‘ମିଛ କହି ବଙ୍ଗଳାବାସୀଙ୍କୁ ଅପମାନିତ କରୁଛନ୍ତି ଶାହା’

1 min read

କୋଲକାତା: ରାଜନୀତିର ଘମାସନରେ ପଶ୍ଚିମବଙ୍ଗଳା । ଆକ୍ରମଣ- ପ୍ରତିଆକ୍ରମଣର ଯୁଦ୍ଧରେ ରଙ୍ଗାୟିତ ହୋଇଛି ରଣଭୂମୀ । ବେଙ୍ଗଲରେ ଶାହାଙ୍କ ଗର୍ଜନ ଏବଂ ଦିଦିଙ୍କ କମ୍ପନ ଏବେ ସମଗ୍ର ଦେଶରେ ଶୁଭା ଗଲାଣି । ଟିଏମସି-ବିଜେପିର ରାଜନୈତିକ ପ୍ରସ୍ତୁତି ସ୍ପଷ୍ଟ କରୁଛି, ଏଥର ନିର୍ବାଚନ ହେବ ଜୋରଦାର । ଦୁଇ ଦଳ ମଧ୍ୟରେ ହେବ ଜୋରସୋର ଲଢେଇ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କରିଛନ୍ତି ତୀବ୍ର ଭର୍ତ୍ସନା ।

ଶାହା ମିଥ୍ୟା କହିବାରେ ଅଭ୍ୟସ୍ତ । ପଶ୍ଚିମବଙ୍ଗ ବାସୀଙ୍କୁ ଅପମାନ କରିଛନ୍ତି ଶାହା, ତେଣୁ ରାଜ୍ୟବାସୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖି କହିଛନ୍ତି ମମତା ବାନାର୍ଜୀ । ରାଜ୍ୟରେ ଜିଲ୍ଲାପାଳ ଠାରୁ ଆରମ୍ଭ କରି ପଞ୍ଚାୟତ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଦିନ ରାତ୍ରି କାର୍ଯ୍ୟ କରୁଛନ୍ତି । ଅଧିକାରୀ ମାନେ ରାତି ୯ ଟା ପର୍ଯ୍ୟନ୍ତ ନିଜ ନିଜର ଦାୟିତ୍ବ ତୁଲାଉଛନ୍ତି । କିନ୍ତୁ ଦେଶର ଗୃହମନ୍ତ୍ରୀ ଭାବେ ରାଜ୍ୟକୁ ହିଂସାଯୁକ୍ତ ଏବଂ ଅରାଜକତା କହିବା କେତେଦୂର ଠିକ ବୋଲି ପ୍ରଶ୍ନ କରିଛନ୍ତି ମମତା ବାନାର୍ଜୀ ।

ଶନିବାର ପଶ୍ଚିମବଙ୍ଗରେ ପାଦ ଥାପିଥିଲେ ଗୃହମନ୍ତ୍ରୀ ଅମିତ ଶାହ । ମେଦିନପୁର ମୈଦାନରୁ ହିଁ ପ୍ରଥମ ଦିନରୁ ଦିଦିଙ୍କୁ ବଡ଼ ଧକ୍କା ଦେଇଥିଲେ ଶାହ । ଟିଏମସିର ଡାହାଣ ହାତ କୁହାଯାଉଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଦଳରେ ସାମିଲ କରିଥିଲେ ଶାହ । ଏହାସହ ୯ ଜଣ ବିଧାୟକ ଓ ତମାମ ନେତାଙ୍କୁ ବିଜେପି ଶିବିରରେ ପ୍ରବେଶ କରାଇଥିଲେ ଗୃହମନ୍ତ୍ରୀ । ସେହିପରି ଶନିବାର, ରବିବାର ଦୁଇ ଦିନ ଧରି ବଙ୍ଗଳାରେ ରାଜନୈତିକ କାର୍ଯ୍ୟକ୍ରମ ଜାରି ରଖିଥିଲେ । ଏକ ରୋଡ ସୋ ରେ ଯୋଗଦେବା ଅବସରରେ ଅମିତ ଶାହା କହିଥିଲେ, ମୁଁ ଜୀବନରେ ଏତେ ବିଶାଳ ରୋଡ ସୋ ଦେଖିନାହିଁ । ସାଧାରଣ ଲୋକଙ୍କ ଉତ୍ସାହ ଓ ଆଗ୍ରହ ଏବଂ ଯୋଗଦାନ ନିଶ୍ଚେ ଆସନ୍ତା ନିର୍ବାଚନରେ ସରକାର ପରିବର୍ତ୍ତନ କରିବ ବୋଲି କହିଥିଲେ ଶାହ ।

ମା-ମାଟି-ମନୁଷର କଥା କହି ରାଜନୀତିକୁ ଆସିଥିବା ତୃଣମୂଳ କଂଗ୍ରେସ ଆଜି ମା-ମାଟିକୁ ଭୁଲି ଯାଇଛି । ଅରାଜକତା ଏବଂ ହିଂସ୍ର ହୋଇଯାଇଥିବା କହିଥିଲେ ଶାହ । ଯାହାକୁ ଆଜି ସାମ୍ବାଦିକ ସମ୍ମିଳନୀରେ ଆକ୍ଷେପ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଦି କହିଛନ୍ତି, ଲୋକେ କେବଳ ଶାହଙ୍କୁ ଦେଖିବାକୁନ ଆସିଥିଲେ । ସେହି ଲୋକ ଆସନ୍ତା ବର୍ଷ ନିର୍ବାଚନରେ ଭୋଟ ଦେବାକୁ ଯାଉଛନ୍ତି । କିନ୍ତୁ ସମସ୍ତେ କଣ ବିଜେପିକୁ ଭୋଟ ଦେବେ ବୋଲି ପଚାରିଛନ୍ତି ମମତା ବାନର୍ଜୀ ।

Leave a Reply