୬ ମାସ ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ, ବିଜେପି-ଟିଏମସି ଆରମ୍ଭ କଲେଣି ପ୍ରସ୍ତୁତି

କୋଲକତା : ପୂର୍ବ ଭାରତର ଅନ୍ୟତମ ପ୍ରମୁଖ ରାଜ୍ୟ ପଶ୍ଚିମବଙ୍ଗ । ଆଉ ୬ ମାସ ପରେ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଦୀର୍ଘ ୧୦ ବର୍ଷ ହେବ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ(ଟିଏମସି) ଏଠାରେ ଶାସନ କରୁଛି । ଏହା ପୂର୍ବରୁ ୩୪ ବର୍ଷ ବାମ ମେଣ୍ଟ ସେଠାରେ ଶାସନ କରିଥିଲା । ହେଲେ ଏହି ସମୟରେ ଗଙ୍ଗା ନଦୀରେ ଅନେକ ପାଣି ବୋହିଗଲାଣି । ଦଶନ୍ଧି ପୂର୍ବରୁ ଯେଉଁ ରାଜନୈତିକ ସ୍ଥିତି ରହିଥିଲା । ତାହା ଆଉ ନାହିଁ । ସେଠାରେ ରାଜନୈତିକ ପରିସ୍ଥିତିରେ ପରିବର୍ତ୍ତନ ଆସିଛି ।

ଏକଦା ସେଠାରେ ଆସ୍ଥାନ ଜମାଇବା ପାଇଁ ବାଟ ଖୋଜୁଥିବା ବିଜେପି ଗତ ଲୋକସଭାରେ ୧୮ଟି ଆସନ ଜିତି ପତିଆରା ଜାହିର କରିଛି । ବାମ ମେଣ୍ଟ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । କଂଗ୍ରେସ କୌଣସି ମତେ ନିଜ ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ କରୁଛି । କହିବାକୁ ଗଲେ ଟିଏମସି ହାତରୁ ପଶ୍ଚିମବଙ୍ଗ କୌଣସିମତେ ଛଡାଇବାକୁ ବିଜେପି ପ୍ରାଣପ୍ରଣେ ଉଦ୍ୟମ କରୁଛି । ଟିଏମସି ମଧ୍ୟ କୌଣସି ମତେ ନିଜ ବିଜୟର ଧାରା ବଞ୍ଚାଇବାକୁ ଚାହୁଁଛି । ତେଣୁ ଆଗାମୀ ପଶ୍ଚିମବଙ୍ଗ ନିର୍ବାଚନ ଉପରେ ସାରା ଦେଶର ରାଜନୈତିକ ବର୍ଗର ନଜର ରହିବ ।

ଆଜି ବିଜେପି ନିର୍ବାଚନ ରଣନୀତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛି । ସାରା ରାଜ୍ୟକୁ ୫ଟି ସାଙ୍ଗଠନିକ ଭାଗ ଭାବେ ବିଭକ୍ତ କରାଯାଇଛି । ଏହାର ଅଧ୍ୟକ୍ଷ ଭାବେ ଜଣେ ଜଣେ ଅଭିଜ୍ଞ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ତ୍ରିପୁରାରେ ବିଜେପି ବିଜୟ ପାଇଁ ମୁଖ୍ୟ ଭୂମିକା ସୁନୀଲ ଦେଓଧର ସଙ୍ଗଠନ କାର୍ଯ୍ୟ କରୁଛନ୍ତି । ସେହିଭଳି କୈଳାସ ବିଜୟବର୍ଗୀୟ, ଅରବିନ୍ଦ ମେନନ ପ୍ରମୁଖ ସାଙ୍ଗଠନିକ କାର୍ଯ୍ୟ କରୁଛନ୍ତି ।

ଅପରପକ୍ଷରେ ଟିଏମସି ନିଜର ସାଙ୍ଗଠନିକ କାର୍ଯ୍ୟ ସହ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ନେଇଛି । କେତେକ ନେତା ତୃଣମୂଳ କଂଗ୍ରେସ ମଧ୍ୟରେ ଅସନ୍ତୁଷ୍ଟ ରହିଛନ୍ତି । ସେମାନଙ୍କୁ ମନାଇବା ପାଇଁ ପ୍ରୟାସ ଜାରି ରହିଛି । ଏମିତି କି କେତେକ ନେତା ପ୍ରଶାନ୍ତ କିଶୋରଙ୍କ ଭୂମିକା ନେଇ ଅସନ୍ତୁଷ୍ଟ ଥିବା ଜଣାପଡିଛି । ଟିଏମସିର ଶୀର୍ଷ ନେତୃତ୍ୱର ନିକଟତମ ବ୍ୟକ୍ତିବିଶେଷ ଶୁଭେନ୍ଦୁ ଅଧିକାରୀ ମଧ୍ୟ ଏଥିରେ ସାମିଲ ବୋଲି ଶୁଣିବାକୁ ମିଳିଛି । ନିକଟ ଅତୀତରେ ତାଙ୍କୁ ମନାଇବା ପାଇଁ ପ୍ରଶାନ୍ତ କିଶୋର ଚେଷ୍ଟା କରିଥିଲେ । ହେଲେ ବିଫଳ ହୋଇଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଜଣେ ମନ୍ତ୍ରୀଙ୍କ ସହଯୋଗରେ ପି.କେ ଭେଟିଥିବା କୁହାଯାଇଛି । ଟିଏମସି ବିଧାୟକ ନିୟାମତ ଶେଖଙ୍କ କହିବାନୁଯାୟୀ, ପିକେ କଣ ଆମକୁ ରାଜନୀତି ଶିଖାଇବେ । ଆଇ ପ୍ୟାକ୍ ନାମକ ଜଣେ ସଂସ୍ଥା ଆମକୁ ନିର୍ଦ୍ଦେଶ ଦେବ । ଏହା ତାଙ୍କୁ ବ୍ୟଥିତ କରିଛି ବୋଲି ଶେଖ କହିଛନ୍ତି । ସେହିପରି ମିହିର ଗୋସ୍ୱାମୀ ଅସନ୍ତୋଷ ବ୍ୟକ୍ତି କରିବା ସବ ବିଭିନ୍ନ ପଦରୁ ଇସ୍ତଫା ଦେଇଛନ୍ତି । ଟିଏମସିର ଏହି ଆଭିମୁଖ୍ୟକୁ ନେଇ ଭାଜପା ଦିଲ୍ଲୀପ ଘୋଷ କହିଛନ୍ତି ଯେ, ଦଳ ଚଳାଇବା ପାଇଁ ଭାଜପା କାର୍ଯ୍ୟକର୍ତ୍ତା ଅଛନ୍ତି । କାହାକୁ ଭଡା ଆଣିବାକୁ ପଡେ ନାହିଁ ।

 

 

Leave a Reply