ଜରାଜୀର୍ଣ୍ଣ ପଥପ୍ରାନ୍ତ ସୁବିଧା କେନ୍ଦ୍ର। ରକ୍ଷଣାବେକ୍ଷଣ ଅଭାବରୁ ବନ୍ଦ ପଡ଼ିଛି। ପାଲଟିଛି ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ। ଏ ହେଉଛି କେନ୍ଦୁଝର ଘଟଗାଁ ବାଲିଯୋଡ଼ି ନିକଟରେ ପଥିକ ମାନଙ୍କ ପାଇଁ ନିର୍ମିତ ପଥପ୍ରାନ୍ତ ସୁବିଧା କେନ୍ଦ୍ରର ଦୃଶ୍ୟ। ତିନି ବର୍ଷ ପୂର୍ବେ ପ୍ରାୟ ଦୁଇ କୋଟି ଟଙ୍କାରେ ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ରକୁ ନିର୍ମାଣ କରିଥିଲା ପୂର୍ତ୍ତ ବିଭାଗ । ଯାତ୍ରୀ ମାନଙ୍କ ସୁବିଧା ପାଇଁ ଶୌଚାଳୟ, ଗାଡ଼ି ପାର୍କିଂ, ଆବଶ୍ୟକୀୟ ସାମଗ୍ରୀ ସହିତ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ କବାଟ ଝରକା ଭାଙ୍ଗି ଫ୍ୟାନ୍, ଲାଇଟ୍, ରେଲିଂ, ଗ୍ରିଲ ସବୁ ଚୋରି ହୋଇଗଲାଣି ।
ନିର୍ମାଣର ବର୍ଷେ ଯାଏଁ ଦେଖାରଖା କରିଥିଲା ପୂର୍ତ୍ତ ବିଭାଗ। ପରେ ଗତବର୍ଷ ମିଶନ ଶକ୍ତି ମହିଳାଙ୍କୁ ଏହାକୁ ହସ୍ତାନ୍ତର କରାଯାଇଥିଲା । ମିଶନ ଶକ୍ତି ଏହାକୁ ଗୋଟିଏ ବର୍ଷ ନିଜ ଅଧୀନରେ ରଖିବା ପରେ ଏହାକୁ ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରିଥିଲା । ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ପଥପ୍ରାନ୍ତ ସୁବିଧା କେନ୍ଦ୍ର।

