ଆକାଶରେ ମେଘ ଦିଶିପାରେ, ଗର୍ଜିବ କିନ୍ତୁ ବର୍ଷା ହେବନାହିଁ, ଓଡ଼ିଶା ପାଣିପାଗକୁ ନେଇ ଏମିତି କହିଲେ ସ୍କାଇମେଟ୍
ଭୁବନେଶ୍ବର: ରାଜ୍ୟରେ ଗରମରୁ ତ୍ରାହି ମିଳିବା ସମ୍ଭବାନା କମ୍। ଏମିତିକି ଆଗକୁ ଗରମ ଆହୁରି ବଢ଼ିବା ଆଶଙ୍କା ରହିଛି। ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ ସୃଷ୍ଟି ହୋଇପାରେ ଆଉ ଏହାର ପ୍ରଭାବରେ ଓଡ଼ିଶା ଆକାଶରେ ମେଘ ଦିଶିଲେ ବି ତାହା ବର୍ଷା ଦେବ ନାର୍ହି। ଏମିତି କିଛି ଅନୁମାନ କରିଛନ୍ତି ଭାରତର ଅନ୍ୟତମ ପାଣିପାଗ ଗବେଷଣା ସଂସ୍ଥା ସ୍କାଇମେଟ୍।
ପୂର୍ବଭାରତର ପାଣିପାଗ ବିଷୟରେ ପୂର୍ବାନୁମାନ କରି ସ୍କାଇମେଟ୍ କହିଛି ଯେ, ଏହି ଅଞ୍ଚଳରେ ପାଣିପାଗ ସମ୍ବନ୍ଧୀୟ କୌଣସି ପରିବର୍ତ୍ତନ ଲକ୍ଷ୍ୟ କରାଯାଉ ନାହିଁ। କିନ୍ତୁ ପଶ୍ଚିମବଙ୍ଗରେ ଏକ ଲଘୁଚାପ ସୃଷ୍ଟି ହେବ। ହେଲେ ଏହି ଲଘୁଚାପ ଦୁର୍ବଳ ରହିବା ହେତୁ ବର୍ଷା ଆଶଙ୍କା କମ୍ ରହିଛି। ପୁଣି ଏହାରି ପ୍ରଭାବରେ ଓଡ଼ିଶାର ଉତ୍ତାରାଞ୍ଚଳ ଆକାଶରେ ମେଘ ଦେଖାଯାଇପାରେ। ମଧ୍ୟ ଭାରତର ପାଣିପାଗ ସମ୍ପର୍କରେ ପୂର୍ବାନୁମାନ କରି ସ୍କାଇମେଟ୍ କହିଛନ୍ତି ଯେ, ମଧ୍ୟପ୍ରଦେଶ, ଛତିଗଡ଼ ଆଡ଼ୁ ଭୀଷଣ ଗରମ ପବନ ସଡ଼ିଶାଆଡ଼କୁ ପ୍ରବାହିତ ହେବ। ଏହାଦ୍ବାରା ଓଡ଼ିଶାର ତାପମାତ୍ରା ଦିନକୁ ବଢ଼ିବାରେ ଲାଗିବ ।
ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ରି ରିଲିଫ୍ କମିଶନର ମଧ୍ୟ ତାପମାତ୍ରାରେ ବୃଦ୍ଧିକୁ ଦେଖି କଟକ, ଖୋର୍ଦ୍ଧା, ଢେଙ୍କାନାଳ, ମୟୂରଭଞ୍ଜ ଓ ବାଲେଶ୍ବରରେ ହିଟ୍ ୱେଖ ସତର୍କତା ଜାରି କରିଛନ୍ତି। ୨୮ ତାରିଖ ସକାଳ ୮ଟା ୩୦ ମିନିଟ୍ ଯାଏ ଏହିପରି ପୂର୍ବାନୁମାନ କରାଯାଇଛି। ଅପରପକ୍ଷେ ଉତ୍ତାପ ବଢ଼ିବା କାରଣରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆକସ୍ମିକ ଭାବେ ଘଡ଼ଘଡ଼ି ଓ ବିଜୁଳି ଆଶଙ୍କା ରହିଛି। ମଙ୍ଗଳବାରଦିନ ମାଲକାନଗିରି, କୋରାପୁଟ, ଗଜପତି, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ଘଡ଼ଘଡ଼ି ଓ ବିଜୁଳି ଆଶଙ୍କା ରହିଛି।
ବୁଧବାର ଦିନ ଗଜପତି, ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜ ପ୍ରଭୃତି ଜିଲ୍ଲାରେ କାଳ ବୈଶାଖୀ ଆଶଙ୍କା ରହିଛି। ସେହିପରି ଗୁରୁବାରଦିନ ବେଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲ୍ଲାରେ ବଜ୍ରପାତ ଆଶଙ୍କା ରହିଛି। ଏଥିପ୍ରତି ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ୍ କମିଶନର ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
