କଫନ୍ ପିନ୍ଧି କବର୍ ପାଖରେ ମୃତ୍ୟୁକୁ ଅପେକ୍ଷା କରି ବସି ରହିଲେ ୧୦୯ ବର୍ଷର ବୃଦ୍ଧ

ଲକ୍ଷ୍ନୌ: ୟୁପି ବାରାବାଙ୍କି ଜିଲ୍ଲାର ନୁରଜଙ୍ଗ ଗାଁରେ ଯାହା ଘଟିଗଲା ଯିଏ କେହି ବି ଶୁଣୁଛନ୍ତି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ୧୦୯ ବର୍ଷର ମୋହମ୍ମଦ ଶଫି ଦିନ ଗୋଟାଏ ୧୦ ମିନିଟରେ ତାଙ୍କର ମୃତ୍ୟୁ ହୋଇଯିବ ବୋଲି ଭବିଷ୍ୟବାଣୀ କରିଥିଲେ । ଏହାସହ ଗାଁ କବରସ୍ଥାନରେ ଉପସ୍ଥିତ ରହି ନିଜ ପାଇଁ କବର ଖୋଳାଇ ଥିଲେ । ଏହାପରେ ଗାଧୋଇ କଫନ୍ ପିନ୍ଧି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ । ହେଲେ ସେ ବତାଇଥିବା ସମୟରେ ତାଙ୍କ ମୃତ୍ୟୁ ଘଟି ନଥିଲା ।

ଶଫି ଭବିଷ୍ୟବାଣୀ ପରେ ତାଙ୍କ ମୃତ୍ୟୁ ଦେଖିବାକୁ କବରସ୍ଥାନରେ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ । ଏପରିକି ସ୍ଥାନୀୟ ପ୍ରଶାସନ ମଧ୍ୟ କବରସ୍ଥାନରେ ଉପସ୍ଥିତ ରହି ଶଫିଙ୍କ ଭବିଷ୍ୟବାଣୀ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ସମୟ ବିତି ଯିବା ପରେ ପ୍ରଶାସନିକ ଅଧିକାରୀ ତାଙ୍କୁ ବୁଝାଶୁଝା କରି ଘରକୁ ଆଣିଥିଲେ ।

ଶଫି କହିଛନ୍ତି, ମୁଁ ପ୍ରତିଦିନ ୫ ଥର ନମାଜ ପାଠ ପରେ । ଫରିସ୍ତାଙ୍କ ସହ ମୋର କଥା ହୋଇଛି । ଆଜି ଅପରାହ୍ନ ଗୋଟାଏ ୧୦ରେ ମୋର ମୃତ୍ୟୁ ଘଟିବ । ଏନେଇ ପୂବର୍ରୁ ସେ ସମ୍ପର୍କୀୟଙ୍କୁ ସୂଚନା ଦେଇ ଦେଇଥିଲେ । ଖବର ପାଇ ସକାଳୁ ସକାଳୁ ସମ୍ପର୍କୀୟମାନେ ଘରେ ଆସି ପହଞ୍ଚି ଯାଇଥିଲେ । ଏପଟେ ଶଫି କଫନ ପିନ୍ଧି ମୃତ୍ୟୁକୁ ଅପେକ୍ଷା କରି ବସିଥିଲେ । ଉପଜିଲ୍ଲାପାଳ ସୁରେନ୍ଦ୍ରପାଲ ବିଶ୍ବକର୍ମା ଏବଂ ଥାନା ଅଧିକାରୀ ସୁଧୀର କୁମାର ସିଂ ପହଞ୍ଚି ଶଫିଙ୍କୁ ବୁଝାଶୁଝା କରି ଘରକୁ ନେଇଥିଲେ ।

ଶଫି ଆହୁରି କହିଛନ୍ତି ୫ ବର୍ଷ ପୂର୍ବରୁ ମୋର ମୃତ୍ୟୁ ହେବାର ଥିଲା । ହେଲେ କୌଣସି କାରଣ ବଶତଃ ହୋଇନଥିଲା । ଆଜି ଶୁକ୍ରବାରକୁ ମୋର ମୃତ୍ୟୁ ଘଟିବ । ଶଫିଙ୍କ ଏପରି ଭବିଷ୍ୟବାଣୀ ପରେ ପୂରା ଜିଲ୍ଲାରେ କୌତୁହଳ ଖେଳି ଯାଇଥିଲା ।

ଅନ୍ୟପକ୍ଷେ ଶଫିଙ୍କ ପୁଅ କହିଛନ୍ତି, ତାଙ୍କ ମାନସିକ ସ୍ଥିତି ଭଲ ନାହିଁ । ସକାଳୁ ନିଜେ କବର ଖୋଳାଇ କଫନ୍ ପିନ୍ଧି କବରସ୍ଥାନକୁ ଚାଲି ଆସିଥିଲେ ।

Leave a Reply