ଉତ୍ତର ପ୍ରଦେଶର ଯୁବତୀଙ୍କୁ ଦୁବାଇରେ ଫାଶୀଦଣ୍ଡ, ପିଏମଙ୍କୁ ପରିବାରର ନିବେଦନ
ବାନ୍ଦା: ଉତ୍ତର ପ୍ରଦେଶ ବାନ୍ଦା ଜିଲ୍ଲାର ଯୁବତୀ ଶାହଜାଦିଙ୍କୁ ଦୁବାଇରେ ମିଳିବ ଫାଶୀଦଣ୍ଡ । ସେପ୍ଟେମ୍ବର ୨୧ରେ ଶହଜାଦିଙ୍କୁ ଫାଶୀଦଣ୍ଡ ହେବ ବୋଲି ଶୁଣାଣି କରିଛନ୍ତି ଦୁବାଇ କୋର୍ଟ । ଶାହଜାଦିଙ୍କ ବାପାମା ପିଏମ ମୋଦି ଓ ସିଏମ ଯୋଗୀଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରି ଝିଅର ଜୀବନ ବଞ୍ଚାଇବା ପାଇଁ ନିବେଦନ କରିଛନ୍ତି । ଶହଜାଦିଙ୍କୁ ଜୋର ଜବରଦସ୍ତ ଝିଅର ହତ୍ୟାରେ ଫସାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ।
ଶାହଜାଦିଙ୍କ ପରିବାର ୟୁପିର ବାନ୍ଦା କୋର୍ଟରେ ଆଗ୍ରା ଯୁବକ ଉଜୈର, ତାଙ୍କ ପିଉସୀ ପିଇସା ସମେତ ୪ ଜଣଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି । ଏ ସମସ୍ତ ଅଭିଯୁକ୍ତଙ୍କୁ ଜେରା କରିବାକୁ ଶାହଜାଦିଙ୍କ ବାପା ନିବେଦନ କରିଛନ୍ତି । କୋର୍ଟର ଆଦେଶରେ ପୋଲିସ ଧାରା ୩୭୦, ୩୭୦ ଏ, ୪୧୯, ୪୨୦, ୩୮୬,୩୧୧ ଓ ୩୬୭ ଆଧାରରେ ମାମଲା ରୁଜୁ କରିଛି ।
ବାନ୍ଦା ଜିଲ୍ଲା ମୁଗଲି ଗାଁ ବାସିନ୍ଦା ଶବ୍ବୀର ଖାନ୍ର ତିନି ଝିଅଙ୍କ ମଧ୍ୟରୁ ସବୁଠାରୁ ସାନ ଝିଅ ଶାହଜାଦି ୮ବର୍ଷ ବୟସରେ ଚୁଲିରେ ରୋଷେଇ କରିବା ସମୟରେ ଜଳି ଯାଇଥିଲେ । ଜଳିବା ପରେ ତା ଚେହେରା ଖରାପ ହୋଇଯାଇଥିଲା । ଶାହଜାଦି ସେବେଠାରୁ ସେବା ମନୋବୃତ୍ତି ରଖି ଏକ ଏନଜିଓ ସଂସ୍ଥା ସହ ଜଡିତ ଥିଲେ । ଏହାପରେ ଆଗ୍ରା ଯୁବକ ଉଜୈରଙ୍କ ସହ ଶାହଜାଦିଙ୍କ ଫେସବୁକରେ ବନ୍ଧୁତା ହୋଇଥିଲା ।
ଶାହଜାଦିଙ୍କ ଚେହେରାର ଚିକିତ୍ସା ଦୁବାଇରେ କରିବା ପାଇଁ ଉଜୈର ତାଙ୍କୁ କହିଥିଲା । ଦୁବାଇରେ ତାର ସମ୍ପର୍କୀୟ ରହୁଥିବାରୁ କିଛି ଅସୁବିଧା ହେବନି କହି ଶାହଜାଦିକୁ ଦୁବାଇ ନେଇଯାଇଥିଲା ଉଜୈର । ଉଜୈର ତାଙ୍କ ଝିଅକୁ ଦେଢ ଲକ୍ଷ ଟଙ୍କାରେ ଦୁବାଇରେ ବିକ୍ରି କରିଥିବା ନେଇ ଶାହଜାଦିର ପରିବାର ଅଭିଯୋଗ କରିଛନ୍ତି । ସେଠାରେ ତାଙ୍କ ଝିଅକୁ ଏକ ୪ ମାସ ଛୁଆର ମୃତ୍ୟୁ ମାମଲାରେ ଫସାଇ ଦିଆଯାଇଛି । ଅଭିଯୋଗ ହୋଇଛି ଯେ ଶାହଜାଦି ମାଲିକଙ୍କ ଅସୁସ୍ଥ ଶିଶୁର ଠିକ ଭାବେ ଦେଖାଶୁଣା ନ କରିବାରୁ ଛୁଆର ମୃତ୍ୟୁ ହୋଇଥିଲା । ନା ଝିଅକୁ ଦୁବାଇରୁ ଭାରତ ଆସିବାକୁ ଦିଆଯାଉଛି ନା ସେଠାରେ ଶାନ୍ତିରେ ରହିବାକୁ ଦିଆଯାଉଛି । ଏବେ ସେଠାରେ ତାକୁ ମୃତ୍ୟୁଦଣ୍ଡ ଶୁଣାଣି କରାଯାଇଛି ।
