ଫୋକସ୍‌ରେ ପଶ୍ଚିମ ଓଡ଼ିଶା: ବଲାଙ୍ଗୀରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କଲେ 5T ସଚିବ

1 min read

ବଲାଙ୍ଗୀର: ରାଜ୍ୟ ସରକାରଙ୍କ ଫୋକସ୍‌ରେ ପଶ୍ଚିମ ଓଡ଼ିଶା । ମୁଖ୍ୟ ଶାସନ ସଚିବ ଓ ୫-T ସଚିବ ଆଜି ବଲାଙ୍ଗୀରରେ ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା କରିବା ସହ ୨୦୨୨ ଜୁନ ସୁଦ୍ଧା ଲୋୟର ସୁକତେଲ ସ୍ପିଲୱେ ନିର୍ମାଣ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବଲାଙ୍ଗୀର ମେଡିକାଲ କଲେଜ ଓ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣର ମଧ୍ୟ ସମୀକ୍ଷା କରିଥିଲେ । ପ୍ରକଳ୍ପ ମାନରେ କୌଣସି ପ୍ରକାର ସାଲିସ ନକରିବାକୁ ୫-T ସଚିବ ନିର୍ଦ୍ଦେଶ ଦେଇଛନ୍ତି । ୫-T କାର୍ଯ୍ୟକ୍ରମରେ ଜିଲ୍ଲାର ୨୪ଟି ହାଇସ୍କୁଲରେ ଅତ୍ୟାଧୁନିକ ଭିତ୍ତିଭୂମି ସୃଷ୍ଟି କରାଯିବ ।

ଶିକ୍ଷା ଓ ସ୍ୱାସ୍ଥ୍ୟଠାରୁ ଜଳସେଚନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବିକାଶର ଶୀର୍ଷରେ ପହଞ୍ଚିବ ବଲାଙ୍ଗୀର । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି.କେ ପାଣ୍ଡିଆନ । ଉଭୟ ଅଧିକାରୀ ଦେଓଗାଁ ପଞ୍ଚାୟତ ହାଇସ୍କୁଲ ଓ ପିପି ଏକାଡେମୀକୁ ଗସ୍ତ କରିଥିଲେ । ସ୍କୁଲର ବିକାଶ ନେଇ ଜିଲ୍ଲା ଶିକ୍ଷାଧିକାରୀ ଓ ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି଼। ଖୁବଶୀଘ୍ର 5-T କାର୍ଯ୍ୟକ୍ରମରେ ୨୪ଟି ହାଇସ୍କୁଲରେ ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସରୁମ ଓ ଆଧୁନିକ ବିଜ୍ଞାନ ଲାବରେଟୋରୀ ନିର୍ମାଣ କରାଯିବ ।

ବଲାଙ୍ଗୀର ମେଡିକାଲ କଲେଜରେ ନିର୍ମାଣାଧୀନ ତରଳ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସାଙ୍ଗକୁ କୋଭିଡ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତିର ମଧ୍ୟ ତଦାରଖ କରିଥିଲେ । ଅଗଷ୍ଟ ମାସ ଶେଷ ସୁଦ୍ଧା ଅକ୍ସିଜେନ ପ୍ଲାଣ୍ଟ ଚାଲୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପକୁ ବୁଲି ଦେଖିବା ସହ ସ୍ପିଲୱେ ନିର୍ମାଣ କାର୍ଯ୍ୟ ୨୦୨୨ ଜୁନ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲାର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଅନେକ କାର୍ଯ୍ୟ ରାଜ୍ୟ ସରକାରଙ୍କ ଅନୁଦାନରେ ଚାଲିଛି । ଗତ ମାର୍ଚ୍ଚରେ 5-T ସଚିବ ଓ ମୁଖ୍ୟ ଶାସନ ସଚିବ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଅନୁଧ୍ୟାନ କରି ଫେରିବା ପରେ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହେବା ସହ ବିସ୍ଥାପିତମାନଙ୍କ ସମସ୍ୟାର ସମାଧାନ ମଧ୍ୟ ହୋଇଥିଲା । ସେହିଭଳି ବଲାଙ୍ଗୀର ସାଇନ୍ସ ପାର୍କ, ପ୍ଲାନେଟାରିୟମ, ନୂଆ ବସ ଟର୍ମିନାଲ, ପାଟଣାଗଡ଼ ଉପଖଣ୍ଡସ୍ତରୀୟ ମେଡିକାଲନିର୍ମାଣ, ବାଇପାସ, ମହାରାଣୀ ସାଗର ଟ୍ୟାଙ୍କ, ବିଭିନ୍ନ ପାନୀୟ ଜଳ ଓ ବିଦ୍ୟୁତ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5-T ସଚିବ ଭିକେ ପାଣ୍ଡିଆନ ।

Leave a Reply