ପିଲାଙ୍କ ପାଠପଢ଼ା ପାଇଁ ଶିକ୍ଷକ ଆପଣାଇଲେ ନିଆରା ପ୍ରୟାସ, କାର୍ଯ୍ୟଫର୍ଦ୍ଦ ମାଧ୍ୟମରେ କଲେ ଶିକ୍ଷାଦାନ

Unique Teaching

ସୋନପୁର: ଲକ୍‌ଡାଉନ୍‌ ଯୋଗୁଁ ସ୍କୁଲ୍‌ ବନ୍ଦ, ପିଲାଙ୍କ ପାଠ ପଢ଼ା ଠପ୍‌ । ସବୁ ଛାତ୍ରଛାତ୍ରୀଙ୍କ ପାଖରେ ଆଣ୍ଡରଏଡ୍ ନଥିବାରୁ ଅନ୍‌ଲାଇନ୍‌ ‌ପାଠପଢ଼ା ବି ସମ୍ଭବ ହୋଇପାରି ନାହିଁ । ତେଣୁ ସେଭଳି ଛାତ୍ରଛାତ୍ରୀଙ୍କ ପାଇଁ ଏକ ନିଆ‌ରା ଉପାୟ ବାହାର କରିଛନ୍ତି ଶିକ୍ଷକ । ଯାହାକୁ ଦେଖିଲେ ଅଭିଭାବକ ମଧ୍ୟ ଖୁସି ହେବେ ।

ଅଭିନବ ଉପାୟରେ ଶିକ୍ଷାଦାନ । ଶିକ୍ଷା ସଂଯୋଗକୁ ସୃଜନଶୀଳ କରିବାକୁ ପ୍ରୟାସ । କାର୍ଯ୍ୟଫର୍ଦ୍ଦ ମାଧ୍ୟମରେ ଚାଲିଛି ପାଠପଢା । ବିଦ୍ୟାଳୟର ଶ୍ରେଣୀ କୋଠରୀ ହେଉ କି ଅନ୍ୟ କେଉଁ ସ୍ଥାନ । ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ଶିକ୍ଷକ ସବୁବେଳେ ଉଠାଇଥାନ୍ତି ନୂଆ ଚ୍ୟାଲେଞ୍ଜ୍ । ଆଉ ଅଭିନବ ଉପାୟରେ ପିଲାଙ୍କୁ ଶିକ୍ଷାର ଶୀର୍ଷ ବିନ୍ଦୁରେ ପହଞ୍ଚାଇବାକୁ କରିଥାନ୍ତି ଚେଷ୍ଟା । ଯାହା ସୋନପୁର ଜିଲ୍ଲା ସାହାଜବାହଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଶିକ୍ଷୟିତ୍ରୀ ତପସ୍ୱୀନୀ ଦାସ କରି ଦେଖାଇଛନ୍ତି । ଲକ୍‌ଡାଉନ୍‌ ସମୟରେ ଅନଲାଇନ ପାଠପଢାରୁ ବଞ୍ଚିତ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସଂଯୋଗରେ ଯୋଡି କାର୍ଯ୍ୟଫର୍ଦ୍ଦ ମାଧ୍ୟମରେ ପଢାଉଛନ୍ତି ।

କେବଳ ସାହାଜବାହାଲ ନୁହେଁ, ବଡକର୍ଲେ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଏଭଳି ଅଭିନବ ଉପାୟ ଆପଣେଇଛନ୍ତି ଶିକ୍ଷକ । ଖେତ ଖଳାରେ ଶିକ୍ଷା ସଂଯୋଗ ବୋର୍ଡ ଏବଂ ଗାଁର ମୁଖ୍ୟ ଛକମାନଙ୍କରେ କାର୍ଯ୍ୟଫର୍ଦ୍ଦ ବାକ୍ସ ଲଗାଇ ଶିକ୍ଷାଦାନ ଚାଲିଛି । ଆଉ ଛାତ୍ରଛାତ୍ରୀମାନେ ନିଜ କାର୍ଯ୍ୟଫର୍ଦ୍ଦକୁ ଖାତାରେ ଟିପି ନେଇ ପଢୁଛନ୍ତି । ତେବେ କୋଭିଡ୍ ସମୟରେ, ଶିକ୍ଷକଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ଅଭିଭାବକ । ଉପାନ୍ତ ଅଞ୍ଚଳରେ ଅନ୍‌ଲାଇନ୍‌ ପାଠପଢାରେ ସେତେଟା ସଫଳତା ମିଳିନଥିବା ବେଳେ ତପସ୍ୱୀନୀ ଓ ରାମଗୋପାଳଙ୍କ ପ୍ରୟାସ ପ୍ରଶଂସନୀୟ ।

Leave a Reply