କୁନି ଝିଅର ଅଦ୍ଭୁତ ପ୍ରତିଭା, ୧ ମିନିଟ୍‌ରେ ୧୭ଟି ଶ୍ଲୋକ ଗାନ କରି ଇଣ୍ଡିଆ ବୁକ ଅଫ୍ ରେକର୍ଡ

1 minute 17 Slok

ଯାଜପୁର: କୁନି ଝିଅର ଅଦ୍ଭୁତ ପ୍ରତିଭା । ମାତ୍ର ଗୋଟିଏ ମିନିଟ୍‌ରେ ୧୭ଟି ଶ୍ଲୋକ ଗାଇ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ଦଶ ବର୍ଷର ଝିଅ ସାଇ ଆଦ୍ୟାଜ୍ୟୋତି ଦାଶ । ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଯାଜପୁର ବିବିସରାଇ ଗ୍ରାମର ଆଦିତ୍ୟ କୁମାର ଦାଶଙ୍କ ଝିଅ ଆଦ୍ୟାଜ୍ୟୋତି । ସାଇ ଆଦ୍ୟାଜ୍ୟୋତି ସ୍ଥାନୀୟ ଡିଏଭି ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ରୀ । ଗୋଟିଏ ମିନିଟରେ ଶ୍ରୀମଦ୍ ଭାଗବତ ଗୀତାର ୧୭ଟି ଶ୍ଲୋକ ଗାଇ ଚୟନକର୍ତ୍ତାଙ୍କୁ ଚକିତ କରିଦେଇଥିଲେ ।

ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଆଦ୍ୟାଜ୍ୟୋତି ଦାଶ । ଗୀତାର ଦ୍ୱାଦଶ ଅଧ୍ୟାୟ ଭକ୍ତିଯୋଗର ପ୍ରଥମରୁ ୧୭ଟି ଶ୍ଲୋକ ୧ ମିନିଟରେ ଗାନ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଏହି କୃତିତ୍ୱ ପାଇଁ ସେ ଜଗତଗୁରୁ ଅଭିରାମ ପରମହଂସ, ତାଙ୍କ ଜେଜେ ବାପା ଓ ଗୁରୁଜନଙ୍କୁ ଶ୍ରେୟ ଦେଇଛନ୍ତି ।

ଦୈନିକ ସକାଳୁ ସାଇ ଆଦ୍ୟାଜ୍ୟୋତି ନିଜର ନିତ୍ୟକର୍ମ ସାରି ବାପାଙ୍କ ଉପସ୍ଥିତିରେ ସାନ ଭାଇଙ୍କ ସହ ଗୋଟିଏ ଗୋଟିଏ ଶ୍ଲୋକ ପାଠ କରିଥାନ୍ତି । ଏହାସହ ବିଭିନ୍ନ ଭକ୍ତିପୂର୍ଣ୍ଣ କାର୍ଯ୍ୟକ୍ରମରେ ସେ ପ୍ରବଚନ ଦେଇ ଆସୁଛନ୍ତି । ତାଙ୍କର ଏହି କୃତିତ୍ୱ ପାଇଁ ତାଙ୍କ ପରିବାର ବେଶ ଖୁସି । ଇଣ୍ଡିଆ ବୁକ୍ ଅଫ ରେକର୍ଡ ପ୍ରତିଯୋଗିତାରେ ବ୍ରହ୍ମପୁରର ଜଣେ ନାବାଳକଙ୍କୁ ପଛରେ ପକାଇ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି । ବିଗତ ବର୍ଷ ବ୍ରହ୍ମପୁରର ଜଣେ ନାବାଳକ ୧ ମିନିଟରେ ୧୩ ଟି ଶ୍ଲୋକ ଗାଇ ପ୍ରଥମ ହୋଇଥିଲେ ।

Leave a Reply