କେନ୍ଦ୍ର ସରକାର ବଜେଟରେ ଦେଇଛନ୍ତି ୫ ଝଟକା, ଧିରେ ଧିରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନା କାଳର ପ୍ରଥମ ବଜେଟ୍ ଉପସ୍ଥାପନ କରି ସାରିଛନ୍ତି । କରୋନା ପ୍ରଭାବରୁ ଏପର୍ଯ୍ୟନ୍ତ ଉବୁରିନଥିବା ଅର୍ଥନୀତିକୁ ପୁଣି ଟ୍ରାକକୁ ଆଣିବାକୁ ସେ କିଛି ପଦକ୍ଷେପ କଥା ଘୋଷଣା କରିଛନ୍ତି । ଯେଉଁଥିରେ ରାଷ୍ଟ୍ରାୟତ କମ୍ପାନୀ ବିକ୍ରୀ, କୃଷି ଉତ୍ପାଦ ବଜାରକୁ ଅଧିକ ମଜବୁତ କରିବା ପାଇଁ ବଜେଟରେ ପ୍ରାବଧାନ ରହିଛି। ଏସବୁ ସତ୍ୱେ କରୋନା ମାଡ଼ରେ ଅର୍ଥନୀତିର ଅବସ୍ଥା କ’ଣ ହୋଇଛି ତାହାର ଚିତ୍ର ସମସ୍ତଙ୍କ ଆଗରେ ରହିଛି ।
କରୋନା କାରଣରୁ ରାଜକୋଶ ଉପରେ ମଧ୍ୟ ପ୍ରଭାବ ପଡିଛି । ଏହାର ମୁକାବିଲା ପାଇଁ ସରକାର କିଛି ପଦକ୍ଷେପ ନେଇଛନ୍ତି । ଯାହା କଠୋର । ବିଶେଷଜ୍ଞଙ୍କ ଅନୁସାରେ ଏଥରର ବଜେଟ ଗତ କିଛି ବର୍ଷର ବଜେଟ ତୁଳନାର ଅଲଗା । ଯଦିଓ ଏଥର ସାଧାରଣ ଲୋକଙ୍କ ଉପରେ କୌଣସି ଟ୍ୟାକ୍ସ ଲାଗୁ କରାଯାଇ ନାହିଁ ତଥାପି କିଛି ଏଭଳି ନିଷ୍ପତି ସରକାର ନେଇଛନ୍ତି ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିବ।

ବଜେଟରେ କପା,ମକା ମଂଜି,ବଛା ବଛ ରତ୍ନ ଆଭୁଷଣ,ମୋଟର ପାର୍ଟସ ଉପରେ ସୀମା ଶୁଳ୍କ ବୃଦ୍ଧି ହୋଇଛି । ଇଲେକଟ୍ରୋନିକ ସେକ୍ଟରରେ ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ,ତାର,କେବୁଲ ଓ ସୋଲାର ଇନଭର୍ଟର ଉପରେ ମଧ୍ୟ ସୀମା ଶୁଳ୍କ ବଢାଇ ଦିଆଯାଇଛି ।ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହିତ କରିବା ପାଇଁ ମୋବାଇଲ ଚାର୍ଜର ଓ ସେଟ୍ ଆମାଦାନୀ ଉପରେ ଶୁଳ୍କ ବୃଦ୍ଧି ନିଷ୍ପତି ନେଇଛନ୍ତି । ଫଳରେ ଏହି ସବୁ ଜିନିଶର ମୂଲ୍ୟବୃଦ୍ଧି ହେବ । ସେହିଭଳି ମଦ ଉପରେ ୧୦୦ ପ୍ରତିଶତ କୃଷି ସେସ୍ ଲାଗୁ ହୋଇଛି ।
ପେଟ୍ରୋଲ ମୂଲ୍ୟ ବୃଦ୍ଧିକୁ ନେଇ ଚିନ୍ତିତ ଥିବା ଖାଉଟିଙ୍କ ଆଶା ଥିଲା ଏକ୍ସସାଇଜ୍ ଡ୍ୟୁଟି ସରକାର କମ କରିବ । ତେଲ ଦର କମିବ । ସରକାର ଏକ୍ସସାଇଜ୍ ଡ୍ୟୁଟି କମାଇଲେ ସତ କିନ୍ତୁ ତା’ ସ୍ଥାନରେ ଆସିଲା କୃଷି ସେସ । ପେଟ୍ରୋଲରେ ଲିଟର ପିଛା ୨.୫୦ ପଇସା ଓ ଡିଜେଲରେ ଲିଟର ପିଛା ୪ ଟଙ୍କା ସେସ୍ ପଡ଼ିବ। ମାନେ ତୈଳ ଦର ବୃଦ୍ଧି ହେବ।

୨୦୨୧ ବଜେଟରେ ପ୍ରୋଭିଡେଣ୍ଡ୍ ଫଣ୍ଡ୍ ନିବେଶକଙ୍କୁ ଝଟକା ଦେଇଛି । ନିଜ ଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ବାର୍ଷିକ ୨ ଲକ୍ଷ ୫୦ ହଜାର ଟଙ୍କା ପିଏଫରେ ନିବେଶ କଲେ ଟ୍ୟାକ୍ସ ରିହାତି ମିଳିବ । ଏହାଠାରୁ ଅଧିକ ନିବେଶ ଉପରେ ଆୟକର ରିହାତି ମିଳିବ ନାହିଁ । ବର୍ତ୍ତମାନ ପିଏଫ ସୁଧହାର ରହିଛି ୮ ପ୍ରତିଶତ । ପିଏଫରୁ ମିଳୁଥିବା ସୁଧ ଉପରେ କୌଣସି କର ଲାଗେ ନାହିଁ।

