ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆସିପାରେ ମହାଭିଯୋଗ ପ୍ରସ୍ତାବ

ଓ୍ୱାଶିଂଟନ୍: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆସିପାରେ ମହାଭିଯୋଗ ପ୍ରସ୍ତାବ | ଆମେରିକାର କ୍ୟାପିଟାଲ ବିଲ୍ଡିଂରେ ଘଟିଥିବା ହିଂସା ପାଇ ହ୍ୱାଇଟ୍‌ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର ୩ ସଦସ୍ୟ ଟ୍ରମ୍ପଙ୍କ ବିରୋଧରେ ସୋମବାର ଦିନ ମହାଭିଯୋଗ ଆର୍ଟିକିଲ ଆଗତ କରିପାରନ୍ତି |

କଂଗ୍ରେସର ମିଳିତ ଅଧିବେଶନରେ ଇଲେକ୍ଟୋରାଲ କଲେଜ ଭୋଟ ଗଣତି ଚାଲିଥିବା ବେଳେ ଟ୍ରମ୍ପ ସମର୍ଥକମାନେ ହିଂସା ଘଟାଇଥିଲେ | ଟ୍ରମ୍ପ ଜାଣିଶୁଣି ଆମେରିକାର ସରକାରଙ୍କ ବିରୋଧରେ ହିଂସାକୁ ଉସକାଇଥିଲେ ବୋଲି ଅଭିଯୋଗ ହୋଇଛି | ଏଥିଯୋଗୁ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ ବୋଲି ଡେମୋକ୍ରାଟ୍‌ ସାଂସଦ ଟେଡ୍‌ ଲିଉ ସୂଚନା ଦେଇଛନ୍ତି |

ଟ୍ରମ୍ପଙ୍କୁ ବହିଷ୍କାର କରାଯିବା ସହ ପୂନର୍ବାର ସେହି ପଦ ପାଇ ଅଯୋଗ୍ୟ ଘୋଷଣା କରାଯିବାକୁ ଉକ୍ତ ଆର୍ଟିକିଲରେ ଉଲ୍ଲେଖ ରହିଛି | ଆମେରିକର ଇତିହାସରେ ଟ୍ରମ୍ପ ୩ୟ ରାଷ୍ଟ୍ରପତି ଭାବେ ମହାଭିଯୋଗ ପ୍ରସ୍ତାବର ସାମ୍ନା କରିବେ | ପୂର୍ବରୁ ବିଲ୍‌ କ୍ଲିଣ୍ଟନ ଓ ଆଣ୍ଡ୍ରିୟୁ ଜନଶନ ଏହାର ସମ୍ମୁଖୀନ ହୋଇଥିଲେ । ସାମ୍ବିଧାନ ଭଙ୍ଗ ନେଇ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଦିଆଯିବ ବୋଲି ଗୃହ ବାଚସ୍ପତି ନାନସୀ ପେଲୋସି କହିଛନ୍ତି |

ସୂଚନାଯୋଗ୍ୟ, ନିକଟରେ କଂଗ୍ରେସର ଇଲୋକ୍ଟ୍ରାଲ କଲେଜ ବୈଠକ ପୂର୍ବରୁ ସଂସଦ ପରିସରରେ ଟ୍ରମ୍ପ ସମର୍ଥକ ହଙ୍ଗାମା କରିଥିଲେ। ଯେଉଁଥିରେ ଅନେକ ଆହତ ହୋଇଥିବା ବେଳେ ଗୁଳିମାଡରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ହେଲେ ପରର୍ବତ୍ତୀ ସମୟରେ ଏହି ସଂଖ୍ୟା ବଢିଥିଲା । ଏପରିକି ସ୍ଥିତି ଅଣାୟତ ହେବାରୁ ଓ୍ୱାଶିଂଟନ ଡିସିରେ କର୍ଫ୍ୟୁ ଜାରି କରାଯାଇଥିଲା ।

ଆମେରିକା ସଂସଦରେ ଟ୍ରମ୍ପ ସମର୍ଥକଙ୍କ ହିଂସା ପରେ ଟ୍ରମ୍ପଙ୍କ ଆକାଉଣ୍ଟକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଥିଲା ଟ୍ୱିଟର । ଜାତୀୟ ସଂହତି ଏବଂ ସାମାଜିକ ଶାନ୍ତିରେ ବ୍ୟାଘାତ ସୃଷ୍ଟି କରିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଟ୍ରମ୍ପଙ୍କ ଆକାଉଣ୍ଟକୁ ସସପେଣ୍ଡ କରିବା ପାଇଁ ଆମେରିକାର ୨କୋଟିରୁ ଅଧିକ ଲୋକ ଅନଲାଇନ୍‌ ଦସ୍ତଖତ ଅଭିଯାନ କରିଥିଲେ । ଟ୍ୱିଟର ସିଇଓ ଜ୍ୟାକ‌ଙ୍କୁ ଟ୍ରମ୍ପଙ୍କ ଆକାଉଣ୍ଟ ଅଚଳ କରିବା ପାଇଁ ସାରା ବିଶ୍ୱରୁ ଟ୍ୱିଟ୍ ହୋଇଥିଲା । ୨୦୧୯ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସଂପର୍କିତ ଅନେକ ବିଭ୍ରାନ୍ତିକର ତଥ୍ୟ ଟ୍ରମ୍ପଙ୍କ ଆକାଉଣ୍ଟରୁ ଟ୍ୱିଟ୍ ହୋଇଥିଲା  ବୋଲି ସେ ପ୍ରକାଶ କରିଛନ୍ତି।

ଜାଣନ୍ତୁ, କ’ଣ ଏହି ମହାଭିଯୋଗ ପ୍ରସ୍ତାବ ?

ଆମେରିକା ସମ୍ବିଧାନ ମୁତାବକ ରାଷ୍ଟ୍ରପତିଙ୍କ ବିରୋଧରେ ଦେଶଦ୍ରୋହ, ଲାଞ୍ଚ ନେବା ଏବଂ ଅନ୍ୟ ଗମ୍ଭୀର ଅପରାଧ ପାଇଁ ମହାଭିଯୋଗ ଅଣାଯାଇଥାଏ । ମହାଭିଯୋଗ ଅଧିନରେ ତଦନ୍ତ ପରେ ଅପରାଧର ପ୍ରମାଣ ପାଇବା ପରେ ସଂସଦର ନ୍ୟାୟ କମିଟି ନିକଟକୁ ପଠାଯାଇଥାଏ । ଏହି ସମିତି ତଦନ୍ତ, ଶୁଣାଣୀ, ଡ୍ରାଫ୍ଟ କରିବା ପରେ ସମସ୍ତ ତଥ୍ୟ ସିନେଟର ସଦସ୍ୟ ମାନଙ୍କୁ ହସ୍ତାନ୍ତର କରିଥାଏ । ଏହାପରେ ନିଷ୍ପତ୍ତି ନିଆଯାଇଥାଏ ଯେ ଦଣ୍ଡ ଦିଆଯିବ ନା ନାହିଁ । ଏହି ପ୍ରକ୍ରିୟାରେ ପ୍ରାୟ ୩ ମାସ ସମୟ ଲାଗିଥାଏ । ବର୍ତ୍ତମାନ ଯେହେତୁ କ୍ୟାପିଟାଲ ହିଲ ଉପରେ ଆକ୍ରମଣ ହୋଇଛି, ତେଣୁ ଡେମୋକ୍ରେଟିକର ସଦସ୍ୟ ମାନେ ତଦନ୍ତର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।

Leave a Reply