ଚାକିରି ନାହିଁ କିନ୍ତୁ ବ୍ୟାଙ୍କ ବାଲାନ୍ସ ୯ କୋଟିରୁ ଅଧିକ, ହୋଟେଲ ବିଲ୍ ୯୦ ଲକ୍ଷ

ଭୁବନେଶ୍ୱର: ବାପା ଜଙ୍ଗଲରୁ ଟଙ୍କା ଗୋଟାଉଥିଲେ । ପୁଅ କଂକ୍ରିଟ୍ ଜଙ୍ଗଲରେ ଶିକାର ଖୋଜୁଥିଲେ । ଏବେ ଭିଜିଲାନ୍ସ ବାପା ପୁଅଙ୍କ ଧନ୍ଦାର ଗୋଲକଧନ୍ଦାର ଖୋଲୁଛି ଗୁମର । ଟଙ୍କାର ପାହାଡ ଉପରେ ପାଠକ ବାପପୁଅଙ୍କ ଜୋଡି ଚକା ପକାଇ ବସିଥିଲା । ଏତେ ଟଙ୍କା ଯେ, ରଖିବାକୁ ଜାଗା ନଥିଲା । ପୁଣି ଭୁବନେଶ୍ୱରରୁ ପୁନା ପୁଣି ପାଟନା,ସବୁଠି ପାଠକ ଫ୍ୟାମିଲି ପ୍ରାଇମ୍ ଲୋକେସନରେ ପକେଇଛନ୍ତି ଜାଗା । କୋଉଠି ଖାଲି ପ୍ଲଟ୍ କୋଉଠି ଘର ହୋଇ ଭଡାରେ ଲାଗିଛି ।

ଭଡା କଥା ଶୁଣିଲେ କାନ ତାବଦା ହେବ । ଫାର୍ମ ହାଉସ ଓ ପ୍ଳାଟରୁ ପାଉଥିଲେ ମାସିକ କୋଟିଏ ଟଙ୍କା । ପୁନାର ଗଡ୍ସ ବ୍ଲେସିଂ ଆପାର୍ଟମେଣ୍ଟରେ ଗୋଟିଏ ଫ୍ଲାଟର ଦାମ ପାଖାପାଖି ୧୨ କୋଟି । ଭୁବନେଶ୍ୱରରେ ରହିଛି ପ୍ଲଟ,ଫ୍ଲାଟ୍ । ପୁନାରେ ଫାର୍ମ ହାଉସ । ପାଟନାରେ ବି ପ୍ଲଟ୍ । ଯେଉଁଠି ଯେଉଁଠି ପାଠକ ଫ୍ୟାମିଲିର ଲିଙ୍କ୍ ଅଛି ସେଇଠି ଅଛି ଫ୍ଲାଟ୍,ପଡିଛି ପ୍ଲଟ୍ ।

ଦୋ ନମ୍ବରୀ ଟଙ୍କାକୁ ସାଇତିବାକୁ ପାଠକ ପରିବାରକୁ ଘର ନିଅଣ୍ଟ ଥିଲା । ତେଣୁ ୨୦ ଲକ୍ଷ ଟଙ୍କା ପିପିଲିରେ ରହୁଥିବା ଡ୍ରାଇଭରଙ୍କ ଅଳିଆ ଗଦାରୁ ମିଳିଛି । ଡ୍ରାଇଭରଙ୍କ ଅଳିଆ ଗଦାରୁ ଯଦି ୨୦ ଲକ୍ଷ ମିଳୁଛି ତେବେ ପାଠକଙ୍କ ଡାର୍ଟି ମନିର ପରିମାଣ କେତେ ହୋଇଥିବ ସହଜରେ ଅନୁମାନ କରିହେବ ।

ବାପା ସରକାରୀ ପଦକୁ ବ୍ୟବହାର କରି ଟଙ୍କା ତିଆରି କରୁଥିଲେ । ପୁଅ ବାପାଙ୍କୁ ବ୍ୟବହାର କରି ଇଜି ମନିର ରାସ୍ତା ଖୋଜିଥିଲେ । ବାପାଙ୍କ ଭଳି ପୁଅ ଆକାଶ ମଧ୍ୟ ଲୋକଙ୍କୁ ଠକି ନିଜ ବ୍ୟାଙ୍କ ବାଲାନ୍ସ ବଢାଉଥିଲେ । ଚାକିରି ନଥିଲା କିନ୍ତୁ ଆକାଶଙ୍କ ଥାଟ୍ କିଛି କମ୍ ନଥିଲା । ଆକାଶଙ୍କ ଆକାଉଣ୍ଟ କହୁଛି ତାଙ୍କ କଳା କାରନାମାର କଥା । ଆକାଶଙ୍କ ଆକାଉଣ୍ଟରେ ଅଛି ପାଖାପାଖି ୧୦ କୋଟି ଟଙ୍କା । ସେଥି ମଧ୍ୟରୁ ୮ କୋଟି ୪୦ ଲକ୍ଷ ଟଙ୍କା ଭୁବନେଶ୍ୱରରେ ଜମା କରାଯାଇଛି ।

କଳା ଟଙ୍କାରେ ଅଭୟକାନ୍ତଙ୍କ ଫ୍ୟାମିଲି ଅଏସ କରୁଥିଲା  । ହୋଟେଲ ତାଜ୍ ବିଲ୍ କହୁଛି ସେଇ ଅଏସର କଥା । ହୋଟେଲ ତାଜ୍ ବିଲ୍ ଥିଲା ୯୦ ଲକ୍ଷ ଟଙ୍କା । ତାଜ୍ ବିଲ୍ ଯଦି କମ୍ ଲାଗୁଛି ତେବେ ପାଠକ ପିତାପୁତ୍ରଙ୍କ ଗାଡି ସୌକ୍ ବି କହିଲେ ନସରେ । ଗ୍ୟାରେଜରେ ରହିଛି ମର୍ସିଡିଜ୍,ବିଏମଡବ୍ଲୁ ଓ ଟାଟା ହ୍ୟାରିୟର ।

Leave a Reply