ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମ୍‌ସିକୁ ଝଟ୍‌କା: ଦଳ ଛାଡ଼ିଲେ ବିଧାୟକ

କୋଲକାତା: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏ ନେଇ ରାଜ୍ୟରେ ଶାସକ୍ ଦଳ ଟିଏମ୍‌ସି ଓ ବିଜେପି ମଧ୍ୟରେ ବଳ କଷା କଷି ଚାଲିଥିବା ବେଳେ ରାଜନୈତିକ ପାଣିପାଗ ସରଗରମ୍ ରହିଛି । ତେବେ ଏହାରି ମଧ୍ୟରେ ଶାସକ ଦଳ ଟିଏମ୍‌ସିରେ ବଢ଼ିବାରେ ଲାଗିଛି ବିଦ୍ରୋହ । ପୂର୍ବତନ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଦଳର ବରାକ୍‌ପୁର ବିଧାୟକ ଶୀଳଭଦ୍ର ଦତ୍ତ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳୀୟ ସୁପ୍ରିମୋ ମମତା ବାନାର୍ଜୀଙ୍କ ନିକଟକୁ ପଠାଇଛନ୍ତି । ନିଜ ଇସ୍ତଫା ପତ୍ରରେ ସେ, ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସର ସଦସ୍ୟ ଏବଂ ଦଳର ସମସ୍ତ ପଦପଦବୀରୁ ଇସ୍ତଫା ଦେଇଥିବା ଲେଖିଛନ୍ତି । ଶ୍ରୀ ଦତ୍ତ ପୂର୍ବରୁ ଦଳ ପକ୍ଷରୁ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପ୍ରଶାନ୍ତ କିଶୋର ଏବଂ ତାଙ୍କ ଟିମ୍ ସହ ସାକ୍ଷାତ କରିବାକୁ ମନା କରିଦେଇଥିଲେ ।

ଏଥିସହ ପଢ଼ନ୍ତୁ: ଟିଏମ୍‌ସି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫାକୁ ବାଚସ୍ପତିଙ୍କ ଅଗ୍ରାହ୍ୟ

            ସେହିପରି ଗୁରୁବାର ପାଣ୍ଡବେଶ୍ୱର ବିଧାୟକ ଜିତେନ୍ଦ୍ର ତିଓ୍ୱାରୀ ଏବଂ ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର  ସଭାପତି ଉଭୟ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ଗତ କିଛି ଦିନ ତଳେ ଶ୍ରୀ ତିଓ୍ୱାରୀ ସହରାଞ୍ଚଳ ବିକାଶ ମନ୍ତ୍ରୀ ଫରିଦ ହାକିମଙ୍କ ନିକଟକୁ ଚିଠି ଲେଖି ସ୍ମାର୍ଟ ସିଟି ପ୍ରକଳ୍ପ ନେଇ ୨ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଅଟକାଇ ରଖିଥିବା ଅଭିଯୋଗ କରିଥିଲେ । ଏହାରି ମଧ୍ୟରେ ଟିଏମ୍‌ସି ସାଂସଦ ସୁନିଲ ମଣ୍ଡଳ ଏବଂ ପଶ୍ଚିମବଙ୍ଗ ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ ମଧ୍ୟ ଦଳ ବିରୋଧରେ ମୁହଁ ଖୋଲିଛନ୍ତି ।

Leave a Reply