ରାଜଧାନୀରେ ଅମାନବୀୟ କାଣ୍ଡ, ସ୍ତ୍ରୀକୁ ପିଟି ପିଟି ମାରିଦେଲା ମଦ୍ୟପ ସ୍ୱାମୀ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁରରେ ସ୍ତ୍ରୀକୁ ପିଟିପିଟି ମାରିଦେଲା ମଦ୍ୟପ ସ୍ୱାମୀ । ପାରିବାରିକ କଳହକୁ ନେଇ ମୈତ୍ରୀବିହାର ଲକ୍ଷ୍ମୀପୁର ସାନ୍ତାଳ ବସ୍ତିରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ସ୍ୱାମୀ । ମୃତ ମହିଳା ହେଲେ ମାମିନା ପୁର୍ତ୍ତି(୩୦) । ସ୍ୱାମୀ ରଙ୍ଗ୍‌ଲାଲ ପୁର୍ତ୍ତିକୁ ଅଟକ ରଖିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ସନ୍ଧ୍ୟା ହୋଇଯାଇଥିବାରୁ ଶୁକ୍ରବାର ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ହତ୍ୟାକାଣ୍ଡର ଖିଅ ଖୋଜିବା ଆରମ୍ଭ କରିଛି । ରାତିସାରା ମୃତଦେହକୁ ସେଠାରେ ଜଗି ରହିଥିଲା ପୋଲିସ ।

ପଡୋଶୀଙ୍କ କହିବା ଅନୁଯାୟୀ ରଙ୍ଗ୍‌ଲାଲ ପେଷାରେ ଜଣେ ରାଜମିସ୍ତ୍ରୀ । ପ୍ରାୟ ସମୟ ମଦ ପିଇ ଆସି ସ୍ତ୍ରୀଙ୍କୁ ମାଡ଼ ମାରନ୍ତି । ଏନେଇ ପୂର୍ବରୁ ମଧ୍ୟ ଥାନାରେ ଅଭିଯୋଗ ହୋଇଥିଲା । ରଙ୍ଗ୍‌ଲାଲ ଯାହା ଟଙ୍କା ରୋଜଗାର କରନ୍ତି ସବୁ ମଦ ପିଇ ଉଡାଇ ଦିଅନ୍ତି । ଯାହାକୁ ନେଇ ଘରେ ସବୁବେଳେ ଅଶାନ୍ତି ଲାଗିରହେ ।

ଗୁରୁବାର ସକାଳେ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ପରେ ପଡୋଶୀ ଆସି ଦେଖିଲା ବେଳକୁ ମାମିନା ଘର ଚଟାଣରେ ପଡିଛନ୍ତି । ଏନେଇ ପଡୋଶୀ ଚନ୍ଦ୍ରଶେଖରପୁର ଥାନାକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ତଦନ୍ତ କରିଛି । କୌଣସି କାରଣରୁ ସ୍ତ୍ରୀକୁ ରଙ୍ଗଲାଲ ପିଟି ପିଟି ମାରି ଦେଇଥିବା ପୋଲିସ କହିଛି । ହେଲେ ମାମିନାଙ୍କ ଦେହରେ କୌଣସି କ୍ଷତ ଚିହ୍ନ ମିଳିନାହିଁ । ଶୁକ୍ରବାର ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିବା ପରେ ହତ୍ୟାକାଣ୍ଡର ପ୍ରକୃତ ତଥ୍ୟ ଜଣାପଡିବ ବୋଲି ପୋଲିସ କହିଛି । ରଙ୍ଗଲାଲଙ୍କୁ ପୋଲିସ ଅଟକ ରଖିଛି ।

Leave a Reply