ମାତିଲେ ପଥରଫିଙ୍ଗାଳୀ, ରାଞ୍ଚିରେ ଗଡିଲା ୨ ମୁଣ୍ଡ

ରାଞ୍ଚି/କୋଲକାତା: ମହମ୍ମଦ ପ୍ରଫେଟଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବୟାନ ପରେ ଅଶାନ୍ତ ଦେଶର ଅଧିକାଂଶ ରାଜ୍ୟ  । ଶୁକ୍ରବାର ଜୁମା ନମାଜ ପରେ ରାଞ୍ଚି ସମେତ ଅଧିକାଂଶ ଅଞ୍ଚଳ ଅଶାନ୍ତ ହୋଇଛି  । ରାଞ୍ଚିରେ ୨ ଜଣ ପ୍ରାଣ ହରାଇ ଥିବାବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି  । ଆହତଙ୍କୁ ଚିକିତ୍ସା ପାଇଁ ରିମ୍ସରେ ଭର୍ତ୍ତି କରାଯାଇଛି  ।

ପରିସ୍ଥିତି ନିୟନ୍ତ୍ରଣ ପାଇଁ ୧୩ଟି ଥାନା ଅଧୀନ ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି  । ଆଗାମୀ ଆଦେଶ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି  । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ ହେଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି  । ରାଞ୍ଚିର ଲାଲପୁର, ଲୋଅର ବାଲାଜୀ, ଡେଲି ମାର୍କେଟ, ହିନ୍ଦପିଢି, ଜଗନ୍ନାଥପୁର, କୋତବାଲି,ସୁଖଦେବ ନଗର,ପଣ୍ଡରା ଓପି,ଚୁଟିଆ, ଡୋରଣ୍ଡା ଓ ଅରଗୋଡା ଥାନା ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି  ।

 

ସେପଟେ ପଶ୍ଚିମବଙ୍ଗର ହାୱଡା ଜିଲ୍ଲା ପଞ୍ଚଲା ବଜାରରେ ଏକ ଗୋଷ୍ଠୀ ପଥର ଫିଙ୍ଗି ହିଂସା ସୃଷ୍ଟି କରିଥିଲେ  । ପୋଲିସ ଉପରକୁ ବି ପଥରମାଡ କରିଥିଲେ ପଥର ଫିଙ୍ଗାଳୀ  । କେତେକ ଦୋକାନରେ ମଧ୍ୟ ସେମାନେ ନିଆଁ ଲଗାଇ ଦେଇଛନ୍ତି  । ପ୍ରଦର୍ଶନକାରୀଙ୍କୁ ଘଉଡାଇବା ପାଇଁ ପୋଲିସ ଲୁହବୁହା ଗ୍ୟାସର ପ୍ରୟୋଗ କରିଥିଲା  । ହାୱଡା ଅଲୁବୋରିଆ ସବଡିଭିଜନ ରାଜପଥ, ରେଳପଥ ଓ ଏହାର ଆଖପାଖ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି  ।

 

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ସଡକ ଓ ରେଳପଥ ଅବରୋଧ ନ କରିବାକୁ ବିକ୍ଷୋଭକାରୀଙ୍କୁ ନିବେଦନ କରିଛନ୍ତି  । ସେପଟେ ଭାଜପା ସାଂସଦ ସୌମିତ୍ର ଖାନ ହାୱଡାରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବା ପାଇଁ କେନ୍ଦର ସରକାରଙ୍କୁ ଜଣାଇଛନ୍ତି  ।