ବାଲେଶ୍ୱର ଉପନିର୍ବାଚନ: କ’ଣ କହୁଛି ଇତିହାସ, ସର୍ବାଧିକ ଥର କେଉଁ ଦଳ ଜିତିଛି ଏହି ଆସନ…ଜାଣନ୍ତୁ

1 min read

ବାଲେଶ୍ୱର: ବାଲେଶ୍ୱର ସଦର ଆସନରୁ ପ୍ରତିନିଧିତ୍ୱ କରୁଥିବା ବିଜେପି ନେତା ମଦନମୋହନ ଦତ୍ତଙ୍କ ପରଲୋକ ହୋଇଛି । ଏହା ପରେ ଉକ୍ତ ଆସନ ଖାଲି ପଡିଥିଲା । ଯାହାର ଉପନିର୍ବାତନ ନେଇ ମଙ୍ଗଳବାର ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ନଭେମ୍ବର ୩ରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସେହିପରି ସେହି ମାସ ୧୦ରେ ଭୋଟ ଗଣତି ମଧ୍ୟ କରାଯିବ । ତାରିଖ ଘୋଷଣା ହେବା ସଙ୍ଗେ ସଙ୍ଗେ ବାଲେଶ୍ୱର ସମେତ ତିର୍ତ୍ତୋଲରେ ମଧ୍ୟ ଆଚରଣ ବିଧି ଲାଗୁ ହୋଇଛି ।

ତିର୍ତ୍ତୋଲ ଅପେକ୍ଷା ବାଲେଶ୍ୱର ଆସନକୁ ନେଇ ରାଜ୍ୟ ରାଜନୀତି ମହଲରେ ଚର୍ଚ୍ଚା ଅଧିକ ରହିଛି । ବିଗତ କିଛିବର୍ଷର ରାଜନୀତିକୁ ଯଦି ଅନୁଶୀଳନ କରାଯାଏ, ତେବେ ଉପନିର୍ବାଚନରେ ବିଜେଡି ହାରିନାହିଁ । ହେଲେ ଏହି ଆସନଟି ଭାଜପା ନିକଟରେ ରହିଛି । ଏହି ଆସନ ଥିବା ଲୋକସଭା ଆସନରୁ ଜିତି ପ୍ରତାପ ଷଡଙ୍ଗୀ କେନ୍ଦ୍ରରେ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି । ତେଣୁ ବାଲେଶ୍ୱର ଲଢେଇ ଭାଜପା ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ସେହିପରି ବାଲେଶ୍ୱର ଲୋକସଭା ଏବଂ ବିଧାନସଭାରେ ୨୦୧୯ରେ ପରାଜୟ ଗ୍ରହଣ କରିଥିବା ବିଜେଡି ଏହାକୁ ଜିତି ନିଜ ଆସନ ସଂଖ୍ୟା ଆଉ ଗୋଟିଏ ବୃଦ୍ଧି କରିବାକୁ ଚାହିଁବ । ଏକଦା ସମଗ୍ର ବାଲେଶ୍ୱର ଜିଲାକୁ କଂଗ୍ରେସର ଗଡ଼ ବୋଲି କୁହାଯାଉଥିଲା । ହେଲେ ଗତ ଲୋକ ସଭା ନିର୍ବାଚନରେ ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ନଭଜ୍ୟୋତି ପଟ୍ଟନାୟକ ଅମାନତ ରକ୍ଷା କରିପାରି ନ ଥିଲେ । ବାଲେଶ୍ୱର ବିଧାନସଭା ଆସନରେ ମଧ୍ୟ କଂଗ୍ରେସର ପ୍ରଦର୍ଶନ ଉତ୍ସାହଜନକ ନ ଥିଲା । ତେଣୁ ଆଗାମୀ ନିର୍ବାଚନ ଦ୍ୱିମୁଖୀ ଲଢେଇ(ବିଜେଡି-ବିଜେପି) ହେବ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି ।

