ନଦୀରେ ବୁଡି ଦୁଇ ସମ୍ପର୍କୀୟ ଭାଇ ଭଉଣୀଙ୍କ ସଲିଳ ସମାଧି
ଜୟପୁର: ନଦୀରେ ବୁଡି ଦୁଇ ସମ୍ପର୍କୀୟ ଭାଇ ଭଉଣୀ ମୃତ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଂଚଳରୁ ଆସିଛି ଏ ଦୁଖଦ ଖବର। ବୋରିଗୁମ୍ମା ଅଞ୍ଚଳା ପଞ୍ଚାୟତର ବିରାହାଣ୍ଡି ଗାଁରେ ଘଟିଛି ଏ ଅଘଟଣ। ଗାଁରେ ଥିବା ନଦୀରେ ବୁଡ଼ି ଉଭୟଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକ ହେଲେ ବିରାହାଣ୍ଡି ଗାଁର ଯୋଗେଶ୍ୱର ଅମୋନାତ୍ୟଙ୍କ ୫ ବର୍ଷୀୟ ଝିଅ ଓ ସଦନ ଅମୋନାତ୍ୟଙ୍କ ପାଞ୍ଚ ବର୍ଷର ପୁଅର ମୃତ୍ଯୁ ହୋଇଛି। ଉଭୟ ଶୌଚ ପାଇଁ ନଦୀକୁ ଯାଇଥିବାବେଳେ ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ଧରି ଉଭୟ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ପାଣିରୁ ଦୁହିଁଙ୍କ ଉଦ୍ଧାର କରାଯାଇଥିଲା। ଉଭୟଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁଇ ଶିଶୁଙ୍କ ମୃତ୍ୟୁକୁ ନେଇ ପରିବାର ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
