ନୂଆଦିଲ୍ଲୀ: ଟି-20 ଅଧିନାୟକ ପଦ ଛାଡିବାକୁ ଯାଉଛନ୍ତି ବିରାଟ କୋହଲି । ବିରାଟଙ୍କର ଏଭଳି ନିଷ୍ପତ୍ତି ଏବେ ସମସ୍ତଙ୍କୁ ଚକିତ କରିଛି । ଅଧିନାୟକ ପଦ ଛାଡିବା ନିଷ୍ପତ୍ତିର କିଛି ଘଣ୍ଟା ପରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି । ବିରାଟ କୋହଲି ରୋହିତ ଶର୍ମାଙ୍କୁ ଦଳର ଉପ-ଅଧିନାୟକ ପଦରୁ ହଟାଇବାକୁ ଚୟନ କମିଟିକୁ ପ୍ରସ୍ତାବ ଦେଇଥିଲେ । ବିରାଟ ଚାହୁଁଥିଲେ, ଦିନିକିଆ ଦଳର ଉପ-ଅଧିନାୟକ ପଦ କେ.ଏଲ୍ ରାହୁଲଙ୍କୁ ହସ୍ତାନ୍ତର କରାଯାଉ । ଏହାସହ ଟି-20 ଫର୍ମାଟରେ ଏହି ଦାୟିତ୍ବ ପନ୍ତଙ୍କୁ ଦିଆଯାଉ । ହେଲେ ଚୟନକର୍ତ୍ତା ବିରାଟଙ୍କ ପ୍ରସ୍ତାବକୁ ନାପସନ୍ଦ କରିଥିଲେ ।
ଜଣେ ପୂର୍ବତନ କ୍ରିକେଟର କହିଛନ୍ତି, ରୋହିତଙ୍କ ଠାରେ ପୂର୍ବତନ କ୍ୟାପ୍ଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ଲକ୍ଷଣ ରହିଛି । କିନ୍ତୁ ବିରାଟ ପାଖରେ ସେମିତି କିଛି ଲକ୍ଷଣ ଦେଖିବାକୁ ମିଳେ ନାହିଁ । ରୋହିତ ଜୁନିଅର ଖେଳାଳୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରନ୍ତି । ଖେଳାଳିଙ୍କ ମାନସିକ ପ୍ରସଙ୍ଗରେ ପଚାରି ବୁଝନ୍ତି । ବିରାଟଙ୍କ ସମସ୍ୟା ହେଉଛି ଯୋଗାଯୋଗ । ବିରାଟ କାହା ସହ ମିଶି ପାରନ୍ତି ନାହିଁ । ମହେନ୍ଦ୍ର ସିଂ ଧୋନି ଅଧିନାୟକ ଥିବାବେଳେ ଜୁନିୟର ଖେଳାଳିଙ୍କ ସହ ମିଶୁଥିଲେ । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଥିଲେ ବୋଲି ପୂର୍ବତନ କ୍ରିକେଟର କହିଛନ୍ତି ।
ବିରାଟଙ୍କ ପରେ କିଏ ହେବେ ଟି ଟ୍ବେଣ୍ଟିରେ ଅଧିନାୟକ । ସବୁ ଦିଗକୁ ଲକ୍ଷ୍ୟ କଲେ ବର୍ତ୍ତମାନର ଉପଅଧିନାୟକ ରୋହିତ ଶର୍ମା ଟି ଟେଣ୍ଟି ଦଳର ଅଧିନାୟକ ହୋଇପାରନ୍ତି । ବିଗତ କିଛି ବର୍ଷ ମଧ୍ୟରେ ରୋହିତ ଟି-୨୦ ଫର୍ମାଟରେ ନିଜକୁ ଅଧିନାୟକ ଭାବେ ଗଢ଼ି ତୋଳିବାରେ ସକ୍ଷମ ହୋଇଛନ୍ତି । ଅନ୍ୟପଟେ ଆଗମୀ ସମୟ ବିରାଟଙ୍କ ପାଇଁ ସହଜ ରହିନପାରେ । କାରଣ ଟେଷ୍ଟ ଓ ଦିନିକିଆରେ ମଧ୍ୟ ବିରାଟଙ୍କ ଆସନ ଉପରେ କଳା ବାଦଲ ଘନଉଛି । ଦୀର୍ଘଦିନ ଧରି ବିରାଟଙ୍କ ଖରାପ ଫର୍ମ ଏବଂ କୌଣସି ଆଇସିସି ଟ୍ରଫି ଜିତିବାରେ ଅକ୍ଷମତା, ବିରାଟଙ୍କ ପାଇଁ ସତର୍କ ଘଣ୍ଟି ବଜେଇସାରିଛି । ଯଦି ରୋହିତ ଶର୍ମାଙ୍କୁ ଟି ଟ୍ବେଣ୍ଟିରେ ଅଧିନାୟତ୍ବ ପଦ ମିଳୁଛି ଏବଂ ସେ ଦଳକୁ ବିଜୟୀ କରେଇବାରେ ସକ୍ଷମ ହେଉଛନ୍ତି ତାହେଲେ ଉଭୟ ଟେଷ୍ଟ ଓ ଦିନିକିଆ ଫର୍ମାଟରେ ରୋହିତଙ୍କୁ ଅଧିନାୟକତ୍ବ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