ତେବେ କଣ କହୁଛି ବାଲେଶ୍ୱର ଆସନର ଇତିହାସ । ୧୯୫୧ରୁ ୨୦୧୯ ମଧ୍ୟରେ ୧୬ ଥର ନିର୍ବାଚନ ହୋଇଛି । ଏଥିରେ କଂଗ୍ରେସ ୪, ଭାଜପା ୨ ଥର , ଓଡ଼ିଶା ଗଣପରିଷଦ ଏବଂ ସ୍ୱାଧୀନପ୍ରାର୍ଥୀ ଥରେ ଥରେ  ବିଜୟୀ ହୋଇଛନ୍ତି । ସେହପରି ସିପିଆଇ ୩ ଥର ବିଜୟୀ ହୋଇଥିବା ବେଳେ ପ୍ରଜାସୋସିଆଲିଷ୍ଟ ପାର୍ଟି ୨ ଥର ବିଜୟୀ ହୋଇଛି । ସେହିପରି ବିଜେଡି ୨ ଥର ଏବଂ ଜନତା ପାର୍ଟି ଥରେ ବିଜୟୀ ଲାଭ କରିଛି । ୧୯୯୭ରେ ବିଜେଡି ଗଠନ ହେବା ପରେ ୨୦୦୦ରେ ବିଜେଡି-ବିଜେପି ମେଣ୍ଟ ପ୍ରାର୍ଥୀ ଭାବେ ଜୀବନ ପ୍ରଦୀପ ଦାଶ ଏବଂ ୨୦୦୪ରେ ବିରୋଧୀ ମେଣ୍ଟ ଓଜିପିର ପ୍ରାର୍ଥୀ ଅରୁଣ ଦେ ବିଜୟୀ ହୋଇଛନ୍ତି । ସେହିପରି ୨୦୦୯ ଏବଂ ୨୦୧୪ରେ ବିଜେଡି ପ୍ରାର୍ଥୀ ଭାବେ ଜୀବନ ପ୍ରଦୀପ ଦାଶ ବିଜୟୀ ହୋଇଥିଲେ । ଶେଷଥର ୨୦୧୯ରେ ଏହି ଆସନରୁ ବିଜେପିର ମଦନମୋହନ ଦତ୍ତ ବିଜୟୀ ହୋଇଥିଲେ ।

ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ଦତ୍ତ ପ୍ରାୟ ୪୭.୨୬ ପ୍ରତିଶତ ଭୋଟ ସହ ୭୪,୮୧୫ ଭୋଟ ପାଇଥିଲେ । ସେହିପରି ବିଜେଡି ପ୍ରାର୍ଥୀ ୩୮.୭୯ ପ୍ରତିଶତ ଭୋଟ ସହ ୬୧,୪୦୯ ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ମାନସ ରଞ୍ଜନ ଦାସପଟ୍ଟନାୟକ ୧୨.୪୫ ପ୍ରତିଶତ ଭୋଟ ସହ ୧୯୭୦୪ ଖଣ୍ଡ ଭୋଟ ପାଇଥିଲେ । ଉପନିର୍ବାଚନରେ ଦ୍ୱିମୁଖୀ ଲଢେଇ ହେଲେ କଂଗ୍ରେସ ଭୋଟ ଅନ୍ୟ ଦଳକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି ।  ଏହା ପୂର୍ବ ଅର୍ଥାତ ୨୦୧୪ରେ ଏହି ଆସନ ପାଇଁ ଚର୍ତୁକୋଣୀୟ ପ୍ରତିଯୋଗିତା ହୋଇଥିଲା । କଂଗ୍ରେସରୁ ଅରୁଣ ଦେ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ବିଦ୍ରୋହୀ ଭାବେ ମାନସ ଦାସ ପଟ୍ଟନାୟକ ନିର୍ବାଚନ ଲଢିଥିଲେ ।

Leave a Reply