spot_img

Latest Posts

‘ବାମ ହାତୀ’ଙ୍କ ଯାଦୁରେ ଫସିଲା ଟିମ୍ ଇଣ୍ଡିଆ ! ୫ଟି ମ୍ୟାଚରେ ଖୋଲିଗଲା ସବୁ ପୋଲ

ଟି-୨୦ ବିଶ୍ବକପ ୨୦୨୬ରେ ଟିମ୍ ଇଣ୍ଡିଆକୁ ନିଜର ଏକ ଦୁର୍ବଳତା ବହୁତ ଭାରି ପଡ଼ିଛି । ଏହି କାରଣରୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଆରମ୍ଭ ବହୁତ ଖରାପ ହେଉଛି । ଆଗମୀ ମ୍ୟାଚଗୁଡ଼ିକରେ ମଧ୍ୟ ପ୍ରତିପକ୍ଷ ଟିମମାନେ ଏହାର ଫାଇଦା ଉଠାଇ ପାରନ୍ତି । ଭାରତୀୟ ବାମ ହାତୀ ବ୍ୟାଟ୍ସମ୍ୟାନମାନେ ରାଇଟ୍ ଆର୍ମ ଅଫ୍ ସ୍ପିନରଙ୍କ ବିପକ୍ଷରେ ଖରାପ ପ୍ରଦର୍ଶନ କରୁଛନ୍ତି । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ହିଁ ବିରୋଧୀ ଅଧିନାୟକ ପାଓ୍ବାରପ୍ଲେରେ ଅଫ ସ୍ପିନରଙ୍କୁ ବୋଲିଂ କରବିାକୁ ଦେଇଥିଲେ । ଭାରତର ଟପ ଅର୍ଡରଙ୍କୁ ବାନ୍ଧି ରଖିବା ଓ ଓ୍ବିକେଟ ଖସାଇବାରେ ପ୍ରତିପକ୍ଷଙ୍କୁ ମଧ୍ୟ ସଫଳତା ମିଳିଥିଲା । ଏହି ରଣନୀତି ଏବେ ଟିମ୍ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । କାରଣ ଏହାଦ୍ବାରା ଆରମ୍ଭରୁ ଝଟକା ଲାଗିଥାଏ ଓ ମଧ୍ୟମକ୍ରମ ଉପରେ ଚାପ ବଢ଼ିଯାଇଥାଏ ।

ତଥ୍ୟ ମୁତାବକ, ପୂରା ଟୁର୍ଣ୍ଣାମେଣ୍ଟରେ ଭାରତର ଅଧିକାଂଶ ଓ୍ବିକେଟ ଅଫ୍ ସ୍ପିନରମାନେ ହାସଲ କରିଛନ୍ତି । ୫ଟି ମ୍ୟାଚରେ ଅଫ ସ୍ପିନରମାନେ ଭାରତର ୪୧ଟି ଓ୍ବିକେଟ ମଧ୍ୟରୁ ପାଖାପାଖି ଏକଚତୁର୍ଥାଂଶ ଅର୍ଥାତ ୧୨ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ବିରୋଧୀ ଟିମମାନେ ଏହି ଦୁର୍ବଳତାକୁ ଚିହ୍ନଟ କରିବା ସହ ଫାଇଦା ଉଠାଉଛନ୍ତି । ଏହା ପଛର ବଡ଼ କାରଣ ହେଉଛି ଭାରତୀୟ ଟିମର ଅଧିକାଂଶ ବ୍ୟାଟ୍ସମ୍ୟାନ ବାମହାତୀ । ଓପନର ଈଶାନ କିଶନ, ଅଭିଷେକ ଶର୍ମା, ଟପ୍ ଅର୍ଡର ତିଲକ ବର୍ମା ବାମହାତୀ ଅଟନ୍ତି । ଅଫ ସ୍ପିନରଙ୍କ ବଲ ବାମ ହାତୀଙ୍କ କ୍ରିଚର ବାହାରକୁ ଯାଉଥିବା ବେଳେ ତାହାକୁ ଖେଳିବା ମୁସ୍କିଲ ହୋଇଥାଏ ଓ ଖରାପ ଶର୍ଟସର ଆଶଙ୍କା ରହିଥାଏ ।

