ରଥଯାତ୍ରା : ପୁରୀକୁ ଗଡିବ ୧୦୦୦ ବସ୍
1 min read
ଭୁବନେଶ୍ବର: ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ୨୪ ଘଣ୍ଟିଆ ବସ୍ ସେବା । ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀକୁ ଗଡିବ ୧୦୦୦ ବସ । ଏସଟିଏ କମିଶନର ଅମିତାଭ ଠାକୁରଙ୍କ ଅଧକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ରାଜ୍ୟ ଘରାଇ ବସ ମାଲିକ ସଂଘ ସହ ପୁରୀ, କଟକ, ଭୁବନେଶ୍ବର ବସ ମାଲିକ ସଂଘ, କଟକ ଡିସିପି, ପୁରୀ ଏସପି, କଟକ, ଭୁବନେଶ୍ୱର, ପୁରୀ ଜିଲ୍ଲାର ପରିବହନ ଅଧିକାରୀ, ଏନଏଚଆଇ କର୍ତ୍ତୃପକ୍ଷ ବୈଠକରେ ସାମିଲ ହୋଇଥିଲେ । ରଥଯାତ୍ରାରେ କେମିତି ସୁରୁଖୁରୁରେ ଭକ୍ତମାନେ ପୁରୀ ଯାଇ ପାରିବେ ସେନେଇ ଆଲୋଚନା ହୋଇଛି । ପୁରୀକୁ ସାରାରାଜ୍ୟରୁ ଗଡିବ ବସ । ରେଗୁଲାର ବସ ସହ ସ୍ୱତନ୍ତ୍ର ପରମିଟ ବି ଦିଆଯିବ ।
ତାଳବଣିଆ ସହ ମାଳତୀ ପାଟପୁରରେ ହେବ ବସ ପାର୍କିଂ । ଯାତ୍ରୀଙ୍କୁ ବସ ରହଣିସ୍ଥଳରୁ ବଡଦାଣ୍ଡ ଯାଏ ଚାଲିବ ୧୦୦ଟି ବ୍ୟାଟେରୀ ଚାଳିତ ଗାଡ଼ି । ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡ଼ା ନେଇ ପାରିବେନି ଗାଡ଼ି ମାଲିକ । ତାଳବଣିଆ ବସ ଷ୍ଟପେଜରେ ଯାତ୍ରୀଙ୍କୁ ଦିଆଯିବ ୧୦ ଟଙ୍କାରେ ଖାଦ୍ୟ । ଏଥିସହିତ ପୁରୀକୁ ଯାତ୍ରା କରୁଥିବା ସମୟରେ ଯାତ୍ରୀଙ୍କୁ ବସରେ ପାନୀୟ ଜଳ ଯୋଗାଇ ଦିଆଯିବ । ବସରେ ଫାଷ୍ଟଏଡ୍ କିଟର ବ୍ୟବସ୍ଥା ରଖିବାକୁ ରାଜ୍ୟ ପରିବହନ ଆୟୁକ୍ତ ଆଜି ଏକ ସ୍ବତନ୍ତ୍ର ବୈଠକରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା କରିଛି । ବସରେ କ୍ଷମତାଠାରୁ ଅଧିକ ଯାତ୍ରୀ ନନେବାକୁ ତାଗିଦ କରାଯାଇଛି । ସୁରକ୍ଷିତ ଯାତ୍ରୀ ପରିବହନ ପାଇଁ ୩୦ ଜଣ STA ଅଧିକାରୀ ଦାୟିତ୍ବରେ ରହିବେ । ପୋଲିସ ପକ୍ଷରୁ ଏନ୍ଫୋର୍ସମେଣ୍ଟ ସ୍କ୍ବାର୍ଡ ସହ, ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି କହିଛନ୍ତି STA କମିଶନର ଅମିତାଭ ଠାକୁର । ବିଭିନ୍ନ ଜାଗାରେ ସିସିଟିଭି କ୍ୟାମେରା ଲାଗିବ । ସେହିଭଳି ବସ୍ ରେ ଯାତ୍ରୀଙ୍କ ଭିଡ ସୁଯୋଗ ନେଇ ପକେଟ ମାର୍ ଓ ମୋବାଇଲ ଫୋନ ଚୋରି ଭଳି ଘଟଣା ରୋକିବାକୁ ପୋଲିସ ନଜର ରଖିବ ବୋଲି କହିଛନ୍ତି ପୁରୀ ଜିଲ୍ଲା ଏସପି ।