ପୁରୀ: ଭୁବନେଶ୍ୱର, କଟକ, ବଲାଙ୍ଗୀର ପରେ ପୁରୀରେ ଯୁବକଙ୍କ ଭାଇଗିରି ଭିଡିଓ ଭାଇରାଲ୍ । ଟୁଇନ ସିଟି ଓ ବଲାଙ୍ଗୀର ପରେ ଶ୍ରୀକ୍ଷେତ୍ରରେ ବ୍ୟାପିଛି ଭାଇଗିରି ନିଶା । ୫ଟି ଭିଡିଓ ଭାଇରାଲ୍ ହେଉଥିବା ପୋଲିସ ନଜରକୁ ଆସିଛି । କ୍ରାଇମ ପ୍ଲଟ ତିଆରି କରି ସୋସିଆଲ ମିଡିଆରେ ଦେଉଛନ୍ତି ଲୋମ ଟାଙ୍କୁରିବା ଭଳି ଧମକ । ଭିଡିଓ ପୋଷ୍ଟ କରି ପୋଲିସକୁ ଦେଉଛନ୍ତି ଚ୍ୟାଲେଞ୍ଜ । ଚନ୍ଦନପୁର ଥାନା ଅଞ୍ଚଳରେ ଜଣେ ଯୁବକ ୫ଜଣଙ୍କ ଉପସ୍ଥିତିରେ ମରଣାନ୍ତକ ଆକ୍ରମଣ କରିବାର ଭିଡିଓ ଭାଇରାଲ ହୋଇଛି ।
ସେହିପରି ଆଉ ଜଣେ ଯୁବକ ତାଙ୍କ ଷ୍ଟାଟସରେ ଖଣ୍ଡା ଧରି ଫଟୋ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ତେବେ ପୋଲିସ ଭାଇଗିରି ଭାଇରାଲ ଭିଡିଓର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି । ଯାଞ୍ଚ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସପି କନୱର ଵିଶାଲ ସିଂହ କହିଛନ୍ତି । ଗତ କିଛିମାସ ଧରି ପୁରୀ ପୋଲିସ ବେଆଇନ ନିଶା କାରବାର, ଦାଦାବଟି ଆଦାୟକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସୁଛନ୍ତି । ତେବେ କମ ବୟସର ଯୁବକ ଯୁବତୀ ଏଥିପ୍ରତି ଆକର୍ଶିତ ନହୋଇ ପାଠପଢା ଓ ନିଜ କ୍ୟାରିଅର ପ୍ରତି ମନୋନିବେଶ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

