spot_img

Latest Posts

ଶାନ୍ତ ହୋଇନି ମାଲକାନଗିରି ଉତ୍ତେଜନା ; ଗତକାଲି ସଂଧ୍ୟାରୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିଛି

ନନ୍ଦିଘୋଷ ବ୍ୟୁରୋ : ମୁଣ୍ଡ ବିହୀନ ଶବକୁ ନେଇ ଅଶାନ୍ତ ମାଲକାନଗିରି  । ନିଆଁରେ ଦଗ୍ଧ ହେଉଛି ଘର ଓ ଗାଡ଼ି। ତିନି ଦିନ ହେଲାଣି  ଦୁଇଗୋଷ୍ଠୀ ମୁହାଁମୁହିଁ। ନିୟନ୍ତ୍ରଣକୁ ଆସୁନି ରାଖାଲଗୁଡା ଓ ଏମଭି ୨୬ ଗାଁ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା। ପ୍ରାଣ ହରାଇଥିବା ମହିଳା ଲାକେ ପଡ଼ିଆମିଙ୍କ କଟାମୁଣ୍ଡ କୁଆଡ଼େ ଗଲା? ଧନୁତୀର, ଫାର୍ସା ଓ ପାରମ୍ପରିକ ଅସ୍ତ୍ରସନ୍ତ୍ର ଧରି ରକ୍ତମୁଖା ଆଦିବାସୀ। ମୁହାଁମୁହିଁ ସ୍ଥିତିରେ ଉଭୟ ଗାଁ ଲୋକେ। ଦେଖିବାକୁ ମିଳିଥିଲା ହିଂସାକାଣ୍ଡର ଜଘନ୍ଯ ଦୃଶ୍ଯ। ପୋଲିସ ଉପସ୍ଥିତିରେ ଜଳିଲା ଘର, ଗାଡ଼ି ସମେତ ଦୋକାନ ବଜାର। ଘଟଣାକୁ ୪ ଦିନ ବିତିଥିଲେ ମଧ୍ଯ ପରିସ୍ଥିତିରେ ଆସୁନି ସୁଧାର । ନାକେଦମ ହେଲେଣି ସ୍ଥାନୀୟ ପ୍ରଶାସନ ଓ ପୋଲିସ । ଉତ୍ତ୍ୟକ୍ତ ଲୋକଙ୍କୁ ହଟାଇବା ପାଇଁ ଟିଅର ଗ୍ୟାସ ପ୍ରୟୋଗ କରାଯାଇଥିଲା । ମାଲକାନଗିରି ଜିଲ୍ଲାରେ ଗତକାଲି ସଂଧ୍ୟାରୁ ୨୪ ଘଣ୍ଟା ପାଇଁ  ଇଣ୍ଟରନେଟ ସେବା ବନ୍ଦ ରହିଛି  । ଲୋକଙ୍କ ଗତିବିଧି ଉପରେ ନଜର ରଖିବା ସହ ଗାଡ଼ି ମୋଟର ଯାଞ୍ଚ କରାଯାଉଛି। ଘଟଣାର ସମୀକ୍ଷା କରିଛନ୍ତି କୋରାପୁଟ ଆଇଜି । ପୋଟେରୁ ନଦୀର ଜଳ ନିଷ୍କାସନ ବନ୍ଦ କରି ମୃତ ମହିଳାଙ୍କ ମୁଣ୍ଡ ଖୋଜୁଛି ଓଡ୍ରାଫ ଟିମ ।ଗତକାଲି ୬ରୁ ୭ ହଜାର ଆଦିବାସୀ ପାରମ୍ପରିକ ଅସ୍ତ୍ର ଧରି ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବାକୁ ବି ପଛାଇନାହାନ୍ତି। ସେପଟେ  ବିଧାନସଭାରେ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ବିଜେଡି ଓ କଂଗ୍ରେସ । ଘଟଣାକୁ ବିତିଲାଣି ୪ ଦିନ । ହେଲେ ରାଜ୍ୟ ସରକାରଙ୍କ ପାଖରେ ଏନେଇ ଖବର ନାହିଁ । ଏଭଳି ଅଭିଯୋଗ ଆଣି ବିଧାନସଭା ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସର ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ଗୃହରେ ସେ ଅଭିଯୋଗ କରିଥିଲେ । କଂଗ୍ରେସ ବିଧାୟକଙ୍କୁ ସମର୍ଥନ କରି ବିଜେଡି ବିଧାୟକ ପ୍ରତାପ ଦେବ କହିଥିଲେ, ରାଜ୍ୟ ସରକାର ନିଘୋଡ଼ ନିଦ୍ରାରେ ଶୋଇଛନ୍ତି । ମାଲକାନଗିରି ଅଘଟଣ ବିଷୟରେ ଗୃହ ବିଭାଗ ଜାଣି ନପାରିବା ଦୁର୍ଭାଗ୍ୟଜନକ  ବୋଲି ପ୍ରତାପ ଦେବ ଅଭିଯୋଗ କରିଥିଲେ। ସେପଟେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ଘଟଣାସ୍ଥଳକୁ ଯାଇ ଉତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଏହି ସ୍ଥିତି ପାଇଁ ସରକାର  ଓ ପ୍ରଶାସନର ଅପାରଗତା ଦାୟୀ କରିଥିଲେ । ୪ ଦିନ ଆଗରୁ ଗାଁର ଜଣେ ମହିଳାଙ୍କର ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଥିଲା। ଏହାକୁ ନେଇ ସୃଷ୍ଟି ହୋଇଥିଲା ଲଙ୍କାକାଣ୍ଡ। ଏଯାଏ ମୁଣ୍ଡ ମିଳିନି। ମୃତକ ଜଣକ ହେଲେ ରାଖାଲଗୁଡ଼ା ଗାଁର ଲାକେ ପଡ଼ିଆମି । ଘଟଣାକୁ ନେଇ ଦୁଇ ଗାଁ ମୁହାଁମୁହିଁ ହୋଇଛନ୍ତି ।

Latest Posts

Don't Miss