ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପୁଣି ଚେତାବନୀ

ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂର ସରିନି । ଏଥିରେ ମାତ୍ର ବିରାମ ଲାଗିଛି । ଅପରେସନ ସିନ୍ଦୂର ପାକିସ୍ତାନକୁ ଏକ ଚେତାବନୀ । ଯଦି ପାକିସ୍ତାନ ନସୁଧୁରେ ଏବଂ ପୁଣି ଦୁଃସାହସ କରେ ତେବେ ଏଥର ପରିଣାମ ଭୟଙ୍କର ହେବ । ଏଥର ଆକ୍ସନ ହେଲେ ଆଉ ପାକିସ୍ତାନକୁ ମୁଣ୍ଡ ଟେକିବାକୁ ସୁଯୋଗ ମିଳିବନି । ଗୋଆରେ ଆଇଏନଏସ ବିକ୍ରାନ୍ତରୁ ନୌସେନାକୁ ଉଦବୋଧନ ଦେଇ ଏପରି ଗର୍ଜନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ଆହୁରି ମଧ୍ୟ କହିଛନ୍ତି, ଅପରେସନ ସିନ୍ଦୂରରେ ବାୟୁସେନା ପାକିସ୍ତାନ ଆତଙ୍କୀ ଆଡ୍ଡାକୁ ଧ୍ବଂସ କରୁଥିବାବେଳେ ଆମ ପଶ୍ଚିମ କମାଣ୍ଡାଣ୍ଟ ନୌସେନା ଜଳ ଭାଗରେ ପାକିସ୍ତାନକୁ ଏପରି ଜଗିଲା ତାଙ୍କ ନୌସେନା ଆରବ ସାଗରକୁ ଓହ୍ଲାଇପାରିଲାନି । ୧୯୭୧ରେ ନୌସେନାର ଘେରାବନ୍ଦୀରେ ପାକିସ୍ତାନ ଦୁଇଫାଳ ହୋଇଯାଇଥିଲା । ଅପରେସନ ସିନ୍ଦୂର ସମୟରେ ଆବଶ୍ଯକ ପଡିଥିଲେ ଯଦି ନୌସେନା ରଣହୁଙ୍କାର ଦେଇଥାନ୍ତା ତେବେ ପାକିସ୍ତାନ ୪ ଫାଳ ହୋଇଯାଇଥାନ୍ତା। ତଥାପି ଆମକୁ ପ୍ରସ୍ତୁତ ରହିବାକୁ ପଡିବ । ନୌସେନାର ବିଶ୍ବସନୀୟତା ଉପରେ ସାରା ଦେଶବାସୀଙ୍କ ବିଶ୍ବାସ ରହିଛି ବୋଲି କହିଛନ୍ତି ରାଜନାଥ ।