ଏହି ଷ୍ଟାରଙ୍କୁ କେବେ ମିଳିନି ଶ୍ରେଷ୍ଠ ଅଭିନେତାର ଫିଲ୍ମଫେୟାର ପୁରସ୍କାର

ଫିଲ୍ମ ଫେୟାର ଆୱାର୍ଡ। ଫିଲ୍ମ ଇଣ୍ଡଷ୍ଟ୍ରିରେ ଏ ହେଉଛି ସବୁଠୁ ଲୋକପ୍ରିୟ। ହିନ୍ଦୀ ଫିଲ୍ମ ପାଇଁ ବିଭିନ୍ନ ବର୍ଗରେ ଦିଆଯାଉଥିବା ଏହି ପୁରସ୍କାର ୧୯୫୪ ମସିହାରୁ ଆରମ୍ଭ ହୋଇଛି। ଅନେକ ବଡ଼ ବଡ଼ ଷ୍ଟାର ଏହି ପୁରସ୍କାର ପାଇଛନ୍ତି। ସବୁଠୁ ଅଧିକ ଫିଲ୍ମଫେୟାର ଆୱାର୍ଡ଼ ପାଇଛନ୍ତି ବଲିଉଡର କିଙ୍ଗ୍ ଶାହାରୁଖ ଖାନ। ତାଙ୍କ ପରେ ଦିଲ୍ଲୀପ କୁମାର ଶ୍ରେଷ୍ଠ ଅଭିନେତା ଭାବେ ୮ ଥର ଏହି ପୁରସ୍କାର ହାତେଇଛନ୍ତି। ଅମିତାଭ ବଚ୍ଚନ ୫ ଥର ଶ୍ରେଷ୍ଠ ଅଭିନେତା ଭାବେ ଏହି ପୁରସ୍କାର ପାଇଛନ୍ତି। ଏମାନଙ୍କ ବ୍ୟତୀତ ନୂଆ ପୂରୁଣା ବହୁ ଅଭିନେତା ବେଷ୍ଟ ଆକ୍ଟର ଭାବେ ଏହି ପୁରସ୍କାର ହାତେଇଛନ୍ତି। କିନ୍ତୁ ଅନେକ ଷ୍ଟାର ଏପରି ଅଛନ୍ତି ଯେଉଁମାନେ କୋଟି କୋଟି ସିନେପ୍ରେମୀଙ୍କ ହୃଦୟ ତ ଜିତିଛନ୍ତି, ହେଲେ ସେମାନେ କେବେ ବେଷ୍ଟ ଆକ୍ଟର ଭାବେ ଫିଲ୍ମ ଫେୟାର ଆୱାର୍ଡ ପାଇ ନାହାନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ଜାଣିବା।

ଧର୍ମେନ୍ଦ୍ର: ଭାରତୀୟ ସିନେମାର ଜଣେ ପ୍ରଖ୍ୟାତ ତଥା ବରିଷ୍ଠ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଧର୍ମେନ୍ଦ୍ର, ଯିଏ ନିଜ ପାଞ୍ଚ ଦଶନ୍ଧିର ଫିଲ୍ମ କ୍ୟାରିୟର୍ରେ ୨୫୦ ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ଇଣ୍ଡଷ୍ଟ୍ରିକୁ ଶୋଲେ, ୟାଦୋ କି ବାରାତ୍, ଜିବନ ମୃତ୍ୟୁ ପରି ଅଗଣିତ ସୁପର ହିଟ୍ ଫିଲ୍ମ ଦେଇଛନ୍ତି| କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ଧମେନ୍ଦ୍ର ଶେଷ୍ଠ ଅଭିନେତା ଭାବରେ ଫିଲ୍ମ ଫେୟାର ପୁରସ୍କାର ଜିତି ନାହାଁନ୍ତି । କିନ୍ତୁ, ଭାରତୀୟ ସିନେମାରେ ଅବଦାନ ପାଇଁ ସେ 1997 ରେ ଫିଲ୍ମ ଫେୟାର ଲାଇ ଟାଇମ ଆଚିଭମେଣ୍ଟ ପୁରସ୍କାର ପାଇଥିଲେ।
ସଲମାନ ଖାନ୍: ବଲିଉଡର ଦବଙ୍ଗ ଖାନ ସଲମାନଙ୍କ ପ୍ରାୟ ସବୁ ଫିଲ୍ମ ବକ୍ସ ଅଫିସ୍‌ରେ ସୁପରହିଟ୍‌ ହୋଇଥାଏ। ସେ ବଲିଉଡରେ ଏକମାତ୍ର ଅଭିନେତା ଯାହାଙ୍କର ସର୍ବାଧିକ ଫିଲ୍ମ ବ୍ଲକବଷ୍ଟର ହୋଇଛି। ସଲ୍ଲୁ ମିଆଁଙ୍କର କୋଟି କୋଟି ଫ୍ୟାନ୍ ଅଛନ୍ତି। କିନ୍ତୁ ସେ ଆଜି ପର୍ଯ୍ୟନ୍ତ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇନାହାନ୍ତି। ୧୯୯୯ରେ ସେ ‘କୁଛ୍ କୁଛ୍ ହୋତା ହେ’ ପାଇଁ ଶ୍ରେଷ୍ଠ ସହ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ୧୯୯୦ରେ ‘ମୈନେ ପ୍ୟାର୍‌ କିୟା’ ପାଇଁ ସେ ବେଷ୍ଟ୍ ମେଲ୍ ଡେବ୍ୟୁ ଭାବେ ଏହି ପୁରସ୍କାର ଜିତି ଥିଲେ। ପ୍ରାୟ ୧୦ ଥର ତାଙ୍କ ନାଁ ଶ୍ରେଷ୍ଠ ଅଭିନେତା ଭାବେ ନୋମିନେଟ୍‌ ହୋଇଥିଲା। କିନ୍ତୁ ସେ ଏହି ବର୍ଗରେ କେବେ ପୁରସ୍କାର ପାଇପାରି ନାହାଁନ୍ତି।

