ପୁରୀ: ଆଜି ଆଷାଢ଼ ମାସ କୃଷ୍ଣ ଚତୁର୍ଦଶୀ ତିଥି। ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁସାରେ ଦତ୍ତମହାପାତ୍ର ଓ ଦଇତାପତି ସେବକମାନେ ଶ୍ରୀନଅରକୁ ଖଡି ପ୍ରସାଦ ବିଜେ କରାଇବେ। ରୂପା ଥାଳିରେ ମହାପ୍ରଭୁଙ୍କ ଲାଗି ଫୁଲ, ତୁଳସୀ ଓ ତିନି ରୂପା ପିଙ୍ଗଣରେ ଖଡି ପ୍ରସାଦ ବିଜେ କରାଇବେ। ଶ୍ରୀନଅରରେ ଖଡି ପ୍ରସାଦ ବିଜେ ନୀତି ପରେ ରାଜଗୁରୁଙ୍କ ହସ୍ତରୁ ଶାଢି ନେଇ ପାଟ୍ଟଶାଣୀ ସେବକ ତଳୁଚ୍ଛ, ଦେଉଳକରଣ, ବେହେରା ଖୁଣ୍ଟିଆ, ପତିମହାପାତ୍ର ଓ ତିନି ବାଡର ଦଇତାପତିଙ୍କୁ ଶାଢି ବାନ୍ଧିବେ। ସ୍ନାନବେଦିରେ ୧୦୮ ଗରା ଅଧିବାସ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ି ମହାପ୍ରଭୁ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଅବସ୍ଥାନ କରୁଥିଲେ। ଦଇତାପତିମାନେ ଅଣସର ଘରେ ନାନାଦି ଗୁପ୍ତନୀତି ସଂପାଦନ କରିବା ପରେ ଅସୁସ୍ଥ ମହାପ୍ରଭୁ ଏହା ଭିତରେ ସୁସ୍ଥ ହୋଇଛନ୍ତି। ମହାପ୍ରଭୁଙ୍କଠାରେ ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ ପରେ ଅସୁସ୍ଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବଜ୍ର, ସଶକ୍ତ ଓ ସୁଶୋଭିତ ପାଇଁ ଶ୍ରୀମନ୍ଦିରକୁ ଖଳି ବିଜେ କରାଯାଇଥିଲା। ତିନି ଠାକୁରଙ୍କ ମୁଖ୍ୟ ଶୁଦ୍ଧ ସୁଆର ସେବକମାନେ ଖଳି ପ୍ରସାଦକୁ ନିଜ ନିଜ ଘରେ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ବିଜେ କରିବା ପରେ ଏହାକୁ ମହାପ୍ରଭୁଙ୍କୁ ବିଳମ୍ବିତ ରାତିରେ ଲାଗି କରାଯାଇଥିଲା। ପରମ୍ପରା ମୁତାବକ ରାଜନଅରକୁ ରାଜପ୍ରସାଦ ବିଜେ ନୀତି ସଂପନ୍ନ ପରେ ଆଜି ଖଡ଼ିପ୍ରସାଦ ବିଜେ କରାଯିବ।

