ବହୁଚର୍ଚ୍ଚିତ ଓ୍ବାକଫ ଆଇନ ମାମଲାର ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଓ୍ବାକଫ ଆଇନ ମାମଲା। ଓ୍ବାକଫ ସଂଶୋଧନ ଆଇନ-୨୦୨୫ର ସାମ୍ବିଧାନିକ ବୈଧତା ପ୍ରସଙ୍ଗରେ ଦାୟର ହୋଇଥିବା ପ୍ରାୟ ୧୦ଟି ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ପ୍ରଧାନବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଜଞ୍ଜୟ କୁମାର ଓ ଜଷ୍ଟିସ ବିଶ୍ବନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଆବେଦନକାରୀଙ୍କ ମଧ୍ୟରେ ଅଛନ୍ତି ଏଆଇଏମଆଇଏମ ନେତା ଅସଦୁଦିନ ଓବେସୀ, ଆପ ନେତା ଅମାନତୁଲ୍ଲା ଖାଁ, ନାଗରିକ ଅଧିକାର ସୁରକ୍ଷା ମହାସଂଘ ନେତା ଅର୍ସଦ ମଦାନୀ, ଆରଜେଡି ନେତା ମନୋଜ ଝା ପ୍ରମୁଖ।
ଏହାସହ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ଓ ଜମାଏତ ଉଲାମା-ଇ-ହିନ୍ଦ ପକ୍ଷରୁ ବି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ତେବେ କୌଣସି ରାୟ ଆସିବା ପୂର୍ବରୁ ସୁପ୍ରିମକୋର୍ଟରେ ଗତ ଏପ୍ରିଲ ୮ରେ କେନ୍ଦ୍ର ସରକାର ଏକ କାଭିଟ ପିଟିସନ ଦାୟର କରିଥିଲେ। କାଭିଟ ପିଟିସନର ଅର୍ଥ ହେଉଛି ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ କୌଣସି ରାୟ ଦେବା ପୂର୍ବରୁ ପ୍ରତିପକ୍ଷ ଆବେଦନକାରୀଙ୍କ ଯୁକ୍ତିର ତର୍ଜମା କରିବେ । ଏପ୍ରିଲ ୩ରେ ଲୋକସଭାରେ ଓ୍ବାକଫ ସଂଶୋଧନୀ ବିଲ ୨୮୮-୨୩୨ ଭୋଟରେ ଗୃହୀତ ହୋଇଥିଲା । ଏପ୍ରିଲ ୪ରେ ରାଜ୍ୟସଭାରେ ଓ୍ବାକଫ ସଂଶୋଧନ ବିଲ ୧୨୮-୯୫ ଭୋଟରେ ପାସ୍ ହୋଇଥିଲା । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଗତ ଏପ୍ରିଲ ୮ରେ ବିଜ୍ଞପ୍ତି ଜାରି କରିଥିଲେ ସରକାର ।