍ଦ କରି ଦେଇଥିଲେ। ସରକାର ଓ ଚାଷୀଙ୍କ ମଧ୍ୟରେ ଆଲୋଚନା ହେଲେ କିଛି ବାଟ ବାହାରିବ ବୋଲି କୋର୍ଟ କହିଥିଲେ। ଚାଷୀଙ୍କ ସହ କେନ୍ଦ୍ର ସରକାରଙ୍କ ୮ ରାଉଣ୍ଡ ବୈଠକ ସରିଥିଲେ ମଧ୍ୟ ଏବେବି କୌଣସି ସମାଧାନ ବାହାରି ନାହିଁ । ଉଭୟ ଚାଷୀ ଓ ସରକାର ନିଜ ନିଜ ଜିଦ୍‌ରେ ଅଟଳ ଅଛନ୍ତି।

ତେବେ ଆସନ୍ତା ୧୫ରେ ନବମ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି । ଯେଉଁଥିରେ ଉଭୟ ସରକାର ଓ ଚାଷୀଙ୍କ ମଧ୍ୟରେ ଜାରି ସମସ୍ୟାର ସମାଧାନ ହେବ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି।

ସୂଚନାଯୋଗ୍ୟ, ଜାନୁଆରୀ ୮ ତାରିଖରେ ଅଷ୍ଟମ ଥର ପାଇଁ ହୋଇଥିବା ବୈଠକ ବିଫଳ ରହିଥିଲା।  ସରକାର ଏବଂ ଚାଷୀଙ୍କ ମଧ୍ୟରେ ବିଜ୍ଞାନ ଭବନରେ ଜାରି ରହିଥିବା ଆଲୋଚନା ପୁନର୍ବାର ଫେଲ ମାରିଥିଲା ଏହି ବୈଠକ। ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଂଗଠନ ଅଟଳ ରହିଥିବା ବେଳେ, ଆଇନ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ସିଧା ସିଧା କହିଥିଲେ କେନ୍ଦ୍ର ସରକାର ।

ଏପରିକି ଏମଏସପି ବଳବତ୍ତର ଏବଂ ନୂତନ କୃଷି ଆଇନକୁ ପ୍ରତ୍ୟାହାର ନେଇ ଦାବି ରଖିଥିଲେ ଆନ୍ଦୋଳନରତ ଚାଷୀ ସଂଗଠନ । କିନ୍ତୁ ପୂର୍ବ ବୈଠକରେ ଏମଏସପି ଉପରେ ସରକାର ଆଲୋଚନା କରିଥିଲାବେଳେ, ସେହି ବୈଠକରେ କୃଷି ଆଇନ ପ୍ରତ୍ୟାହାର ନେଇ ସ୍ପଷ୍ଟ ମନା କରି ଦେଇଥିଲେ ସରକାର।

ଏଥିସହ ପଢନ୍ତୁ- ଦାବି ଶୁଣିଲେନି ସରକାର,ପୁଣି ବିଫଳ ଅଷ୍ଟମ ବୈଠକ

 

Leave a Reply