ବଜେଟରେ ଏଲଆଇସିର ଆଇପିଓ ଜାରି କଥା କୁହାଯାଇଛି। ଏଲଆଇସି ଆଇପିଓ ବିକ୍ରୀ ଓ ଅନ୍ୟ ରାଷ୍ଟ୍ରାୟତ ଉଦ୍ୟୋଗର ସେୟାର ବିକ୍ରୀ କରି ସରକାର ଆସନ୍ତା ଆର୍ଥିକ ବର୍ଷରେ ୧.୭ ଲକ୍ଷ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି । ଏହା ସହିତ ଦୁଇଟି ସାର୍ବଜନିକ ବ୍ୟାଙ୍କର ଘରୋଇ କରଣ କଥା ମଧ୍ୟ ବଜେଟରେ କୁହାଯାଇଛି ।କିଛି ରାଷ୍ଟ୍ରାୟତ କମ୍ପାନୀକୁ ବିକ୍ରୀ କରାଯିବ ଓ କିଛି କମ୍ପାନୀରେ ଥିବା ନିଜ ସେୟାରକୁ ବିକ୍ରୀ କରି ସରକାର ପାଣ୍ଠି ସଂଗ୍ରହ କରିବେ।

ଏୟାର ଇଣ୍ଡିଆ,ବିପିସିଏଲରେ ଥିବା ନିଜ ଅଂଶକୁ ସରକାର ବିକ୍ରୀ କରିବେ। ଏହା ସହ ବନ୍ଦର,ବିଦ୍ୟୁତ୍ ଭିତ୍ତିଭୂମୀ,ରେଳବାଇ,ଗେଲ୍,ଇଣ୍ଡିଆନ୍ ଅଏଲର ପାଇପ୍ ଲାଇନ୍,ଷ୍ଟାଡିୟମ,ଭେଲ,ବିଇଏମଏଲ,କୋନକୋର ଓ ସିଂପି କର୍ପୋରେସନରୁ ସରକାରୀ ପୁଂଜି ପ୍ରତ୍ୟାହାର ହେବ । ଅର୍ଥାତ ଏହି ସବୁ କମ୍ପାନୀରେ ଥିବା ନିଜ ଅଂଶଧନକୁ ସରକାର ଘରୋଇ କମ୍ପାନୀଙ୍କୁ ବିକ୍ରୀ କରିବେ। ବିରୋଧୀଙ୍କ ଅଭିଯୋଗ ହେଉଛି ଯେ, ରାଷ୍ଟ୍ରାୟତ ଉଦ୍ୟୋଗଙ୍କୁ ବିକ୍ରୀ କରି ସରକାର ପାଣ୍ଠି ଏକାଠି କରୁଛନ୍ତି ।
ଗୋଟିଏ ଜେନରାଲ ଇନସ୍ୟୁରାନ୍ସ କମ୍ପାନୀକୁ ବିକ୍ରୀ କରିବା ପାଇଁ ସରକାର ଘୋଷଣା କରିଛନ୍ତି । ଏହାସହ ଜୀବନ ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବୈଦେଶିକ ପୁଂଜିନିବେଶ (ଏଫଡିଆଇ)ସୀମାକୁ ୪୯ରୁ ୭୪ ପ୍ରତିଶତକୁ ସରକାର ବୃଦ୍ଧି କରିଛନ୍ତି । ଏହାଦ୍ୱାରା ବୀମାକ୍ଷେତ୍ରରେ ବିଦେଶୀ କମ୍ପାନୀଙ୍କ ପ୍ରତିପତି ବୃଦ୍ଧି ପାଇବ । ଏହା ସହ ବଜେଟରେ ଆୟକର ପୁନଃ ହିସାବର ସମୟସୀମାକୁ ୬ ବର୍ଷରୁ କମ କରି ୩ ବର୍ଷ କରିଦିଆଯାଇଛି । ଅର୍ଥାତ ଏପର୍ଯ୍ୟନ୍ତ ୬ ବର୍ଷର ପୁରୁଣା ମାମଲାକୁ ପୁଣିଥରେ ଖୋଲାଯାଇ ପାରୁଥିଲା । ଅର୍ଥାତ ଏବେ ଯଦି କୌଣସି ବର୍ଷ ୫୦ ଲକ୍ଷରୁ ଅଧିକ ଅଘୋଷିତ ଆୟର ପ୍ରମାଣ ମିଳିଲା ତେବେ ସେହି ମାମଲାରେ ୧୦ ବର୍ଷ ପର୍ଯ୍ୟନ୍ତ ଆୟକରର ଆକଳନ କରାଯିବ ।
ମୋଟାମୋଟି ଭାବେ ସାଧାରଣ ଲୋକ ଆୟକର କମିବ କିମ୍ବା ପେଟ୍ରୋଲ,ଡିଜେଲ ଦର କମିବ ବୋଲି ଭାବିବା ଠିକ୍ ହେବ ନାହିଁ । ବଜେଟରେ ଥିବା ବିଭିନ୍ନ ବିଷୟ ଆଗକୁ ଝଟକା ଦେବ ।

Leave a Reply