ଡେଡ୍ ଲାଇନ୍ ସରିଲା, ବ୍ରିଜ୍ କାମ ୧୦ ପ୍ରତିଶତ ବି ସରିଲାନି
ରାୟଗଡ଼: ୪ ଦଶନ୍ଧିର ଦାବି ପୂରଣ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଥିଲା ଖୁସି । ବଂଶଧାରା ନଦୀ ଉପରେ ପୋଲ ହେବ । ଗମନାଗମନ ଦୁଃଖ ଦୂର ହେବ । ଏମିତି ଅନେକ କଥା ଚିନ୍ତା କରିଥିଲେ ଲୋକେ । ହେଲେ ଠିକାଦାରଙ୍କ ଖାମଖିଆଲି ଓ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ବ୍ରିଜ୍ କାମର ଡେଡ ଲାଇନ୍ ସରି ଯାଇଥିଲେ ବି ୧୦ ପ୍ରତିଶତ କାମ ହୋଇନି । ଏମିତି ସ୍ଥିତିରେ ଶୀର୍ଘ କାମ ଶେଷ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏମିତି ଏକ ଅଭିଯୋଗ ଆସିଛି ରାୟଗଡା ପଦ୍ମପୁର ନାଇରା ନିକଟରୁ ।
ପୂର୍ତ୍ତବିଭାଗ ପକ୍ଷରୁ ଉକ୍ତ ବ୍ରିଜ୍ କାମ ଚାଲିଛି । ୨୦୨୧ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରିଜ୍ କାମର ଶୁଭ ଦେଇଥିଲେ । ଅଞ୍ଚଳରେ ୪ ଦଶନ୍ଧିର ଦାବି ପରେ ବ୍ରିଜ୍ କାମକୁ ପାଇଁ ମିଳିଥିଲା ସରକାରୀ ଅନୁମତି । ଏହା ଭିତରେ ଦୁଇ ବର୍ଷରୁ ଅଧିକ ସମୟ ବିତିଗଲାଣି । କାମର ଅବଧି ସମୟ ୨୦୨୪ ଜୁଲାଇ ୭ ତାରିଖରୁ ଶେଷ ହୋଇଗଲାଣି, ହେଲେ ବ୍ରିଜ୍ କାମ ସରିଲାଣି । ବ୍ରିଜ୍ ନିର୍ମାଣ ପାଇଁ ୩୫ କୋଟି ୬୨ ଲକ୍ଷ ଅନୁମୋଦନ ହୋଇଥିବା ବେଳେ ଠିକାଦାର ୨୭ କୋଟି ୯୬ ଲକ୍ଷ ଟଙ୍କାରେ ବ୍ରିଜ୍ କାମ ସାରିବାକୁ ପୂର୍ତ୍ତ ବିଭାଗ ସହ ଚୁକ୍ତିନାମା କରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ବ୍ରିଜର ୧୦ ଭାଗ କାମ ବି ସରିନାହିଁ ।
ବ୍ରିଜ୍ ନିର୍ମାଣ ହେଲେ ନଦୀ ଉଭୟ ପାର୍ଶ୍ବର ୨୦ରୁ ଅଧିକ ଗାଁର ଲୋକେ ଉପକୃତ ହେବେ । ପାଠପଢା ପାଇଁ ପିଲାଙ୍କୁ ଯିବା ଆସିବାରେ ସମସ୍ଯା ରହିବନି । ବ୍ୟବସାୟୀଠୁ ଆରମ୍ଭ କରି ଚାଷୀ ସମସ୍ତେ ସୁବିଧା ପାଇବେ । ହେଲେ ସବୁ ଆଶା ଏବେ ଆଶାରେ ରହିଯାଇଛି । ଯାହାକୁ ନେଇ ଲୋକଙ୍କ ମଧ୍ଯରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଗ୍ରାମବାସୀ ପୂର୍ତ୍ତ ବିଭାଗ ସହ ଯୋଗଯୋଗ କରି ଶୀଘ୍ର କାମ ସାରିବାକୁ ଦାବି କରିଛନ୍ତି । ଅନ୍ୟପକ୍ଷେ କାମ ଶୀଘ୍ର ନସରିଲେ ଓପିଡବ୍ଲୁଡି କୋଡ ଅନୁଯାୟୀ କାମରେ ବିଳମ୍ବ ପାଇଁ ଠିକାଦାରଙ୍କ ଉପରେ ଜରିମାନା ଲାଗୁ ହେବ ବୋଲି ରାୟଗଡା ଜିଲ୍ଲାପାଳ କହିଛନ୍ତି ।
