ଟ୍ୱିଟ୍ କରି କର୍ଫ୍ୟୁ, କଟକଣା ନାଁରେ କମିଶନରରେଟ ପୋଲିସର ହିଟଲରି ଶାସନ !

ଭୁବନେଶ୍ୱର: କେନ୍ଦ୍ର ନିୟମ ପାଳନ ଆଳରେ ଘଡ଼ିକୁ ଘୋଡ଼ା ଛୁଟୁଛି କମିଶନରେଟ ପୋଲିସରେ । କୌଣସି ନିୟମ ଲାଗୁ କରିବା ପୂର୍ବରୁ ଲୋକଙ୍କୁ ଅବଗତ ନ କରାଇ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେବା କମିଶନରେଟ୍‌ ପୋଲିସର ନିତିଦିନିଆ ଘଟଣା ହୋଇଯାଇଛି । ଯାହା ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟ କରୁଛି । କରୋନା ଯୋଦ୍ଧାର ଆଖ୍ୟା ପାଇଥିବା ପୋଲିସ ହୁଏତ ଭୁଲି ଯାଇଛି ଯେ ଗଣମାଧ୍ୟମ ଓ ଜରୁରୀକାଳୀନ ସେବା ପ୍ରଦାନକାରୀ ବି କୌଣସି ଯୋଦ୍ଧା ଠାରୁ କମ୍‌ ନୁହନ୍ତି ।

ଲକଡାଉନ 1.0ରେ ରାସ୍ତାରେ ବିନା କାମରେ ଯେଉଁ ଲୋକ ବୁଲୁଥିଲେ, ସେମାନଙ୍କୁ ଲାଠି ମାଡ଼ କଲେ ଡିସିପି ନିର୍ମଳ ଶତପଥି ।

ଲକଡାଉନ 2.0: ଲାଠିମାଡ଼ ସହ ହାତରେ ପ୍ଲାକାର୍ଡ ଧରାଇଲା ପୋଲିସ । ପ୍ଲାକାର୍ଡରେ ଲେଖାଥିଲା, ମୁଁ ଦେଶର ଶତ୍ରୁ ।

ଲକଡାଉନ 3.0: ମେ ୪ ତାରିଖ । ହଠାତ୍‌ କର୍ଫ୍ୟୁ ଜାରି । ଜୁରୁରୀକାଳୀନ ସେବା ପ୍ରଦାନକାରୀ ବି ପୋଲିସ ଆକ୍ରୋଶରୁ ପଡ଼ିଲେନି ବାଦ୍‌ ।

ତେବେ, କର୍ଫ୍ୟୁ କେବେ ହେଲା ? ସେ କଥା ରାଜଧାନୀବାସୀ ଜାଣିପାରିଲେନି । କାରଣ ବିଜ୍ଞପ୍ତି ବଦଳରେ ଟ୍ୱିଟ୍ କଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ରାତି ୭ରୁ ସକାଳ ୭ଟା ଯାଏଁ ଲୋକେ ପଦାକୁ ନବାହାରିବାକୁ ଜଣାଇଲେ । ସଂଧ୍ୟା ୬ଟା ବାଜି ୪୧ ମିନିଟ୍‌ରେ ଟ୍ୱିଟ୍ କଲେ । ଆଉ କଟକଣା ତତ୍‌କ୍ଷଣାତ୍ ଲାଗୁ ହେଲା । ଲୋକ ପ୍ରତିନିଧି ବି କର୍ଫ୍ୟୁ ସଂପର୍କରେ ଅବଗତ ନଥିଲେ । ଯେତେବେଳେ ପୋଲିସ୍‌ ଅଟକାଇଲେ, କର୍ଫ୍ୟୁ କଥା ଜାଣିପାରିଲେ ବିଧାୟକ ।

ଏବେ, କର୍ଫ୍ୟୁକୁ ଭଲ ଭାବେ ଜଣାଗଲାଣି । ହେଲେ ରାଜଧାନୀ ରାସ୍ତାରେ ଯାହାକୁ ବି ଦେଖିଲେ, ତାକୁ ଅଟକାଇଲେ ପୋଲିସ । ଜରୁରୀକାଳୀନ ସେବା ପ୍ରଦାନକାରୀ, ପାସ୍‌ ଥିବା ଲୋକ ସମସ୍ତେ ପୋଲିସ ଦୁର୍ବ୍ୟବହାରର ଶିକାର ହେଲେ । ଏବେ ରାଜଧାନୀବାସିନ୍ଦା ପୋଲିସ୍‌ କମିଶନରଙ୍କୁ ପଚାରିଛନ୍ତି ୭ଟି ପ୍ରଶ୍ନ ।

୧) କରୋନା ଯୋଦ୍ଧା କଣ କେବଳ ପୋଲିସ ?

୨) ଜରୁରୀକାଳୀନ ସେବା ପ୍ରଦାନକାରୀ କଣ କରୋନା ଯୋଦ୍ଧା ନୁହଁନ୍ତି ?

୩) ପୋଲିସ ଦେଇଥିବା ପାସଧାରୀଙ୍କୁ ବି କଣ ଅଟକାଯିବ ?

୪) ରୁଟିନ୍‌ ଚେକ୍‌ ନାଁରେ ପୋଲିସର ଦୁର୍ବ୍ୟବହାର କଣ ଗ୍ରହଣୀୟ ?

୫) ପୋଲିସ କମିସନରଙ୍କ ବ୍ୟକ୍ତିଗତ ଟ୍ୱିଟ୍ କଣ ସରକାରୀ ବିଜ୍ଞପ୍ତି ?

୬) ରାଜଧାନୀରେ କର୍ଫ୍ୟୁ ଲାଗୁ ହେବାର ୨ ଦିନ ପରେ କାହିଁକି ବିଜ୍ଞପ୍ତି ପ୍ରକାଶ କଲେ କମିଶନର ?

୭) ଆଇନ୍ ନାଁରେ ପବ୍ଲିସିଟି ଷ୍ଟଣ୍ଟ କରିବାକୁ ଚେଷ୍ଟା କରୁଛନ୍ତି କି ପୋଲିସ କମିଶନର ?

କଣ୍ଟେନମେଣ୍ଟ ଏରିଆରେ ସିଲିଂ ପରେ ଟିଭି ନ୍ୟୁଜ୍ ଚ୍ୟାନେଲରେ ଘନ ଘନ ସାକ୍ଷାତକାର ଦେବାକୁ ଲାଗିଲେ ପୋଲିସ କମିଶନର ଓ ତାଙ୍କ ଟିମ୍‌ । ପ୍ରାମାଣିକ ଚଳଚ୍ଚିତ୍ରରେ ଡିସିପି ନିର୍ମଳ ଶତପଥି ଲୋକଙ୍କୁ ସଚେତନ କରିବା ନାଁରେ ପବ୍ଲିସିଟି ଷ୍ଟଣ୍ଟ ବି କଲେ । ହେଲେ ଯେବେ ରାଜଧାନୀବାସୀଙ୍କ ଦ୍ୱନ୍ଦ୍ୱ ଦୂର କରିବା ସମୟ ଆସିଲା, ପଛଘୁଞ୍ଚା ଦେଲେ । ଯେଉଁଠି ଜରୁରୀକାଳୀନ ସେବାପ୍ରଦାନକାରୀଙ୍କୁ ଛାଡ଼ିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି, ସେଠାରେ ଚେକିଂକୁ ଆଳ କରି ହଇରାଣ କରିବାର ଅଧିକାର କମଶନରେଟ ପୋଲିସକୁ ଦେଲା କିଏ ?

Leave a Reply