ଷ୍ଟାଡିୟମରୁ ସିଲଭର ସ୍କ୍ରିନ୍: ପଢ଼ନ୍ତୁ ମହିଳା କ୍ରିକେଟର ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ସଂଘର୍ଷର କାହାଣୀ

1 min read

ନାଁ ରୁ ହିଁ ଜଣା ପଡ଼ିଥାଏ ବ୍ୟକ୍ତିତ୍ୱର ଚରିତ୍ର ଓ ଚିନ୍ତାଧାରା। ଯିଏ ସୁନ୍ଦର, ଯିଏ ଅସାଧାରଣ, ଯିଏ ଉତ୍କୃଷ୍ଟ ସିଏ ହିଁ ଦିବ୍ୟ। ଇଏ ଆଉ କେହି ନୁହଁନ୍ତି ଓଡ଼ିଶାର ଗର୍ବ ତଥା ଅନ୍ତର୍ଜାତୀୟ କ୍ରିକେଟର ସୁଶ୍ରୀ ଦିବ୍ୟ ଦର୍ଶିନୀ । ବୟସରେ ସିନା ସାନ ହେଲେ ନିଜର ନିଷ୍ଠା , ପରିଶ୍ରମ ଓ ଶିଖିବାର ଆଗ୍ରହ ଯ଼ୋଗୁ ସେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ମହିଳା କ୍ରିକେଟରେ ଏବେ ସବୁଠୁ ଚର୍ଚ୍ଚିତ ତାରକା ହେଉଛନ୍ତି ସୁଶ୍ରୀ ଦିବ୍ୟଦର୍ଶନୀ। ରାଜ୍ୟ ସ୍ତରରେ ଆକର୍ଷଣୀୟ ପ୍ରଦର୍ଶନ କରି କିଛି ବର୍ଷ ଧରି ଲଗାତାର ଭାରତୀୟ-ଏ ଦଳରେ ନିୟମିତ ସଦସ୍ୟ ହୋଇପାରିଛନ୍ତି । କ୍ରିକେଟ ତାଙ୍କର ଜୀବନ, କ୍ରିକେଟରୁ ତାଙ୍କୁ ମିଳେ ଖୁସି, ଆଉ କ୍ରିକେଟ୍‌ ବ୍ୟାଟ ଧରିଲେ ଆସିଯାଏ ଶକ୍ତି । ମାତ୍ର ୯ ବର୍ଷ ବୟସରୁ କ୍ରିକେଟ ପ୍ରେମରେ ପଡିଯାଇଥିଲେ ଦିବ୍ୟ ଦର୍ଶିନୀ। ୨୦୦୯ ରେ ଜାଗୃତୀ କ୍ରିକେଟ୍‌ ଏକାଡେମୀ ସହ ଜୋଡିହେବା ପରେ ଆରମ୍ଭ ହୋଇଥିଲା ତାଙ୍କର କ୍ରୀକେଟ୍‌ ଅଭିଯାନ। ୨୦୦୯ ରୁ ୨୦୧୯ ଏହାରି ଭିତରେ ୧୦ ବର୍ଷ ବିତିଯାଇଛି। ଅନେକ ଥର ଭାରତୀୟ ଦଳ ପକ୍ଷରୁ ପ୍ରତନିଧିତ୍ୱ କରି ବହୁ ସଫଳତା ସାଉଁଟିଛନ୍ତି ଦିବ୍ୟଦର୍ଶିନୀ । ଏପର୍ଯ୍ୟନ୍ତ ସୁଦ୍ଧା ସେ ୬ ଥର ଭାରତୀୟ-ଏ ଦଳରେ ସ୍ଥାନ ପାଇ ରେକର୍ଡ କରିସାରିଛନ୍ତି।

ଦିନ ଥିଲା ଦିବ୍ୟ ଦର୍ଶିନୀ ଭାବୁଥିଲେ କ୍ରିକେଟ୍‌ ଖେଳ କେବଳ ପୁଅ ମାନଙ୍କର ଖେଳ। ଯ଼ଦି ଝିଅ ମାନେ କ୍ରିକେଟ୍‌ ଖେଳିବେ ତେବେ ପୁଅ ମାନଙ୍କ ସହିତ ହିଁ ଖେଳିପାରିବେ, ଝିଅ ମାନଙ୍କ ପାଇଁ ସ୍ୱତନ୍ତ୍ର ବର୍ଗରେ କ୍ରିକେଟ୍‌ ଖେଳ କିଛି ନଥାଏ। ଏହି ଧାରଣା ଯ଼ୋଗୁ ପିଲାଟି ଦିନରୁ ସେ ପୁଅ ମାନଙ୍କ ସହିତ କ୍ରିକେଟ ଖେଳିଆସୁଥିଲେ।

