spot_img

Latest Posts

ପଛପଟୁ ଧକ୍କା ଦେଇ ଘଟୁଛି ଦେଶରେ 40 ପ୍ରତିଶତ ଦୁର୍ଘଟଣା

ନୂଆଦିଲ୍ଲୀ: ଦେଶରେ ବ୍ୟାପକ ସଚେତନତା ସତ୍ୱେ ଥମୁନି ଦୁର୍ଘଟଣା । ଯେତେ ଦୁର୍ଘଟଣା ଘଟୁଛି, ସେଥିରୁ 40 ପ୍ରତିଶତ ହେଉଛି ପଛପଟୁ ଧକ୍କା ଦେବା । ଡ୍ରାଇଭରଙ୍କ ନିଦ୍ରା ଓ ସ୍ଥାଣୁତା ଏହି ଦୁର୍ଘଟଣାର ପ୍ରମୁଖ କାରଣ । ଗତ ତିନି ବର୍ଷରେ କେବଳ ଉତ୍ତରପ୍ରଦେଶରୁ ମହାରାଷ୍ଟ୍ର ଲମ୍ବିଥିବା ରାଜପଥରେ ଘଟିଛି 6 ହଜାର 500ଟି ଛୋଟବଡ ଦୁର୍ଘଟଣା । ସେଥିରୁ 1ହଜାର 600ଟି ଅତି ମର୍ମନ୍ତୁଦ ଦୁର୍ଘଟଣା ଥିଲା ।

ଦେଶରେ ଘଟୁଥିବା ଦୁର୍ଘଟଣାକୁ ନେଇ କରାଯାଇଥିବା ସମୀକ୍ଷାରେ କୁହାଯାଇଛି, ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ବିଭିନ୍ନ ନିର୍ମାଣ, ଇଞ୍ଜିନିୟରିଂରେ ତ୍ରୁଟି, ଦୁର୍ଘଟଣା ରୋକିବା ଲାଗି ପ୍ରତିବନ୍ଧକର ଅଭାବ ଆଦି କାରଣରୁ ଦୁର୍ଘଟଣା ସଂଖ୍ୟା ବଢୁଛି । ଜାତୀୟ ରାଜପଥରେ ଦୁର୍ଘଟଣା ହ୍ରାସ ଲାଗି ସରକାରଙ୍କ ପକ୍ଷରୁ କରାଯାଇଥିବା ସର୍ଭେରେ ଏହି ତଥ୍ୟ ଜଣାପଡିଛି । ଏପରିକି ଉତ୍ତରପ୍ରଦେଶରୁ ମହାରାଷ୍ଟ୍ର ଲମ୍ବିଥିବା ରାଜପଥରେ ଶହ ଶହ ଇଞ୍ଜିନିୟରିଂ ତ୍ରୁଟି ଥିବା ପରିଲକ୍ଷିତ ହୋଇଛି । ଆଗ୍ରାରୁ ଇଟଓ୍ବା ରାଜପଥରେ ରହିଛି 7 ହଜାର 500ରୁ ଅଧିକ ଇଞ୍ଜିନିୟରିଂ ତ୍ରୁଟି ।

ସେଭ୍ ଲାଇଫ୍ ଫାଉଣ୍ଡେସନ୍ ପକ୍ଷରୁ କରାଯାଇଥିବା ସର୍ଭେରେ କୁହାଯାଇଛି, ବିଭିନ୍ନ ଯାତ୍ରୀବାହୀ ଓ ମାଲ ପରିବହନକାରୀ ଯାନ କ୍ଷେତ୍ରରେ ବଡ ବଡ ଦୁର୍ଘଟଣା ଘଟିଛି । ବିଶେଷ କରି ଠିଆ ହୋଇଥିବା ଯାନକୁ ପଛପଟୁ ଧକ୍କା ସଂଖ୍ୟା ଅଧିକ । ଡ୍ରାଇଭରଙ୍କ ନିଦ୍ରା, ମଦ୍ୟପାନ, ବିନା ହେଲମେଟରେ ଡ୍ରାଇଭିଂ, କୁହୁଡି, ଦୁର୍ଘଟଣାପ୍ରବଣ ସ୍ଥାନରେ ସୂଚନା ଫଳକ ବା ସତର୍କ ସୃଷ୍ଟିକାରୀ ଆଲୋକର ଅଭାବ ଇତ୍ୟାଦି କାରଣ ଯୋଗୁ ଦୁର୍ଘଟଣା ବଢୁଛି ବୋଲି ଉକ୍ତ ସଂସ୍ଥା କହିଛି । ସେହିପରି ଦୁର୍ଘଟଣାପ୍ରବଣ ସ୍ଥାନ ବଦଳରେ ଅନେକ ଦୂରରେ ଆମ୍ବୁଲାନ୍ସ ରଖାଯାଉଛି । ଦେଶରେ ପ୍ରତିବର୍ଷ 5 ଲକ୍ଷରୁ ଅଧିକ ସଡକ ଦୁର୍ଘଟଣା ଘଟୁଥିବା ଜଣାପଡ଼ିଛି  ।

Latest Posts

Don't Miss