ଫେବୃଆରୀ ୫ରୁ ଷୋଡ଼ଶ ବିଧାନସଭାର ୧୫ତମ ଅଧିବେଶନ

ଭୁବନେଶ୍ବର: ଫେବୃଆରୀ ୫ ତାରିଖରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ୧୫ ତମ ଅଧିବେଶନ । ମୁହାମୁହିଁ ହେବେ ଶାସକ ଓ ବିରୋଧୀ । ଗୃହରେ ଉଠିବ ନୂଆ ଓ ପୁରୁଣା ପ୍ରସଙ୍ଗ । ସ୍ୱଳ୍ପ କାଳୀନ ଅଧିବେଶନରେ ବିରୋଧୀ ଓ ଶାସକ ଦଳ କେଉଁ ପ୍ରସଙ୍ଗ ଉଠାଇବେ ତାହାକୁ ନେଇ ଆରମ୍ଭ ହୋଇଯାଇଛି ସଜବାଜ ।

ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିବେ ଉଭୟ ପକ୍ଷ । ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ । ଅଧିବେଶନର ମୋଟ ୭ଟି କାର୍ଯ୍ୟ ଦିବସ ରହିଛି । କାମଚଳା ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ସୋମବାର ସକାଳ ୧୦ଟା ୧୫ ମିନିଟରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜେଡି ଏଥର ଅଧିବେଶନରେ ଗୃହରେ କେଉଁ କେଉଁ ପ୍ରସଂଗ ଉଠାଇବ ସେ ନେଇ ରଣନୀତି ପ୍ରସ୍ତୁତ କରିବ । ଏହାସହ ବିରୋଧୀ ଗୃହରେ ଯେଉଁ ସବୁ ପ୍ରସଂଗ ଉଠାଇବେ ତାହାର ଗଠନ ମୂଳକ ଜବାବ ଦେବାକୁ କାଉଣ୍ଟର ରଣନୀତି ବି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବ ।

ସେପଟେ ନୂଆ ଓ ପୁରୁଣାର ଲମ୍ବା ପ୍ରସଙ୍ଗ ନେଇ ଅଧିବେଶନରେ ଶାସକ ଦଳକୁ ଘେରିବାକୁ ସଜବାଜ ଆରମ୍ଭ କରିଛନ୍ତି ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ । ନିର୍ବାଚନ ପୂର୍ବରୁ ଏହା ଶେଷ ଅଧୁବେଶରେ ହୋଇଥିବାରୁ ଉଭୟ ଶାସକ ଓ ବିରୋଧୀ ଗୃହରେ ଆଗ୍ରେସିଭ ଭୂମିକାରେ ରହିବେ ବୋଲି ରାଜନୈତିକ ସମୀକ୍ଷକଙ୍କ ଆକଳନ କରିଛନ୍ତି ।

ଅନ୍ୟପଟେ ବିଧାନସଭାର ଶେଷ ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା ଲାଗି ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ । ୪ ତାରିଖ ସନ୍ଧ୍ୟା ୬ଟା ୩୦ରେ ବିଧାନସଭାରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ସର୍ବଦଳୀୟ ବୈଠକ ବସିବ । ଗୃହକୁ ସପରିଚାଳନା ପାଇଁ ଉଭୟ ଶାସକ ଓ ବିରୋଧୀଙ୍କ ସହଯୋଗ ଲୋଡିବେ ବାଚସ୍ପତି ।