ହାଇଦ୍ରାବାଦରୁ ଆସିଲା ପୁଣି ୧୫ ଟନ ବିସ୍ଫୋରକ

ନନ୍ଦିଘୋଷ ବ୍ୟୁରୋ: ଗୋଦାମ ସିଲ୍, ମାଲିକ ଜେଲରେ ଏପଟେ ହାଇଦ୍ରାବାଦରୁ ଆସିଲା ପୁଣି ୧୫ ଟନ ବିସ୍ଫୋରକ । ଏବଂ ୩ ଲକ୍ଷ ମିଟର ତାର। ସୁନ୍ଦରଗଡ଼ ଇତମା ଖଡ଼ିଆପଡ଼ା ନିକଟ ବାରୁଦ କାରଖାନାକୁ ଗତ ୨୮ ତାରିଖରୁ ସିଲ୍ କରାଯାଇଥିବା ବେଳେ ଆଜି ପୁଣି ଏଠାକୁ ହାଇଦ୍ରାବାଦରୁ ଆସି ପହଞ୍ଚିଛି ଆହୁରି ବିସ୍ଫୋରକ । ଏକ ଟ୍ରକରେ ୨୫ କେଜିଆ ୬ ଶହ ପ୍ୟାକେଟ ଅର୍ଥାତ୍ ୧୫ ଟନ ବିସ୍ଫୋରକ ଏବଂ ୧୯୮ ଟି ପ୍ୟାକେଟରେ ୩ ଲକ୍ଷ ମିଟର ତାର ରହିଛି । ଟ୍ରକଟି ପହଞ୍ଚିଲା ପରେ ସବୁ ଗୋଦାମ ଗୃହ ସିଲ୍ ଥିବା ଏବଂ କେହି କର୍ମଚାରୀ ସେଠାରେ ନଥିବା ଦେଖିବାକୁ ପାଇଥିଲା ଟ୍ରକର ଚାଳକ । ଟ୍ରକ ଆସିବାର ସୂଚନା ପାଇ ବଡ଼ଗାଁ ଥାନା ପୋଲିସ ଆସି ସମସ୍ତ କାଗଜ ପତ୍ର ଯାଞ୍ଚ କରିଛି । ଗତ ୨୭ ତାରିଖ କେ ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ନିକଟରୁ ୫ ଟନ ବିସ୍ଫୋରକ ଲୁଟ କରି ନେଇଥିଲେ ମାଓବାଦୀ । ସେହି ବିସ୍ଫୋରକ ଏହି ଇତମା ଗୋଦାମରୁ ଯାଇଥିବା ଜଣାପଡିଲା ପରେ ଗୋଦାମକୁ ସିଲ୍ କରି ତଦନ୍ତ ଜାରି ରଖିଛି ପୋଲିସ । ଦୁଇ ଦିନ ତଳେ ପୁଣି ରାଉରକେଲା ବାଲୁଘାଟ ଅଞ୍ଚଳରୁ ଆଉ ଏକ ମିନି ଟ୍ରକରେ ପ୍ରଚୁର ପରିମାଣର ବିସ୍ଫୋରକ ଏବଂ ଡେଟୋନେଟର ଜବତ ହୋଇଥିଲା । ଘଟଣାରେ ମାଲିକ ଶ୍ରବଣ ଅଗ୍ରୱାଲକୁ ପୋଲିସ ଅଟକ ରଖି ପଚରା ଉଚୁରା କରିବା ପରେ ଆଜି ତାକୁ ଗିରଫ କରାଯାଇଛି ।