ଭଦ୍ରକ ମିଠା ବ୍ୟବସାୟୀଙ୍କୁ ଆନ୍ଧ୍ର ସରକାରଙ୍କ GST ନୋଟିସ୍

ଭଦ୍ରକ: ଓଡ଼ିଶାରେ ମିଠା ଦୋକାନ, ଆନ୍ଧ୍ର ସରକାରଙ୍କ ଜିଏସଟି ନୋଟିସ । ଏଭଳି ଏକ ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି ଭଦ୍ରକରେ । 72 ଲକ୍ଷ ଟଙ୍କାର ଟିକସ ଫାଙ୍କି ଥିବା ନେଇ ବାରିପଦା ବ୍ୟବସାୟୀଙ୍କୁ ନୋଟିସ ଆସିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେଉଁ ଫାର୍ମ ନାଁରେ ନୋଟିସ ଦିଆଯାଇଛି , ସେହିଭଳି କୌଣସି ଦୋକାନ କିମ୍ବା କମ୍ପାନୀ ଥିବା ଜାଣି ନାହାନ୍ତି ଦୋକାନୀ ଜଣକ । ତାଙ୍କର କାଗଜପତ୍ରକୁ ଜାଲି କରି କେହି ଟିକସ ଫାଙ୍କି ଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଦୋକାନୀ ।
ସୂଚନା ମୁତାବକ ମିଠା ଦୋକାନୀ ଜଣଙ୍କ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଞ୍ଚଳର ଅଭିଜିତ ପୁଣ୍ଟିଆ । ଅଭିଜିତଙ୍କର ଏକ ମିଠା ଦୋକାନ ରହିଛି । ଅଭିଜିତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଜ କରିବା ପରେ ଘଟଣା ସାମ୍ନାକୁ ଆସିଛି । ଆନ୍ଧ୍ର ପ୍ରଦେଶ ସରକାରଙ୍କ ବିକ୍ରିକର ବିଭାଗ ତରଫରୁ ଅସୁରାଳି ୟୁକୋ ବ୍ୟାଙ୍କକୁ ଏକ ନୋଟିସ ଆସିଥିଲା । ଯେଉଁଥିରେ ଅଭିଜିତ ଟ୍ରେଡ଼ର୍ସ ଓ ପ୍ରିୟା ଏଣ୍ଡ କୋ ନାମକ କମ୍ପାନୀ ନାଁରେ 72 ଲକ୍ଷ 19 ହଜାର 627 ଟଙ୍କାର ଟ୍ୟାକ୍ସ ଫାଙ୍କିଥିବା ନେଇ ନୋଟିସ୍ ଦିଆଯାଇଛି ।
ବ୍ୟାଙ୍କ ଅଭିଜିତଙ୍କ ବ୍ୟାଙ୍କ ଖାତାକୁ ସିଜ କରିଥିବା ବେଳେ ଅଭିଜିତ କହିଛନ୍ତି ଯେ ସେ କିଛି ଜାଣି ନାହାନ୍ତି । କିଏ ଜିଏସଟି ଆକାଉଣ୍ଟ ଖୋଲିଛି ସେ କଥା ମଧ୍ୟ ଜାଣିନାହାନ୍ତି । ତାଙ୍କ କାଗଜପତ୍ରକୁ ଜାଲ କରି କେହି ଠକିଥିବା କହିଛନ୍ତି ଅଭିଜିତ । ଏନେଇ ସେ ଯାଜପୁର ସ୍ଥିତ ଜିଏସ୍ଟି ଅଫିସ ଯାଇ ସାଇବର କ୍ରାଇମର ଶିକାର ହୋଇଥିବା ଜାଣିଛନ୍ତି । ସେ ଧୂସୁରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।