୨୦୧୧ରେ ଦିବ୍ୟଦର୍ଶିନୀ ପ୍ରଥମ ଥର ପାଇଁ ଓଡ଼ିଶା ମହିଳା ଦଳରେ ସ୍ଥାନ ପାଇଥିଲେ। ସେହି ବର୍ଷ ତାଙ୍କ ପ୍ରଦର୍ଶନ ମଧ୍ୟ ବେଶ ଭଲ ଥିଲା। ଏହାପରେ ୨୦୧୩ ରେ ଦିବ୍ୟଦର୍ଶିନୀଙ୍କୁ ଭାରତୀୟ A ଦଳରୁ ମିଳିଥିଲା ଡାକରା। ପ୍ରଥମ ମ୍ୟାଚରୁ ତାଙ୍କର ପ୍ରଭାବୀ ପ୍ରଦର୍ଶନ ସମସ୍ତଙ୍କୁ ଆକୃଷ୍ଟ କରିଥିଲା। ଏହା ପରେ ସେ ଆଉ ପଛକୁ କେବେ ଫେରି ଚାହିଁ ନାହାନ୍ତି। ଏପର୍ଯ୍ୟନ୍ତ ସୁଦ୍ଧା ସେ ୬ ଥର ଭାରତୀୟ-A ଦଳରୁ ପ୍ରତିନିଧିତ୍ୱ କରିସାରିଲେଣି ।

ଭାରତୀୟ ଦଳରେ ଜଣେ ଅଲରାଉଣ୍ଡର ଭାବେ ସ୍ଥାନ ପାଇଥିବା ଦିବ୍ୟଦର୍ଶିନୀ ସବୁ ବିଭାଗ, ବ୍ୟାଟିଂ ବୋଲିଂ ଓ ଫିଲ୍ଡିଂ ରେ ବେଶ ପାରଙ୍ଗମ। ଡାହାଣ ହାତୀ ଏହି ସ୍ପେଷ୍ଟାଲିଷ୍ଟ ସ୍ପିନର କିନ୍ତୁ ବୋଲିଂ ଅପେକ୍ଷା ବ୍ୟାଟିଂ କରିବାକୁ ଅଧିକ ଭଲ ପାଅନ୍ତି।

ଏହି କ୍ରିକେଟରଙ୍କ ଭିତରେ ଆଉ ଏକ ଚମତ୍କାର ଚରିତ୍ର ଲୁଚିକି ରହିଛି ଯାହା ହୁଏତ ଆପଣ ଜାଣିନଥିବେ। ଏବଂ ଜାଣିଲେ ନିଶ୍ଚୟ ଚକିତ ମଧ୍ୟ ହେବେ। ଏହି ଅନ୍ତର୍ଜାତୀୟ ମହିଳା କ୍ରିକେଟର୍‌ ଫିଲ୍ମ ଦୁନିଆରେ ମଧ୍ୟ ପାଦ ଥାପି ସାରିଛନ୍ତି। ତାମିଲ ସିନେମାର ସପୁର ହିଟ୍‌ ‘କାନା’ ଫିଲ୍ମରେ ଅଭିନୟ କରି ଦିବ୍ୟଦର୍ଶିନୀ ନିଜ ପ୍ରତିଭାର ଆଉ ଏକ ପରିଚୟ ଦେଇଛନ୍ତି। ସେ ଏହି ଫିଲ୍ମରେ ଭାରତୀୟ ମହିଳା ଦଳର ଅଧିନାୟକ ଚରିତ୍ରରେ ଅଭିନୟ କରିଥିଲେ। କ୍ରିକେଟ୍‌ ଖେଳ ଉପରେ ଆଧାରିତ ଏହି ଫିଲ୍ମ ସୁପରହିଟ ହେବା ସହ ଏହାର ରିମେକ୍ସ ତେଲଗୁ ଭାଷାରେ ମଧ୍ୟ ଏବେ ତିଆରି ଚାଲିଛି।

ଆରମ୍ଭରୁ ପାଖାପାଖି ୨୦ କିମି ସାଇକେଲ ଚଲାଇ କୋଚିଂ ପାଇଁ ଯିବା ଆସିବା କରୁଥିଲେ ଦିବ୍ୟଦର୍ଶନୀ। ଏହାସହ ଦୈନ୍ୟନ୍ଦିନ ଡେଲି ଡାଏରୀ ମଧ୍ୟ ମେଣ୍ଟେନ କରୁଥିଲେ ସେ। ଖେଳ ପ୍ରତି ଥିବା ନିଷ୍ଠା ଓ ଭଲପାଇବା ସହ ଶୃଙ୍ଖଳିତ ବ୍ୟବହାର ପାଇଁ ସେ ଆଜି ଏହି ଜାଗାରେ ପହଞ୍ଚି ପାରିଛନ୍ତି। ଆଜିର ଦିନରେ ଅନେକ ଝିଅ କ୍ରିକେଟକୁ କ୍ୟାରିୟର ରୂପେ ଗଢିତୋଳିବାକୁ ଆଗ୍ରହ ପ୍ରକାଶ କରୁଥିବା ବେଳେ ଦିବ୍ୟଦର୍ଶନୀ ସେମାନଙ୍କ ପାଇଁ ଉଦାହରଣ ହୋଇପାରିଛନ୍ତି।

 ଦେବୀପ୍ରସନ୍ନ ପାଣିଗ୍ରାହୀଙ୍କ ରିପୋର୍ଟ  ')}

2 thoughts on “ଷ୍ଟାଡିୟମରୁ ସିଲଭର ସ୍କ୍ରିନ୍: ପଢ଼ନ୍ତୁ ମହିଳା କ୍ରିକେଟର ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ସଂଘର୍ଷର କାହାଣୀ

Leave a Reply