ଜେଲ ଗଲେ ପାଠ ପଢିବାକୁ ପଡ଼ିବନି,ସେଥିପାଇଁ ହତ୍ୟାକାରୀ ସାଜିଲା ନାବାଳକ

ଗାଜିଆବାଦ : ତା’ର ପାଠ ପଢାରେ ମନ ଲାଗୁନିଥିଲା । ସେ ପଢା ଛାଢିବାକୁ ଚାହୁଁଥିଲା । କିନ୍ତୁ ଘରଲୋକଙ୍କ ତା’ଉପରେ ପଢା ଜାରି ରିଖିବାକୁ ଚାପ ଥିଲା । ଜେଲ ଗଲେ ଆଉ ସ୍କୁଲ ଯିବାକୁ ପଡିବ ନାହିଁ,ଏହା ଭାବି ଦଶମ ଶ୍ରେଣୀରେ ପଢୁଥିବା ୧୬ ବର୍ଷର ଜଣେ ନାବାଳକ ଏକ ଜଘନ୍ୟ ହତ୍ୟା କରିଛି । ଏହି ଘଟଣା ଘଟିଛି ଉତ୍ତରପ୍ରଦେଶର ଗାଜିଆବଦରେ । ୧୫ ଦିନ ତଳେ ଏହି ନାବାଳକ ଜଣକ ଜେଲ୍ ଯିବା ପାଇଁ ଜଣେ ୧୩ ବର୍ଷୀୟ ପିଲାର ହତ୍ୟା କରିଛି ।
ଫିଲ୍ମ ଦେଖି ହତ୍ୟା ପ୍ଲାନ୍
ଜେଲ୍ ଯିବା ପାଇଁ ହତ୍ୟା କରିଥିବା ଏହି ୧୬ ବର୍ଷୀୟ ନାବାଳକ ଜଣକ ହତ୍ୟା ପାଇଁ ଅନେକ ଫିଲ୍ମ ଦେଖିଥିଲା । ଏହା ସହିତ ସେ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖି ହତ୍ୟାର ପ୍ଲାନିଂ କରିଥିଲା । ୭ ମାସ ହେଲା ପାଠ ପଢାରୁ ରକ୍ଷା ପାଇବା ପାଇଁ ସେ ହତ୍ୟାର ପ୍ଲାନିଂ କରୁଥିଲା ।
ପ୍ରଥମେ ସାଙ୍ଗ ହେଲା,ତା’ପରେ ମାରିଦେଲା
ଜେଲ୍ ଯିବା ପାଇଁ ସେ ପ୍ରଥମେ ନିଜ ଘର ପାଖରେ ରହୁଥିବା ଆଉ ଜଣେ ନାବାଳକ ସହିତ ବନ୍ଧୁତା କରିଥିଲା । ଯୋଜନା ଅନୁସାରେ ସେ ହତ୍ୟାର ଶିକାର ନାବାଳକକୁ ମିସଲଗଢି ଏକ୍ସପ୍ରେସୱେ ପାଖକୁ ନେଇଥିଲା । ସେଠାରେ ସେ ନାବାଳକର ଗଳା ଚିପି ହତ୍ୟା କରିଥିଲା । ଏହାପରେ ସେ କାଚଖଣ୍ଡରେ ପିଲାର ଗଳା କାଟିଥିଲା । ହତ୍ୟା କରିବା ପରେ ସେ ସିଧା ଗାର୍ଡନ ଏନକ୍ଲେଭ୍ ପୋଲିସ ଥାନରେ ପହଂଚିଥିଲା । ସେଠାରେ ସେ ହତ୍ୟା ବାବଦରେ ସବୁକିଛି କହିଥିଲା ।
ପାଠ ପଢାକୁ ନେଇ ତା’ ଉପରେ ଚାପ ଥିଲା । ଘର ଲୋକ ତାକୁ ପଢ଼ିବା ପାଇଁ ସବୁବେଳେ ଗାଳିଗୁଲଜ କରୁଥିଲେ । ସେ ସ୍କୁଲ ଯିବାକୁ ଚାହୁଁନଥିଲା । ତେଣୁ ହତ୍ୟା କରିଥିବା କଥା କହିଥିଲା । ହତ୍ୟା ଅପରାଧୀ ଜେଲ ଗଲା ପରେ ଆଉ ପଢିବାକୁ ପଡ଼ିନଥାଏ ତେଣୁ ସେ ହତ୍ୟା କରିଛି ବୋଲି ପୋଲିସ ଆଗରେ ବୟାନ ଦେଇଥିଲା ।