ଅକ୍ଷୟ କୁମାର: ବଲିଉଡ୍‌ର ଖିଲାଡି କୁମାର ସବୁ ପ୍ରକାର ଚରିତ୍ରରେ ଅଭିନୟ କରିଛନ୍ତି। ନେଗେଟିଭ୍ ଓ କମେଡି ଚରିତ୍ରରେ ବି ଅଭିନୟକରି ପ୍ରଶଂସିତ ହୋଇଛନ୍ତି ଅକ୍ଷୟ। ଅନେକ ଭଲ ଫିଲ୍ମ କରି ମଧ୍ୟ ଆଜି ପର୍ଯ୍ୟନ୍ତ ଶ୍ରେଷ୍ଠ ଅଭିନେତା ଭାବେ କେବେ ଫିଲ୍ମ ଫେୟାର ପୁରସ୍କାର ଜିତି ନାହାଁନ୍ତି ଅକ୍ଷୟ।  ସେ ବେଷ୍ଟ୍ କମିକ୍‌ ଓ ବେଷ୍ଟ୍ ନେଗେଟିଭ୍ ରୋଲରେ ଥରେ ଲେଖାଏଁ ଏହି ପୁରସ୍କାର ପାଇଛନ୍ତି। ବେଷ୍ଟ ଆକ୍ଟର ଭାବେ ୫ ଥର ନୋମିନେଟ୍ ହୋଇଥିଲେ, କିନ୍ତୁ ଜିତି ପାରି ନଥିଲେ। ତେବେ ସେ ବେଷ୍ଟ୍ ଆକ୍ଟର ଭାବେ ଥରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି।

ସୈଫ ଅଲ୍ଲୀ ଖାନ୍: ରୋମାଣ୍ଟିକ ହିରୋ ହେଉ ଅବା ଖଳନାୟକ ସବୁ ଚରିତ୍ରରେ ଅଭିନୟ କରି ପ୍ରଶଂସା ସାଉଁଟିଛନ୍ତି ବଲିଉଡ୍‌ର ଏହି ଛୋଟେ ନବାବ। ସେ ୬ ଥର ଫିଲ୍ମ ଫେୟାର ଆୱାର୍ଡ ଜିତିଛନ୍ତି। ଏଥିରୁ ଗୋଟିଏ ଥର ନେଗେଟିଭ୍ ରୋଲ୍ ପାଇଁ ଓ ଦୁଇ ଥର କମିକ୍ ରୋଲ୍ ପାଇଁ। ବେଷ୍ଟ ଆକ୍ଟର ଭାବେ ସେ ଦୁଇ ଥର ନୋମିନେଟ୍ ହୋଇଥିଲେ ବି କେବେ ଜିତି ପାରି ନଥିଲେ।

ଅଜୟ ଦେଭଗନ୍: ଆକ୍ସନ ହେଉ ଅବା କମେଡି ସବୁ ଚରିତ୍ରକୁ ନିଖୁଣ ଭାବେ କରନ୍ତି ଅଜୟ। ତାଙ୍କ ଅଭିନୟରେ ରହିଛି ଏକ ଭିନ୍ନ ଷ୍ଟାଇଲ୍‌। ଅଜୟ ଅନେକ ସୁପରହିଟ ସିନେମା ଦେଇଥିଲେ ମଧ୍ୟ କେବେ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ଆୱାର୍ଡ ପାଇ ନାହାଁନ୍ତି। ଅବଶ୍ୟ ସେ ନେଗେଟିଭ୍ ରୋଲ, ବେଷ୍ଟ୍ ମେଲ୍ ଡେବ୍ୟୁ ଓ କ୍ରିଟିକ୍ସ ଆୱାର୍ଡ କାଟେଗୋରିରେ ତିନି ଥର ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି। ଏଥିସହ ଶ୍ରେଷ୍ଠ ଅଭିନେତା ଭାବେ ସେ ଦୁଇ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ୧୯୯୮ରେ ‘ଜଖମ’ ଓ ୨୦୦୨ରେ ‘ଦ ଲିଜେଣ୍ଡ ଅଫ୍ ଭଗତ ସିଂହ’ ପାଇଁ ସେ ଏହି ପୁରସ୍କାର ପାଇଥିଲେ।

ସୁନୀଲ ସେଟ୍ଟୀ: ସମୟ ଥିଲା ସୁନୀଲ ସେଟ୍ଟୀଙ୍କ ସିନେମା ଦେଖିବା ଲାଗି ଦର୍ଶକ ପାଗଳ ଥିଲେ। କେବଳ ଆକ୍ସନ ନୁହେଁ, କମେଡି ଫିଲ୍ମରେ ମଧ୍ୟ କାମ କରିଛନ୍ତି ସୁନୀଲ। କିନ୍ତୁ ସେ କେବେ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ଆୱାର୍ଡ ପାଇନାହାନ୍ତି। ସେ କେବଳ ଥରେ ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି। ତାହା ପୁଣି ବେଷ୍ଟ୍ ନେଗେଟିଭ୍ ରୋଲ୍ ପାଇଁ। ୨୦୦୧ରେ ‘ଧଡ଼କନ୍’ ଫିଲ୍ମ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା।

Leave a Reply