ତୁଳସୀ ପାହାଡ଼ କମ୍ବିଂ ଅପରେସନ: ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି:  ତୁଳସୀ ପାହାଡ଼ ନିକଟରେ ପୋଲିସ- ମାଓବାଦୀ ଗୁଳି ବିନିମୟ ଘଟଣା । ଜବତ ହେଲା ବହୁ ମାଓ ସାମଗ୍ରୀ ଓ ବିସ୍ଫୋରକ । ଗତ ୧୪ତାରିଖରେ ତୁଳସୀ ପାହାଡ଼ ନିକଟ ଡଲଡଲି ଗାଁ ନିକଟରେ ମାଓ ଶିବିର ଚାଲିଥିବା ଖବର ପାଇ କମ୍ବିଂ ଅପରେସନ କରିଥିଲା ମିଳିତ ସୁରକ୍ଷା ବାହିନୀ । ଡିଭିଏଫ, ଏସଓଜି, ଓଡ଼ିଶା ପୋଲିସ ଓ ବିଏସଏଫ ଜବାନ ମିଳିତ ଭାବେ କମ୍ବିଂ ଅପରେସନ କରାଯାଇଥିଲା ।

ଏହି ସମୟରେ ମାଓବାଦୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସକୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ । ଏହାର ଦୃଢ ଜବାବ ଦେଇଥିଲେ ସୁରକ୍ଷା ବାହିନୀ । ଶେଷରେ ପୋଲିସକୁ ସମ୍ନା କରିନପାରି ଘଞ୍ଚ ଜଙ୍ଗଲ ମଧ୍ୟରେ ଖସି ଯିବାକୁ ସକ୍ଷମ ହୋଇଥିଲେ ମାଓବାଦୀ । ପରେ ଘଟଣାସ୍ଥଳରୁ ୮ଟି ଡେଟୋନେଟର, ଗୋଟିଏ ବ୍ୟାଟେରୀ, ୨ ଟି ମାଓ କିଟବ୍ୟାଗ, ୨ହଳ ମାଓ ପୋଷାକ ସହିତ ଔଷଧ କିଟ୍, ଟର୍ଚ୍ଚ ଲାଇଟ, ଛତା, ଜୋତା ସହିତ ଜାରକିନ ଓ ବହୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ ହୋଇଛି ।

ଏନେଇ ମାଲକାନଗିରି ଏସପି ପ୍ରହଲ୍ଲାଦ ସହାଇ ମୀନା ସୂଚନା ଦେଇଛନ୍ତି । ମାଓବାଦୀଙ୍କୁ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଏସପି ଆହ୍ବାନ ଦେଇଛନ୍ତି । ଆତ୍ମସମର୍ପଣ କଲେ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବ ବୋଲି ଏସପି ପ୍ରହଲ୍ଲାଦ ସହାଇ ମୀନା କହିଛନ୍ତି ।

Leave a Reply