ରାଜଧାନୀ ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ: ଆଜିଠାରୁ ବନ୍ଦ ହେବ ଡ୍ରାଇଭ୍ ଇନ୍ ଭ୍ୟାକ୍ସିନ୍ ସେଣ୍ଟର

ଭୁବନେଶ୍ୱର: ରାଜଧାନୀରେ ହେଲା ଶତ ପ୍ରତିଶତ ଟିକାକରଣ । ଜୁଲାଇ ଶେଷ ସୁଦ୍ଧା ଥିବା ଟାର୍ଗେଟ ପୂରଣ ହୋଇଛି । ବିଭିନ୍ନ ବର୍ଗରେ ମୋଟ ୯ଲକ୍ଷ ୭ହଜାର ଲୋକଙ୍କୁ ଦୁଇଟି ଡୋଜ ହିସାବରେ ୧୮ଲକ୍ଷ ୧୪ହଜାର ଡୋଜ ଦେବାକୁ ରହିଥିଲା ଲକ୍ଷ୍ୟ । ଗତକାଲି ସୁଦ୍ଧା ୧୮ଲକ୍ଷ ୩୫ହଜାର ୯୦୩ ଡୋଜ ଟିକା ଦିଆଯାଇଛି । ସେଥିମଧ୍ୟରୁ ୧୦ଲକ୍ଷ ୫୯ହଜାର ୭୫୩ ଜଣ ପ୍ରଥମ ଡୋଜ ନେଇସାରିଛନ୍ତି । ୭ଲକ୍ଷ ୭୬ହଜାର ୧୫୦ଜଣ ଉଭୟ ଡୋଜ ଟିକା ନେଇ ସାରିଛନ୍ତି । ତେବେ ଭୁବନେଶ୍ୱରରେ କୋଭକ୍ସିନ ଟିକା ଦିଆଯାଉଥିବା ବେଳେ ଏଠାରେ ଟିକାର ଅଭାବ ନାହିଁ । ବର୍ତ୍ତମାନ ମଧ୍ୟ ସମସ୍ତ ଟିକା କେନ୍ଦ୍ର ଖୋଲା ରହିଛି । ଭୁବନେଶ୍ୱର ରାଜଧାନୀ ହୋଇଥିବାରୁ ଏଠାକୁ ଦୈନିକ ବାହାରୁ ଅନେକ ଲୋକ ଆସନ୍ତି । ଟିକା ପାଇଁ କାହାକୁ ମନା କରାଯାଇପାରିବ ନାହିଁ । ଭୁବନେଶ୍ୱରବାସୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଇଛି । ବର୍ତ୍ତମାନ ବାହାରର ଲୋକଙ୍କୁ ମଧ୍ୟ ଟିକା ଦିଆଯାଉଥିବା କହିଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।

ଅନ୍ୟପକ୍ଷରେ ଆଜି ଠାରୁ ବନ୍ଦ ହେବ ଭୁବନେଶ୍ୱରର ସମସ୍ତ ୧୦ଟି ଯାକ ଡ୍ରାଇଭ ଇନ ଭେକ୍ସିନ ସେଣ୍ଟର ।  ଭୁବନେଶ୍ୱରର ବିଭିନ୍ନ ମଲ ଓ ଘରୋଇ ଅନୁଷ୍ଠାନରେ ଖୋଲା ଯାଇଥିଲା ଏହି କେନ୍ଦ୍ର । ଭୁବନେଶ୍ୱରରେ ମୋଟ ୫୫ଟି ଟିକା କେନ୍ଦ୍ରରେ ଟିକାଦାନ ବ୍ୟବସ୍ଥା କରାଯାଇଛି । ୩୦ଟି ସରକାରୀ ହସ୍ପିଟାଲ ୧୫ଟି ମୋବିଲାଇଜେସନ ସେଣ୍ଟର ଓ ଡ୍ରାଇଭ ଇନ ଭେକ୍ସିନ କେନ୍ଦ୍ର ସାମିଲ । ଆସନ୍ତା କାଲି ଠାରୁ ୪୫ଟି କେନ୍ଦ୍ରରେ ଜାରି ରହିବ ଟିକାକରଣ । ତେବେ ହାଇସ୍କୁଲ ଖୋଲି ଯାଇଥିବାରୁ ଭୁବନେଶ୍ୱରର ହାଇସ୍କୁଲ ଗୁଡିକରେ ଥିବା ଟିକା କେନ୍ଦ୍ରକୁ ସେଠାରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ଶତ ପ୍ରତିଶତ ଟିକାକରଣ ସହିତ ଅନଲକ ଆଡକୁ ଆମେ ଯାଉଥିବାରୁ ତଥା ଟିକା ନେଇନଥିବା ଲୋକଙ୍କ ସଂଖ୍ୟା କମ ଥିବାରୁ ଏଭଳି ବ୍ୟବସ୍ଥା କରାଯାଇଥିବା କହିଛନ୍ତି ବିଏମସି ଜୋନାଲ ଡେପୁଟୀ କମିଶନର ଅଂଶୁମାନ ରଥ।

ଏଥିସହିତ ପଢ଼ନ୍ତୁ: ଦିନ ୩ଟା ୩୦ ମିନିଟରେ ଅଗଷ୍ଟ ଗାଇଡଲାଇନ୍ ଘୋଷଣା କରିବେ ଏସ୍ଆରସି: କୋହଳ ହୋଇପାରେ ଏହି ସବୁ ନିୟମ

Leave a Reply