ନନ୍ଦିଘୋଷ ବ୍ୟୁରୋ : ଶକ୍ତି ଭିତ୍ତିଭୂମିଗୁଡ଼ିକ ଉପରେ ଆମେରିକା ହମଲା କଲେ ସ୍ଥିତି ହେବ ବିଷମ । ଯଦି ଆମେରିକ ପାୱାର ପ୍ଲାଣ୍ଟଗୁଡିକ ଉପରେ ଆକ୍ରମଣ କରେ ତେବେ ହର୍ମୁଜ ପ୍ରଣାଳୀ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ ବୋଲି ଧମକ ଦେଇଛି ଇରାନ । ଏହାକୁ ନେଇ ସାରା ବିଶ୍ବରେ ଅନିଶ୍ଚୟତା ଦେଖାଦେଇଛି । ଚତୁର୍ଥ ସପ୍ତାହରେ ଯୁଦ୍ଧ ପହଞ୍ଚିଥିବାବେଳେ ଏହା ଥମିବାର ନାଁ ନେଉନି । ସେପଟେ ଇରାନକୁ ଟ୍ରମ୍ପ ଦେଇଥିବା ୪୮ ଘଣ୍ଟିଆ ଡେଡଲାଇନ ସରିଆସୁଥିବାବେଳେ ଇରାନର ଏହି ଧମକ ଅଧିକ ସଙ୍କଟ ସୃଷ୍ଟି କରିଛି । ସେପଟେ ହର୍ମୁଜକୁ ମୁକ୍ତ କରିବାକୁ କଡ଼ା ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଯାହାର କଡ଼ା ଜବାବ ଦେଇଛି ତେହରାନ । ଇରାନର ନାଟାଞ୍ଜ ପରମାଣୁ ସମୃଦ୍ଧୀକରଣ ସ୍ଥଳରେ ହୋଇଥିବା ପୂର୍ବ ଆକ୍ରମଣର ପ୍ରତିଶୋଧ ନେଇ ଇସ୍ରାଏଲର ଦକ୍ଷିଣ ଭାଗରେ ଥିବା ଡିମୋନା ଓ ଆରାଡ଼ ସହରକୁ ବାଲିଷ୍ଟିକ ମିସାଇଲ ଦ୍ୱାରା ଆକ୍ରମଣ କରିଛି । ଏହି ଆକ୍ରମଣରେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହାର ଜବାବରେ ଇସ୍ରାଏଲ ମଧ୍ୟ ତେହେରାନକୁ ଟାର୍ଗେଟ୍ କରି କ୍ଷେପଣାସ୍ତ୍ର ମାଡ଼ ଓ ଏୟାରଷ୍ଟ୍ରାଇକ୍ କରିଛି । ସେପଟେ ଯୁଦ୍ଧ ସ୍ଥିତି ଭିତରେ ପୁଣି ବଢ଼ିଛି ଅଶୋଧିତ ତୈଳ ଦର । ସୁରକ୍ଷା ପଦକ୍ଷେପ ସ୍ବରୂପ ଇସ୍ରାଏଲ ନିଜର ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରିଛି। ବ୍ଯାରେଲ ପିଛା ୧୧୪ ଡଲାର ପାର କରିଛି ତୈଳଦର । ଯୁଦ୍ଧ ପାଇଁ ଜାପାନ, କୋରିଆ, ହଂକଙ୍ଗ ଯାଏଁ ଆତଙ୍କ ଖେଳିଛି । ଭାରତରେ ସେୟାର ବଜାର ମଧ୍ଯ ଏହାଦ୍ବାରା ପ୍ରଭାବିତ ହୋଇଛି । ସେପଟେ ଚୀନ ଅଭିମୁଖେ ଯାଉଥିବା ରୁଷୀୟ ତୈଳ ଟ୍ୟାଙ୍କର ଆକ୍ବା ଟାଇଟାନ ଭାରତ ଆସିଛି । ନିଉ ମାଙ୍ଗାଳୁରୁ ପୋର୍ଟରେ ପହଞ୍ଚିଛି ଟ୍ୟାଙ୍କର ।