ଗ୍ରୁପ ଷ୍ଟେଜର ମଧ୍ୟ ଏହି ପ୍ୟାଟର୍ଣ୍ଣ ସ୍ପଷ୍ଟ ଦେଖିବାକୁ ମିଳିଥିଲା । ପାକିସ୍ତାନ ବିପକ୍ଷରେ ଅଧିନାୟକ ସଲମାନ ଆଗା ନିଜେ ପ୍ରଥମ ଓଭର ଅଫ୍ ସ୍ପିନରଙ୍କୁ ଦେଇଥିଲେ ଓ ଅଭିଷେକ ଶର୍ମାଙ୍କୁ ଜଲଦୀ ଆଉଟ୍ କରିଥିଲେ । ନେଦରଲାଣ୍ଡସ ମଧ୍ୟ ଆର୍ୟନ ଦତ୍ତଙ୍କ ଦ୍ବାରା ପାରି ଆରମ୍ଭ କରିଥିଲେ ଓ ଶର୍ମାଙ୍କୁ ଆଉଟ କରିବା ସହ ଈଶାନଙ୍କ ଉପରେ ମଧ୍ୟ ଚାପ ପକାଇଥିଲେ । ନାମିବିଆର ଗେରହାର୍ଡ ଇରାସମସ ନିଜର ଅଫ ସ୍ପିନରେ ୪ଟି ଓ୍ବିକେଟ ନେଇଥିଲେ । ଏବେ ସୁପର-୮ରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଏଡନ ମାର୍କରମ ମଧ୍ୟ ଏହି ରଣନୀତି ଆପଣାଇଥିଲେ । ସେ ପ୍ରଥମ ଓଭରରେ ନିଜେ ବୋଲିଂ କରି ଈଶାନଙ୍କ ଓ୍ବିକେଟ ନେଇଥିଲେ । ଫଳରେ ଭାରତର ଆରମ୍ଭ ଖରାପ ହେବାରୁ ଟିମ୍ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ହରାଇ ବସିଥିଲା ।

ଆଗକୁ ଜିମ୍ବାଓ୍ବେ ଓ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ମଜବୁତ ଅଫ୍ ସ୍ପିନରଙ୍କୁ ସାମ୍ନା କରିବ । ଜିମ୍ବାଓ୍ବେର ସିକନ୍ଦର ରଜା ଓ ବ୍ରାୟନ ବେନେଟ, ଓ୍ବେଷ୍ଟଇଣ୍ଡିଜର ରୋଷ୍ଟନ ଚେସଙ୍କ ପରି ଖେଳାଳି ଭାରତ ପାଇଁ ବିପଦ ସାଜି ପାରନ୍ତି । ଏହି ବୋଲରମାନେ ଅନୁଭବୀ ଅଟନ୍ତି ଓ ବାମ ହାତୀଙ୍କୁ ହଇରାଣ କରିବାରେ ମାହିର । ଯଦି ଟିମ୍ ଇଣ୍ଡିଆ ନିଜର ଦୁର୍ବଳତା ଦୂର ନକରେ, ତେବେ ସେମିଫାଇନାଲ ରାସ୍ତା ଆହୁରି ମୁସ୍କିଲ ହୋଇଯିବ । ତେଣୁ ଟପ୍ ଅର୍ଡରରେ ପରିବର୍ତ୍ତନ କରି ସନ୍ତୁଳନ ଆଣିବା ଟିମ୍ ମ୍ୟାନେଜମେଣ୍ଟ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ଆସିଷ୍ଟାଣ୍ଟ କୋଚ ରାୟନ ଟେନ ଡେଶକାଟେ ମଧ୍ୟ ସଞ୍ଜୁ ସାମସନଙ୍କୁ ଖେଳାଇବା ପାଇଁ ସଙ୍କେତ ଦେଇ ସାରିଛନ୍ତି । ସଞ୍ଜୁ ଡାହାଣ ହାତୀ ହୋଇଥିବାରୁ ତାହା ଦଳକୁ ଫାଇଦା ଦେଇପାରେ । ଦଳ ପ୍ରତିପକ୍ଷଙ୍କ ସ୍ପିନ ଜାଲରୁ ରକ୍ଷା ପାଇପାରେ । ଯେଉଁ ଟିମ୍ ଏପରି ସମସ୍ୟାକୁ ଶୀଘ୍ର ସୁଧାରିପାରେ, ସେ ଶୀଘ୍ର ଆଗକୁ ବଢ଼ିପାରେ ।

Latest Posts

Don't Miss