ଭୁବନେଶ୍ୱରରେ ପହଞ୍ଚିଲା ଲଦାଖରେ ସହିଦ ଓଡ଼ିଆ ପୁଅର ମର ଶରୀର

ଭୁବନେଶ୍ୱର: ଲଦାଖରେ ସହିଦ ଓଡ଼ିଆ ପୁଅର ମର ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ସହିଦ ଶଶାଙ୍କଙ୍କୁ ବିମାନ ବନ୍ଦରରେ ଗାର୍ଡ଼ ଅଫ୍‌ ଅନର ଦିଆଯାଇଛି । ଯବାନଙ୍କ ମର ଶରୀରରେ ଯାଜପୁର ସାଂସଦ ଶର୍ମୀଷ୍ଠା ସେଠି ଓ ବରୀ ବିଧାୟିକା ସୁନନ୍ଦା ଦାସ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହାପରେ ସହିଦଙ୍କୁ ନିଜ ଗାଁ ଯାଜପୁର ଧର୍ମଶାଳା ବ୍ଲକର କ୍ଷେତ୍ରପାଳକୁ ନିଆଯାଇଛି । କ୍ଷେତ୍ରପାଳ ଗ୍ରାମର ଲାୟନ୍ସ ନାୟକ, ଶଶାଙ୍କ ଶେଖର ସାମଲ ଲଦାଖ ସୀମାରେ ଗୁରୁବାର ରାତିରେ ସହିଦ ହୋଇଥିଲେ । କାର୍ଯ୍ୟରତ ଥିବା ସମୟରେ ଏକ ଦୁର୍ଘଟଣାରେ ସେମାନଙ୍କର ପରଲୋକ ହୋଇଥିଲା ।

ଶଶାଙ୍କଙ୍କୁ ହରାଇ ଶୋକରେ ମୂକ ପାଲଟି ଯାଇଛି ପୁରା କ୍ଷେତ୍ରପାଳ ଗାଁ । ବାପାଙ୍କ ପରେ ସାନ ଭାଇକୁ ହରାଇ ବଡ଼ ଭାଇ ବି ପାଗଳ ପ୍ରାୟ । ଭାରତୀୟ ସେନାର ୬୧୩ ଇନଏସି ବାଟାଲିୟନରେ କାର୍ଯ୍ୟରତ ଥିଲେ ଯାଜପୁରର ପୁଅ ଲାନ୍ସ ନାଏକ ଶଶାଙ୍କ ଶେଖର ସାମଲ । ଗୁରୁବାର ରାତିରେ ସେ ଦେଶ ପାଇଁ ସହିଦ ହୋଇଥିବା ଜଣାପଡ଼ିଛି । ଶଶାଙ୍କ ଦେଶ ପାଇଁ ସହିଦ ହୋଇଥିବା ସେନା ପକ୍ଷରୁ ଫୋନ୍ ଯୋଗେ ଖବର ଦିଆଯାଇଥିଲା ।

ଦୀର୍ଘ ୧୨ ବର୍ଷ ହେଲା ଶଶାଙ୍କ ସେନାରେ କାର୍ଯ୍ୟରତ ଥିଲେ । ବୀର ବାପାର ବୀର ପୁଅ ଥିଲେ ଶଶାଙ୍କ । ଦେଶ ପାଇଁ ଶଶାଙ୍କ ସହିଦ ହେବା ଖବର ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ସ୍ତବ୍ଦ ହୋଇଯାଇଛି ପରିବାର । ଶଶାଙ୍କଙ୍କ ବାପା ସ୍ୱର୍ଗତଃ ଯଦୁନାଥ ନାୟକ ମଧ୍ୟ ସେନାରେ କାର୍ଯ୍ୟରତ ଥିବା ବେଳେ ସହିଦ ହୋଇଥିଲେ ।

Leave a Reply