ମହାରାଷ୍ଟ୍ର ଯାତ୍ରା କଲେ ସାଥିରେ ନିଅନ୍ତୁ ନେଗେଟିଭ ରିପୋର୍ଟ

ମୁମ୍ବାଇ: ମହାରାଷ୍ଟ୍ର ଯାତ୍ରା କରୁଥିବା ଟ୍ରେନ ଯାତ୍ରୀଙ୍କ ପାଇଁ ନେଗେଟିଭ ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ ହୋଇଛି । ଟ୍ରେନରେ ଯାତ୍ରା କରୁଥିବା (ବୋର୍ଡିଂ, ଭ୍ରମଣ ଏବଂ ଗନ୍ତବ୍ୟ ସ୍ଥଳରେ) ଯାତ୍ରୀମାନଙ୍କୁ କୋଭିଡ ଉପଯୁକ୍ତ ଆଚରଣ ଅନୁସରଣ କରିବାକୁ ପରାମର୍ଶ ଦିଆଯାଉଅଛି । ଯେକୌଣସି ପରିବହନ ଦ୍ୱାରା ମହାରାଷ୍ଟ୍ର ରାଜ୍ୟକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କୁ ଏକ ନେଗେଟିଭ ଆରଟିପିସିଆର (RT-PCR) ପରୀକ୍ଷା ରିପୋର୍ଟ ବହନ କରିବାକୁ ପଡିବ ଯାହା ମହାରାଷ୍ଟ୍ରରେ ପ୍ରବେଶ କରିବାର ସର୍ବାଧିକ 48 ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ଆବଶ୍ୟକ ବୋଲି ଉକ୍ତ ରାଜ୍ୟ ସରକାର ଘୋଷଣା କରିଛନ୍ତି ।
ସମ୍ବେଦନଶୀଳ ଅଞ୍ଚଳରୁ ଅର୍ଥାତ କେରଳ, ଗୋଆ, ରାଜସ୍ଥାନ, ଗୁଜୁରାଟ, ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରୁ ଆସୁଥିବା ବ୍ୟକ୍ତିଙ୍କ ସହିତ ଭାରତର ଯେକୌଣସି ଅଞ୍ଚଳରୁ ମହାରାଷ୍ଟ୍ର ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ଏପ୍ରିଲ ମାସ ୧୮ ତାରିଖ ଓ ମଇ ମାସ ପହିଲା ଆଦେଶନାମା ଅନୁଯାୟୀ ସମସ୍ତ ପ୍ରତିବନ୍ଧକ ପ୍ରଯୁଜ୍ୟ ହେବ । ରାଜ୍ୟ ଗୁଡିକର ସର୍ବଶେଷ ସୂଚନା ନିମନ୍ତେ ୱେବସାଇଟ୍ http://contents.irctc.co.in/en/stateWiseAdvisory.html ରେ ଉପଲବ୍ଧ ହୋଇଛି ।
ସେହିପରି ଦୂରଗାମୀ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଉଅଛି ଯେ ସେମାନେ ଯାତ୍ରା କରିବା ପୂର୍ବରୁ କୋଭିଡ ୧୯ ଯାତ୍ରା ଆଦେଶନାମା ଏବଂ ଉପଯୁକ୍ତ ଆଚରଣ ଅନୁସରଣ କରିବା ସହିତ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ଧ୍ୟାନଦେବାକୁ ଅନୁରୋଧ କରାଯାଇଛି |