spot_img

Latest Posts

ଆଉ ଦୁଇଦିନ ଛେଚିବ ବର୍ଷା

ନନ୍ଦିଘୋଷ ବ୍ୟୁରୋ: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଏହି ଲଘୁଚାପର ପ୍ରଭାବ ଆଉ ଦୁଇଦିନ ରହିବ । ୧ ତାରିଖରୁ ବର୍ଷାର ପରିମାଣ କମିଲେ ବି କିଛି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡିଶାରେ ହେବ କାଳବୈଶାଖୀ ବର୍ଷା । କାଲି ଅତି ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ସୁନ୍ଦରଗଡ, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସବୁ ଜିଲ୍ଲାରେ ୭୦ ରୁ ୨ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଆଜି ମୟୁରଭଞ୍ଜ ଓ କେନ୍ଦୁଝରରେ ଅତି ପ୍ରବଳ ବର୍ଷା ସହ ଉତ୍ତର ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ପ୍ରଭାବରେ କିଛି ସ୍ଥାନରେ ଆକସ୍ମିକ ବନ୍ୟାର ପରିସ୍ଥିତି ସୃଷ୍ଟିହେବା ସହ ଦୃଶ୍ୟମାନ ଦୂରତା କମିବ । ଉପକୂଳରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୩ ଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ୧ ତାରିଖରୁ ବର୍ଷାର ପରିମାଣ କମିବ । ଏହା ପରେ ୪ ରୁ ପୁଣି ବଢିବ ବର୍ଷା । ଗତ ୨୪ ଘଣ୍ଟାରେ ୧୦ ଟି ସ୍ଥାନରେ ପ୍ରବଳ ସହ ୩ ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି । ନୟାଗଡ଼ ଭାପୁରରେ ସର୍ବାଧିକ ୧୭୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେପଟେ ଜୁନ ୧ ତାରିଖ ରୁ ଆଜି ସୁଦ୍ଧା ରାଜ୍ୟରେ ୩୦ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ଦୁଇଟି ଜିଲ୍ଲା ବାଲେଶ୍ବର ଏବଂ ମୟୁରଭଞ୍ଜରେ ନିଅଣ୍ଟିଆ ସ୍ଥିତି ଉତ୍କଟ ଥିବାବେଳେ ୧୭ଟି ଜିଲ୍ଲାରେ ୨୦ ରୁ ୫୯ ପ୍ରତିଶତ କମ୍ ବର୍ଷା ହୋଇଛି ।

Latest Posts

Don't Miss